ଜାତୀୟ ରାଜପଥରେ ପଲସର ଆତଙ୍କ, ଚଳନ୍ତା ଗାଡ଼ିରୁ ଦମ୍ପତିଙ୍କ ଭ୍ୟାନିଟି ଲୁଟ

ପୁରୀ: ଆଜି ରାତିରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଏକ ଦମ୍ପତିଙ୍କ ଭ୍ୟାନିଟି ଲୁଟ ହୋଇଯାଇଛି। ଚନ୍ଦନପୁର ଥାନା ଅନ୍ତର୍ଗତ ସମଯାଜପୁର ଓଭରବ୍ରିଜ ଉପରେ ଏହି ଲୁଟ ଘଟଣା ଘଟିଯାଇଛି। ପ୍ରକାଶ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ନିବାସୀ ବିରବର ପ୍ରଧାନ ତାଙ୍କ ଗାଁରୁ ପତ୍ନୀ ବିଜୟଲକ୍ଷ୍ମୀଙ୍କୁ ନେଇ ପୁରୀକୁ ଏକ ବିଭାଘର ଭୋଜିରେ ଯୋଗଦେବା ପାଇଁ ଆସୁଥିଲେ। ପ୍ରାୟ ୭ଟା ୫୦ ମିନିଟ ସମୟରେ ସେମାନେ ସମଯାଜପୁର ଓଭରବ୍ରିଜ ଉପରେ ପହଞ୍ଚିବା ବେଳକୁ ଦୁଇ ଜଣ ଦୁବୃର୍ତ୍ତ ପଲସରରେ ଆସି ବିଜୟଲକ୍ଷ୍ମୀଙ୍କ ହାତରୁ ଭ୍ୟାନିଟି ବ୍ୟାଗଟିକୁ ଛଡାଇ ନେଇ ଚମ୍ପଟ ମାରିଛନ୍ତି। ଏହି ଘଟଣାରେ ବିଜୟଲକ୍ଷ୍ମୀ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଏହିପରି ଲୁଟ ଘଟଣା ଘଟି ଦୁଇଜଣ ମହିଳା ମୃତ୍ୟୁ ବରଣ କରିସାରିଛନ୍ତି।

ସମ୍ବନ୍ଧିତ ଖବର