ସରକାରୀ ଜାଗାକୁ ନେଇ ମାଡ଼ପିଟ : ଥାନାରେ ୫ ଏତଲା

 ତହସିଲ୍‌ର ସହାୟତା ନେଲା ପୁଲିସ୍‌

ରାଜନଗର: ରାଜନଗର ବଜାର ଉପରେ ସରକାରୀ ଜାଗା ଦଖଲକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମାଡପିଟ୍‌, ଠେଲାପେଲା ଘଟଣାକୁ ନେଇ ଦିନତମାମ ବଜାର ସରଗରମ ରହିଛି। ଏହି ଘଟଣାରେ ରାଜନଗର ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ୫ଟି ଅଭିଯୋଗ ହୋଇଛି। ସରକାରୀ ଜାଗାକୁ ନେଇ ଗଣ୍ଡଗୋଳ ହୋଇଥିବାରୁ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୁଲିସ୍‌ ବିହୀତ ପଦକ୍ଷେପ ନେବାପାଇଁ ରାଜନଗର ତହସିଲଦାରଙ୍କୁ ଚିଠି ଲେଖିଛି।
ମିଳିଥିବା ସୂଚନା ଅନୁସାରେ, ରାଜନଗର ବଜାର ଉପରେ ଚିତ୍ତରଂଜନ ସ୍ୱାଇଁଙ୍କ ଘରକୁ ନିରଂଜନ ରାୟ ଭଡାନେଇ ରହିବା ସହ ସାଇକେଲ୍‌ ଦୋକାନ କରିଥିଲେ। ଦୀର୍ଘଦିନ ଧରି ଭଡାନେଇ ରହିବା ସୁଯୋଗରେ ଶ୍ରୀ ରାୟ ଘରପଛ ପଟେ ଏକ ବିଲ୍ଡିଂ ନିର୍ମାଣ କରିଥିଲେ। ଏହାକୁ ନେଇ ନିରଂଜନ ଓ ଚିତ୍ତରଂଜନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ନିରଂଜନଙ୍କୁ ଚିତ୍ତରଂଜନ ଘର ଛାଡିବା ପାଇଁ କହିବା ପରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଏହାମଧ୍ୟରେ ନିରଂଜନ ତହସିଲ କର୍ମଚାରୀଙ୍କୁ ଧରାଧରି କରି ନିଜ ନାମରେ ପାଉତି କରାଇନେଇଥିଲେ।
ଆଜି ଚିତ୍ତରଂଜନଙ୍କ ପରିବାର ସଦସ୍ୟ , ଘରର ମହିଳାଙ୍କ ସହିତ କିଛି ପଡୋଶୀ ମହିଳା ସାଇକେଲ୍‌ ଦୋକାନ ନିକଟରେ ପହଁଚି ଘର ଖାଲିକରିବାକୁ କହିଥିଲେ। ଦୋକାନରେ ଥିବା ନିରଂଜନଙ୍କ ପତ୍ନୀ ଅନ୍ନପୂର୍ଣ୍ଣାଙ୍କ ସହିତ ମହିଳା ମାନଙ୍କର ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ପରେ ଦୋକାନର କିଛି ସାମଗ୍ରୀ ମହିଳାମାନେ ଫିଙ୍ଗା ଫିଙ୍ଗି କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଠେଲାପେଲା, ଟଣାଭିଡା ଓ ମାଡପିଟ୍‌ ହୋଇଥିଲା। ଖବରପାଇ ରାଜନଗର ପୁଲିସ୍‌ ଘଟଣା ସ୍ଥଳରେ ପହଁଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିନଥିଲା। ଏହି ଘଟଣାକୁ ନେଇ ମହିଳାମାନେ ସାଇକେଲ୍‌ ଦୋକାନ ଆଗରେ ବସିରହିଥିଲେ। ଫଳରେ, ରାଜନଗର ବଜାର ଦିନ ୧୦ ଟା ରୁ ୨ଟା ଯାଏଁ ସରଗରମ ରହିଥିଲା।
ଏହି ଘଟଣାକୁ ନେଇ ଅନ୍ନପୂର୍ଣ୍ଣା ରାୟ, ବିନତୀ ସେଠୀ, ପ୍ରତୀମା ସ୍ୱାଇଁ, ରୀତୁ ସ୍ୱାଇଁ, ଛଇଳା ସେଠୀ ପ୍ରମୁଖ, ପୃଥକ ପୃଥକ ଭାବେ ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ସରକାରୀ ଜାଗାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବାରୁ ରାଜନଗର ତହସିଲଦାରଙ୍କୁ ଚିଠି ଲେଖାଯାଇଥିବା ରାଜନଗର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର କହିଛନ୍ତି।
ଏ ସଂପର୍କରେ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କୁ ପଚାରିବାରୁ ସରକାରୀ ଜାଗାକୁ ନେଇ ବିବାଦ ହୋଇଥିବାରୁ ଉଭୟ ପ୍ଲଟରେ ଥିବା ଜବର ଦଖଲକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର