ଗାଁକୁ ନାହିଁ ସ୍ଥାୟୀ ସଡ଼କ, ଭୋଟ ବର୍ଜନ କରିବେ ପାଣ୍ଡିଆବିଲି ଗ୍ରାମବାସୀ

ଖୋର୍ଦ୍ଧା: ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ରାଜ୍ୟ ରାଜଧାନୀ ଠାରୁ ମାତ୍ର କେଇ କିମି ଦୂର ଜଟଣୀ ନିର୍ବାଚନମଣ୍ଡଳୀର ବେଣାପଞ୍ଜରୀ ପଞ୍ଚାୟତର ପାଣ୍ଡିଆବିଲି ଗାଁର ଲୋକଙ୍କ ପାଇଁ ସ୍ଥାୟୀ ସଡ଼କ ସ୍ୱପ୍ନ ଜାଣିଲେ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ପାଣ୍ଡିଆବିଲି ଗାଁର ଜନସଂଖ୍ୟା ପ୍ରାୟ ୮୦୦ । ଏହା ମଧ୍ୟରୁ ୬୦୦ ଭୋଟର। ଆଜି ଗାଁ କମିଟିର କର୍ମକର୍ତ୍ତା ଓ ଯୁବକ ମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗାଁର ସମସ୍ତେ ଭୋଟ ବର୍ଜନ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ନିଜର ଭୋଟ ବର୍ଜନ ସମ୍ପର୍କିତ ନିଷ୍ପତ୍ତି ଗ୍ରାମ୍ୟ ଉନ୍ନୟନ କମିଟି ସମ୍ପାଦକ ଗଙ୍ଗାଧର ସାମନ୍ତରାୟ କହିଛନ୍ତି ଯେ ୧୯୮୫ରେ ତତ୍କାଳୀନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଗାଁକୁ ସ୍ଥାୟୀ ସଡ଼କ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ମନ୍ତ୍ରିତ୍ୱ ସମୟରେ ସଡ଼କ ଓ ରାଜୁଆ ନଦୀ ଉପରେ ପୋଲ ନିର୍ମାଣ ହୋଇପାରିଲା ନାହିଁ। ଏହାପରେ ସେ ନିଜେ ତିନି ତିନି ଥର ବିଧାୟକ ହେଲେ, ଅନ୍ୟ ଦଳର ନେତା ମଧ୍ୟ ବିଧାୟକ ହେଲେ।

ନିର୍ବାଚନ ସମୟରେ ସମନ୍ତେ ସଡ଼କ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ପାଳନ କଲେ ନାହିଁ। ଆଶା କରାଯାଉଥିଲା, ଚଳିତଥର ଏହି ପ୍ରତିଶ୍ରୁତି ପୂରଣ ହେବ। ସେମାନଙ୍କ ଦୀର୍ଘ ୪ ଦଶନ୍ଧୀର ସ୍ୱପ୍ନ ସାକାର ହେବ, କିନ୍ତୁ ତାହା ହେଲା ନାହିଁ। ଏଣୁ ପଞ୍ଚାୟତ ନିର୍ବାଚନରେ ଗାଁରେ ଭୋଟ ବର୍ଜନ କରିବେ ବୋଲି ଗତ ୧୮ ତାରିଖରେ ଗାଁର ସମସ୍ତେ ବସି ଆଲୋଚନା କରି ନିଷ୍ପତ୍ତି ନେଇଛନ୍ତି। କେବଳ ଏହାନୁହେଁ, ଯିଏ ଗାଁ କମିଟିର ନିଷ୍ପତ୍ତିକୁ ଖିଲାପ କରି ଭୋଟ ଦେବେ ସେମାନଙ୍କ ବିରୋଧରେ ଗାଁ କମିଟି ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ବୈଠକରେ ଘୋଷଣା କରାଯାଇଛି। ସଭାପତି ଭାସ୍କର ଶ୍ରୀଚନ୍ଦନ କହିଛନ୍ତି ଯେ, ପାଣ୍ଡିଆବିଲି ଗାଁ ପୁରୀ ଜିଲ୍ଲାର କଣାସ ଓ ଖୋର୍ଦ୍ଧାର ଜଟଣୀ ସୀମାରେ ରହିଛି। କେଉଁ କାଳରୁ ଏହି ରାସ୍ତାଦେଇ ଯିବାଆସିବା କରୁଛନ୍ତି। କିନ୍ତୁ ଦୟା-ରାଜୁଆ ନଦୀର ସଙ୍ଗମ ସ୍ଥଳରେ ଥିବାରୁ ବର୍ଷର ୫-୬ ମାସ ବଢ଼ିପାଣି ଯୋଗୁଁ ଲୋକେ ଯିବାଆସିବା କରିପାରନ୍ତି ନାହିଁ। ଏଣୁ ଏହା ଉପରେ ଏକ ସ୍ଥାୟୀ ପକ୍କା ସଡ଼କ ସହ ପୋଲ ନିର୍ମାଣ କରିବାକୁ ପୂର୍ବେ ଅନେକ ଥର ଆନ୍ଦୋଳନ, ଦାବିପତ୍ର ଦିଆଯାଇଛି। କିନ୍ତୁ ପ୍ରଶାସନ ଠାରୁ ନେତା ସମସ୍ତେ ଏଥିପାଇଁ ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ କେହି ଏଥିପାଇଁ ପଦକ୍ଷେପ ନେଇନାହାଁନ୍ତି।

ସମ୍ବନ୍ଧିତ ଖବର