ସ୍ବାଧୀନତାର ୭୪ ବର୍ଷ ପରେ ବି ଗାଁକୁ ଆସିଲାନି ବିଦ୍ୟୁତ, ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଜନତା

କୋରାପୁଟ: ନିର୍ବାଚନ ପରେ ନିର୍ବାଚନ ଯାଉଛି, ଧୋବଫର ଫର ନେତାଏ ଆସୁଛନ୍ତି, ଆଉ ଯାଉଛନ୍ତି। ହେଲେ ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ। ସମସ୍ୟର ସମାଧାନ ହେବ କ’ଣ ଦିନକୁ ଦିନ ସମସ୍ୟା ବଢୁଛି।କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତେନ୍ତୁଳି ପଦର ପଞ୍ଚାୟତର ଡୁମୁରୀପଦର ଗ୍ରାମରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଥିବାରୁ ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ସ୍ୱାଧୀନତାର ସାତ ଦଶନ୍ଧି ବିତି ସାରିଥିଲେ ମଧ୍ୟ ଏଯାଏଁ ଏହି ଗ୍ରାମ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଥିବା କହିଛନ୍ତି ଗ୍ରାମବାସୀ।

ବିଦ୍ୟୁତ ନଥିବାରୁ ଅନ୍ଧକାରରେ ଜୀବନ କାଟୁଛନ୍ତି ଲୋକେ। ପିଲାମାନଙ୍କ ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ହୋଇଗଲେ ଜଙ୍ଗଲ ଜନ୍ତୁ ଭୟ ସହ ତାଟି କବାଟ ପଡିଯାଏ ସମସ୍ତଙ୍କ ଘରେ। ଆଇଟିଡିଏ ତରଫରୁ ବ୍ୟାଟେରୀ ଯୁକ୍ତ ସୋଲାର ଲାଇଟ୍ ଲଗାଯାଇଥିଲା। ବର୍ତ୍ତମାନ ତାହା ସବୁ ଖରାପ ହୋଇଗଲାଣି। କିରୋସିନିରେ ବ୍ୟବହୃତ ଡିବିରି ଆଲୁଅ ଆଲୋକିତ ହେଉଛି ଘର।ତେନ୍ତୁଳି ପଦର ପଞ୍ଚାୟତର ୯ ନମ୍ବର ୱାର୍ଡରେ ଡୁମୁରୀପଦର ଗ୍ରାମ ରହିଛି। ଏହାର ୨୭୭ ଜଣ ଭୋଟର ଅଛନ୍ତି।ଗ୍ରାମର ୱାର୍ଡ ମେମ୍ବର ପୁଦେ ମାଣ୍ଡିଙ୍ଗି, ମୀନ କେତନ ଶିରିକା, ମିଟି ମାଣ୍ଡିଙ୍ଗି, ମାରି ମାଣ୍ଡିଙ୍ଗି, ସୁତି ମାଣ୍ଡିଙ୍ଗି, ବେତୃ ମାଣ୍ଡିଙ୍ଗି, ମୁତାଲୁ ମାଣ୍ଡିଙ୍ଗି, ଗୋପି ମାଡି, ଦିନା ମାଣ୍ଡିଙ୍ଗି, ସଦା ମାଣ୍ଡିଙ୍ଗି, ଦେରକୁ ମାଣ୍ଡିଙ୍ଗି, ଲିଉ ମାଣ୍ଡିଙ୍ଗି ପ୍ରମୁଖ ବହୁ ଶତାଧିକ ଭୋଟର ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେ ପର୍ଯ୍ୟନ୍ତ ଗ୍ରାମରେ ବିଦ୍ୟୁତ ସମସ୍ୟାର ସମାଧାନ କରା ନଯାଏ ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ସ୍ଥିର କରିଛନ୍ତି।

Sambad

ତେନ୍ତୁଳି ପଦର ଠାରୁ ୭ କିଲୋମିଟର ଦୂରରେ ରହିଛି ଡୁମୁରୀପଦର ଗାଁ। ଚାରିଆଡେ ପାହାଡ଼ ମଝିରେ ରହିଛି ଗାଁ। ଜଙ୍ଗଲ ଜାତ ଦ୍ରବ୍ୟରେ ସମସ୍ତେ ନିର୍ଭର କରନ୍ତି। ଗାଁରେ ପାଣି ଟାଙ୍କି କରାଯାଇ ଘରକୁ ଘର ପାଣି ଯୋଗାଇବା ପାଇଁ କାର୍ଯ୍ୟ ଚାଲୁ ରହିଛି। ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇ ପକ୍କା ପିଚୁ ରାସ୍ତା ହୋଇଛି। ଗାଁରେ ସ୍କୁଲ ନଥିବାରୁ ବହୁ ପିଲା ପାଠ ପଢାରୁ ବଞ୍ଚିତ ହେଉଛନ୍ତି। ସ୍କୁଲ ନଥିବାରୁ ଅଧିକାଂଶ ଲୋକ ନିଜ ନିଜର ଛୁଆକୁ ପାଖ ଗାଁ ଆଶ୍ରମ ସ୍କୁଲରେ ଛାଡ଼ିଥିବା ଗାଁ ଲୋକେ କହନ୍ତି। ଗତବର୍ଷ କୋରାପୁଟ ଜିଲ୍ଲାପାଳ ଗାଁକୁ ଗ୍ରସ୍ତ କରିଥିଲେ। ଗାଁ ଲୋକେ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିଥିଲେ। ଏଯାଏଁ ବିଜୁଳି, ସ୍କୁଲ ବ୍ୟବସ୍ଥା ହୋଇପାରି ନଥିବାରରୁ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ। ତେବେ ଏନେଇ ବିଡ଼ିଓ ଯଦୁମଣୀ ନାଏକଙ୍କୁ ପଚାରିବାରୁ ଘଟଣା ବିଷୟରେ ମୋ ନିକଟରେ ସେପରି କୈାଣସି ଅଭିଯୋଗ ଆସିନି, ଯଦି ଗାଁରେ ସମସ୍ୟା ରହିଛି କିପରି ଚଳିତବର୍ଷ ସେହି ଗ୍ରାମରେ ଥିବା ସମସ୍ୟା ସମାଧାନ ହେବ ସେ ନେଇ ଜିଲ୍ଲାପ୍ରଶାସନ ସହ ଆଲୋଚନା କରିବି ବୋଲି କହିଛନ୍ତି। ଏଥିସହ ଡୁମୁରିପଦର ଗ୍ରାମର ଭୋଟର ନିଶ୍ଚିତ ଭୋଟ ଦେଇ ସେମାନଙ୍କର ଜନପ୍ରତିନିଧି ବାଛନ୍ତୁ। ଗଣତାନ୍ତ୍ରିକ ରାଷ୍ଟ୍ରର ମତଦାନ ସମସ୍ତଙ୍କର ଅଧିକାର, ଏହାକୁ ହାତ ଛଡା ନ କରିବା ଉଚିତ। ସେ ନେଇ ଆଲୋଚନା କରିବି ସେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର