ସଦରଥାନା ଅଧିକାରୀଙ୍କ ବିରୋଧରେ ଗାଁ ଲୋକ ଏସ୍‌ପି କାର୍ଯ୍ୟାଳୟ ଘେରିଲେ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅଧିକାରୀ ମାଙ୍କଡ଼ା ପଥର ମାଫିଆ ଓ ଅପରାଧୀଙ୍କ ସହ ହାତ ମିଳାଇଛନ୍ତି। ଗାଁରେ ବେଆଇନ ଭାବେ ମାଙ୍କଡ଼ାପଥର ଖୋଲୁଥିବା ମାଫିଆଙ୍କ ବିରୋଧରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାଁନ୍ତି। କେବଳ ଏହାନୁହେଁ ୨୦୧୨ରେ ବିଭୂତି ବୈରିଗଞ୍ଜନ ହତ୍ୟାମାମଲାରେ ଏଯାଏଁ ହତ୍ୟାକାରୀଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଧରୁଛି, ଏଭଳି ଆରୋପ କରି ଆଜି ବ୍ରଜମୋହନପୁର ଗାଁର ଶତାଧିକ ଲୋକ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଗାଁର ଶତାଧିକ ପୁରୁଷ ଓ ମହିଳା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଗାଁ ଲୋକମାନେ ଦୀର୍ଘ ୧ ଘଣ୍ଟା ଧାରଣା ଦେବା ପରେ ଏକ ପ୍ରତିନିଧି ଦଳ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ଭେଟି ଦୁଇଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରଥମରେ, ୨୦୧୨ ଅପ୍ରିଲ୍ ୧ ତାରିଖରେ ବିଭୂତି ବୈରିଗଞ୍ଜନଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପର୍କରେ ସ୍ପଷ୍ଟ ପ୍ରମାଣ ଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିବା ନେଇ କହିଥିଲେ। ସେହିଭଳି ବ୍ରଜମୋହନପୁର ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ଚାଲୁଥିବା ବେଆଇନ ମାଙ୍କଡ଼ାପଥର ଖଣି ମାଫିଆଙ୍କ ସହ ସଦର ଥାନା ଅଧିକାରୀଙ୍କ ସିଧାସଳଖ ସମ୍ପର୍କ ଥିବା ନେଇ ଲିଖିତ ଅଭିଯୋଗ କରିବା ସହ ଏସ୍‌ପିଙ୍କୁ ଜଣାଇଥିଲେ। ଗାଁ ଲୋକ କହିଛନ୍ତି ଯେ ବେଆଇନ ମାଙ୍କଡ଼ାପଥର ଖଣି ମାଫିଆମାନେ ଶଶ୍ମାନ ଜମି, ସ୍କୁଲ ଜମି, ଗୋଚର ଜମି ବଳପୂର୍ବକ ଅକ୍ତିଆର କରି ପଥର ଖୋଲି ନେଉଛନ୍ତି। ଏନେଇ ଥାନାରେ ଅଭିଯୋଗ କଲେ କୌଣସି ପଦକ୍ଷେପ ନେବାତ ଦୂରର କଥା ଓଲଟି ସଦର ଥାନା ପୁଲିସ ଗାଁ ଲୋକଙ୍କୁ ହଇରାଣ କରୁଛି। ଏଣୁ ଏନେଇ ଅନୁସନ୍ଧାନ କରି ତୁରନ୍ତ ସଦର ଥାନା ଅଧିକାରୀ ଓ ଖଣି ମାଫିଆଙ୍କ ବିରୋଧରେ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର