ବୁର୍ଲା: ଗଣେଶ ପୂଜା ଚାନ୍ଦା ମାଗିବାକୁ କେନ୍ଦ୍ରକରି ଶନିବାର ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା କଟାପାଲି ଗାଁରେ ବ୍ୟାପକ ହଂସାକାଣ୍ଡ ଘଟିଛି। ଦୁଇ ପଡ଼ା ମଧ୍ୟରେ ଘଟିଥିବା ସଂଘର୍ଷରେ ଜନୈକ ଯୁବକ କ୍ଷୀରୋଦ ତାଣ୍ଡିଙ୍କ ଜୀବନ ଯାଇଥିବାବେଳେ ନିରଜ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ସଂଘର୍ଷ ସମୟରେ ୨ଟି ବାଇକ୍ ବି ପୋଡ଼ି ଦିଆଯାଇଛି। ହତ୍ୟାକାଣ୍ଡ ପରେ କଟାପାଲି ଗାଁ ଏବେ ପୁଲିସ ଛାଉଣିରେ ପରିଣତ ହୋଇଛି।
କଟାପାଲି ଉପରପଡ଼ା ଏବଂ ତଳିପଡ଼ାରେ ପ୍ରତି ବର୍ଷ ଗଣେଶ ପୂଜା ଧୁମ୍‌ଧାମରେ ପାଳନ କରାଯାଏ। ଶୁକ୍ରବାର ଦିନ ଉଭୟ ଗୋଷ୍ଠୀ କଟାପାଲି ନିକଟବର୍ତ୍ତୀ ଲାବଣ୍ୟ ଢାବାକୁ ଗଣେଶ ପୂଜା ଚାନ୍ଦା ମାଗିବାକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତରେ ଉଭୟ ଗୋଷ୍ଠୀ ବୁର୍ଲା ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ଅପୋସ ବୁଝାବଣା ଦ୍ୱାରା ଥାନାରେ ମାମଲା ସମାଧାନ ହୋଇଯାଇଥିଲା। ତେବେ, ଆଜି ପୁଣି ଗତକାଲିର କଥାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ତଳିପଡ଼ାର ଯୁବକମାନେ ବାହାର ଅଂଚଳର କେତେକ ଯୁବକଙ୍କୁ ନେଇ ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ଉପରପଡ଼ା ଆର୍‌ଆଇ ଅଫିସ୍ ପାଖ ପୂଜା ମଣ୍ଡପ ପାଖରେ ପହଂଚି ଥିଲେ। ସେମାନଙ୍କ ବିରୋଧରେ କାହିଁକି ଥାନାରେ ଅଭି‌ଯୋଗ କଲେ ବୋଲି ତଳିପଡ଼ାର ଯୁବକମାନନ‌େ ପ୍ରଶ୍ନ କରିଥିଲେ। ବାହାର ପିଲା ଥିବା ଦେଖି ଉପରପଡ଼ାର ଯୁବକମାନେ ରାଗି ଯାଇଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପୂଜା ମଣ୍ଡପ ନିକଟ ରଣ‌କ୍ଷେତ୍ର ପାଲଟିଥିଲା। ଉପରପଡ଼ାର ଯୁବକମାନେ ତଳିପଡ଼ାର ପିଲାଙ୍କ ସହ ଆସିଥିବା ବୈଜାମୁଣ୍ଡା ଗାଁର କ୍ଷୀରୋଦ ତାଣ୍ଡିଙ୍କୁ ପିଟି ପିଟି ହତ୍ୟା କରିଥିଲେ। କ୍ଷୀରୋଦଙ୍କ ଗାଡ଼ି ସହିତ ଅନ୍ୟ ଜଣେ ଯୁବକଙ୍କ ବାଇକ୍ ବି ସେମାନେ ପୋଡ଼ି ଦେଇଥିଲେ। ଅପରପକ୍ଷରେ ତଳିପଡ଼ାର ଯୁବକମାନଙ୍କ ଆକ୍ରମଣରେ ଉପରପଡ଼ାର ନିରଜ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭିମ୍‌ସାରରେ ଭର୍ତ୍ତି କରାଯାଇଛି। ବୁର୍ଲା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହିତ ଉଭୟ ଗୋଷ୍ଠୀର ୮ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି କଟାପାଲି ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।