ବୁର୍ଲା: ମରାମତି ଓ ନବୀକରଣ ପାଇଁ ଗତ ୨୦ ଅଗଷ୍ଟ ୨୦୨୨ରେ ଭିମସାର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ୨୦ ଶଯ୍ୟା ବିଶିଷ୍ଟ ସେଣ୍ଟ୍ରାଲ ଆଇସିୟୁ ନୂତନ ମେଡିସିନ୍ ୱାର୍ଡ (ଦ୍ଵିତୀୟ କୋଭିଡ୍ ହସ୍ପିଟାଲ୍)କୁ ସ୍ଥାନାନ୍ତରିତ ହୋଇଥିଲା। ସେଣ୍ଟ୍ରାଲ ଆଇସିୟୁ ସ୍ଥାନାନ୍ତରର ଲକ୍ଷ୍ୟ ଥିଲା, ନୂଆ ମେଡିସିନ୍ ୱାର୍ଡରେ ଥିବା ୫୦ଟି ଆଇସିୟୁକୁ ରୋଗୀସେବାରେ ନିୟୋଜିତ କରିବା। କିନ୍ତୁ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା ପାଇଁ ୨୦ ଟି ଆଇସିୟୁ ନିଅଣ୍ଟ ପଡ଼ୁଥିବା ବେଳେ ଏବେ ନୂତନ ମେଡିସିନ ୱାର୍ଡର ମାତ୍ର ୩୬ ଟି ଆଇସିୟୁ କାର୍ଯ୍ୟକ୍ଷମ ରହିଛି। ନର୍ସିଂ କର୍ମଚାରୀଙ୍କ ଅଭାବରୁ ୩୬ଟି ଯାକ ଆଇସିୟୁ ଶଯ୍ୟା ମଧ୍ୟ କାର୍ଯ୍ୟରେ ଆସିପାରୁ ନାହିଁ। ବର୍ତ୍ତମାନ ମାତ୍ର ୨୫ଟି ଶଯ୍ୟା କାର୍ଯ୍ୟକ୍ଷମ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଆର୍ଥିକ ସ୍ୱଚ୍ଛଳ ରୋଗୀ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଆଇସିୟୁ ଶଯ୍ୟା ନ ପାଇ ଗୁରୁତର କିମ୍ବା ଅତି ଗୁରୁତର ଗରିବ ରୋଗୀଙ୍କ ମୃତ୍ୟୁ ଘଟୁଥିବା ପରିଲକ୍ଷିତ ହୋଇଛି।
ଭିମସାର ମେଡିସିନ ବିଭାଗ ଦ୍ଵିତୀୟ ୟୁନିଟରେ ଏପରି ଏକ ଘଟଣା ଦେଖାଦେଇଛି। ବରଗଡ଼ ଜିଲ୍ଲା ବିଜେପୁର ଗ୍ରାମର ଲୋକନାଥ ସାହୁ(୫୦) ଗତ ୩୦ ତାରିଖ ବୁର୍ଲା ଭିମସାରର ଆଶୁ ଚିକିତ୍ସା ବିଭାଗ ଏବଂ ପରବର୍ତ୍ତୀ ସମୟରେ ଦ୍ଵିତୀୟ ୟୁନିଟର ବେଡ୍ ନଂ-୧୧୪ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଭର୍ତ୍ତି ହେବା ଦିନଠାରୁ ଡାକ୍ତର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଉଛନ୍ତି। ଲୋକନାଥଙ୍କ ପରିବାର ଲୋକେ ବାରମ୍ବାର ଆଇସିୟୁ ବିଭାଗକୁ ଯାଉଥିଲେ ମଧ୍ୟ ବିଭାଗ ପକ୍ଷରୁ ତା’ଙ୍କୁ ଶଯ୍ୟା ଖାଲି ନାହିଁ ବୋଲି କହାଯାଉଥିବା ଅଭିଯୋଗ କରିଛନ୍ତି। ତେବେ ଗୁରୁତର ଲୋକନାଥଙ୍କୁ ଆଇସିୟୁ ଶଯ୍ୟା ମିଳିବ ନା ଶଯ୍ୟା ଆଶାରେ ଛଟପଟ ହୋଇ ତାଙ୍କର ମୃତ୍ୟୁ ଘଟିବ ବୋଲି ରୋଗୀ ମହଲରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଭିମସାର ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ‘ଡାକ୍ତରଖାନାର ୫୨ ଜଣ ନର୍ସିଂ କର୍ମଚାରୀ ବାହାରକୁ ଅଧ୍ୟୟନ (ଟ୍ରେନିଂ) କରିବାକୁ ଯାଇଛନ୍ତି। ଖୁବ୍ ଶୀଘ୍ର ସେମାନେ ଆସି ଭିମସାରରେ ଯୋଗଦେବେ। ଏହାପରେ ଆଉ ଆଇସିୟୁ ଶଯ୍ୟାର ଅଭାବ ଦେଖାଦେବ ନାହିଁ। ଏପରିକି ଭିମସାର ଉପରେ ନିର୍ଭର କରୁଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀମାନେ ମଧ୍ୟ ଉପକୃତ ହୋଇ ପାରିବେ।’