ଭିମସାର ୟୁରୋଲୋଜି ବିଭାଗରେ ଡାକ୍ତର ସଙ୍କଟ

ବୁର୍ଲା: ବୁର୍ଲା ଭିମ୍‌ସାରର ୟୁରୋଲୋଜି ବିଭାଗରେ ଡାକ୍ତର ସଙ୍କଟ ଦେଖାଦେଇଛି। ଆଗରୁ ବିଭାଗରେ ଜଣେ ସ୍ଥାୟୀ ଏସୋସିଏଟ୍ ପ୍ରଫେସର ଡାକ୍ତର ସଞ୍ଜୟ ମହାପାତ୍ର ଏବଂ ଅନ୍ୟ ଜଣେ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବିଶ୍ଵଜିତ ମହାପାତ୍ର ଅର୍ଥାତ ବିଭାଗରେ ଦୁଇ ଜଣ ଡାକ୍ତର କାର୍ଯ୍ୟରତ ଥିଲେ। ଦୁଇ ଜଣ ଡାକ୍ତର ଥିବାରୁ ଏହି ବିଭାଗ ଉପରେ ନିର୍ଭର କରୁଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଗରିବ ରୋଗୀମାନଙ୍କୁ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇବା ସମ୍ଭବ ହେଉଥିଲା।

କିନ୍ତୁ, ରାଜ୍ୟ ସରକାରଙ୍କ ଗତ ୧୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓ ଏମ୍ଇଏସ୍‌ କ୍ୟାଡର ଅନ୍ତର୍ଗତ ଡ. ବିଶ୍ଵଜିତ ମହାପାତ୍ରଙ୍କୁ ସ୍ଥାୟୀ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ଚୟନ କରାଯାଇଛି। ଖୁବ୍‌ ଶୀଘ୍ର ସେ ଭିମ୍‌ସାରରୁ ରିଲିଭ ହୋଇ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନାରେ ଯୋଗ ଦେବେ। ଡାକ୍ତର ବିଶ୍ଵଜିତ  ଭିମ୍‌ସାରରୁ ଯିବା ପରେ ଏକାକୀ ବହୁ ସଂଖ୍ୟକ ରୋଗୀମାନଙ୍କ ଚିକିତ୍ସା ସେବା ସୁବିଧାରେ ଯୋଗାଇବା ଡାକ୍ତର ସଞ୍ଜୟ ମହାପାତ୍ରଙ୍କ ପାଇଁ କଷ୍ଟକର ହୋଇଯିବ। ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଯଥାଶୀଘ୍ର ଜଣେ ନୂତନ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଡ. ସଞ୍ଜୟ ମହାପାତ୍ର ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର