ରାୟଗଡା: ମଙ୍ଗଳବାର ଅପରାହ୍ନରେ ୩୨୬ ନମ୍ବର ଜାତୀୟ ରାଜପଥର ରାଫକଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ବାଇକ ଆରୋହୀଙ୍କ ଉପରେ ଏକ କାର୍‌ ଚଢି ଯାଇଥିଲା। ଏଥିରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ମୃତକମାନେ ହେଲେ ରାୟଗଡା ଜିଲ୍ଳା ସଦର ବ୍ଳକ କୁଟୁଳି ଗ୍ରାମ ପଞ୍ଚାୟତର ସଦର କୁଟୁଳି ଗ୍ରାମର ହେମନ୍ତ ମିଣିଆକା (୩୩) ଏବଂ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତତିନି ଶେଷ ବର୍ଷର ଛାତ୍ର ତଥା କୋରାପୁଟ ଜିଲ୍ଳା ଲକ୍ଷ୍ମୀପୁର ବ୍ଳକର ପିପଲପଦର ଗ୍ରାମ ପଞ୍ଚ‌ାୟତର ସଦର ପିପଳପଦର ଗ୍ରାମର ଆନନ୍ଦ ମାଣ୍ଡାଙ୍ଗୀ(୨୩) ବୋଲି ଜଣାପଡିଛି। ଘଟଣାସ୍ଥଳରେ କାର ଛାଡି ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ କ୍ଷତିପୂରଣ ଦାବି କରି ଆଜି ବୁଧବାର ରାୟଗଡା ଥାନା ଘେରାଉ କରିଛନ୍ତି ମୃତକଙ୍କ ପରିବାର, ସମ୍ପର୍କୀୟ, ଗ୍ରାମବାସୀ ଏବଂ କଲେଜ ଛାତ୍ରମାନେ। ଦୁର୍ଘଟଣା ଘଟାଇଥିବା କାର ମାଲିକକୁ ଯଥାଶୀଘ୍ର ଥାନାକୁ ଡକାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶୃତି ଦେବା ପରେ ଥାନା ଘେରାଉକାରୀ ମାନେ ଫେରି ଯାଇଥିଲେ। ଯଦି କ୍ଷତିପୂରଣ ପ୍ରଦାନରେ ବିଳମ୍ବ ହୁଏ ତେବେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Advertisment

publive-image Sambad

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମଙ୍ଗଳବାର ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ହେମନ୍ତ ଏବଂ ଆନନ୍ଦଙ୍କ ସମ୍ପର୍କୀୟ ଭାଇ ମହାନ୍ତି ମିଣିଆକା ଦୁହେଁ ଚିକିତ୍ସା ହେଉଥିବା ଖବର ପାଇଥିଲେ। ଆନନ୍ଦ କଲେଜ ଛୁଟି ହେବା ପରେ ନିଜ ସମ୍ପର୍କୀୟ ଭାଇ ହେମନ୍ତଙ୍କ ସହ ବାଇକରେ ଯାଇ ମହାନ୍ତି ମିଣିଆକାଙ୍କୁ ଭେଟି ପୁଣି କୁଟୁଳି ଗାଁ ଅଭିମୁଖେ ବାହାରିଥିଲେ। ରାୟଗଡା ଠାରୁ ୨୫କିମି ଦୂର ରାଫକଣା ଛକ ଡେଇଁ ଅଳ୍ପଦୂର ଅତିକ୍ରମ କରିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସେମାନଙ୍କୁ ମୁହାଁମୁହିଁ ଧକ୍କା  ଦେବାରୁ କାର ସମେତ ବାଇକଟି ଜାତୀୟ ରାଜପଥ କଡକୁ ଛିଟିକି ପଡିଥିଲା। ଘଟଣା ସ୍ଥଳରେ ହିଁ ହେମନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆନନ୍ଦକୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଆନନ୍ଦ ଗୁରୁତର ଥିବାରୁ ତୁରନ୍ତ ତାଙ୍କୁ ବିଶାଖାପାଟଣମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।  ବିଶାଖାପାଟଣମ୍ ନିଆଯାଉଥିବା ବେଳେ ଅଧାବାଟରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ମାନେ ପ୍ରକାଶ କରିଛନ୍ତି। ଆଜି ବୁଧବାର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଉଭୟ ଆନନ୍ଦ ଓ ହେମନ୍ତଙ୍କ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ଥିବା ଡ୍ରାଇଭର ଓ ମାଲିକଙ୍କୁ ପୁଲିସ କାହିଁକି ଥାନାକୁ ଡାକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଗ୍ରାମବାସୀ ମାନେ ଥାନା ଘେରାଉ କରିଥିଲେ।