ଖୋର୍ଦ୍ଧା ଗ୍ରାମାଂଚଳରେ କୋଭିଡ୍ କଟକଣା ଉଲ୍ଲଂଘନ: ଫାଇନ୍ କାଟି ପୁଲିସ୍ ନାକେଦମ 

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବା ନା’ ନେଉନାହିଁ କି ପ୍ରଶାସନର କ୍ରମାଗତ ତାଗିଦ୍ ପରେ ମଧ୍ୟ ଲୋକଙ୍କ ବ୍ୟବହାରରେ ପରିବର୍ତନ ଆସୁନାହିଁ । ସପ୍ତାହନ୍ତ ୨ ଦିନ ସଟଡାଉନ କଟକଣା ଛାଡ଼ି ଅନ୍ୟ କୌଣସି ଦିନ ଲୋକମାନେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କଟକଣା ସ୍ୱଇଚ୍ଛାରେ ମାନିବା ଦେଖିବାକୁ ମିଳୁନାହିଁ ।

ଖୋର୍ଦ୍ଧା ଗ୍ରାମାଂଚଳ ମଧ୍ୟରୁ ଖୋର୍ଦ୍ଧା ସହରରେ କରୋନା ସଂକ୍ରମଣ ସର୍ବାଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସହରରେ କୋଭିଡ୍ କଟକଣା କଡ଼ାକଡ଼ି ଲାଗୁ କରାଯାଇଛି । ରାସ୍ତାକଡ଼ର ଦୋକାନୀଙ୍କୁ ଉଠାଯାଇ ହାବେଳୀ ପଡ଼ିଆରେ ବ୍ୟବସ୍ଥିତ କରାଯାଇଛି । ବଜାର ୫୦୦ ମିଟର ମଧ୍ୟରେ ରହୁଥିବାରୁ ସହରର ଲୋକମାନଙ୍କୁ ଅଯଥା ଗାଡ଼ିମୋଟର ନଆଣି ବଜାରକୁ ଚାଲିଆସିବାକୁ ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଛି । ଚଳିତ ମାସ ୧୫ ତାରିଖ ଯାଏଁ ଥିବା ଲକଡାଉନ ଅବଧିକୁ ବଢ଼ାଯାଇ ଜୁନ୍ ୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।

ଏହା ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣା ନେଇ ବ୍ୟାପକ ଏନଫୋର୍ସମେଣ୍ଟ କରାଯାଇଛି । ଏହା ସତ୍ୱେ ମଧ୍ୟ ଲୋକମାନଙ୍କ ଠାରେ କୌଣସି ପ୍ରଭାବ ପଡ଼ିବା ଭଳି ଦେଖିବାକୁ ମିଳିନାହିଁ ।

୧୮ ଓ ୧୯ ତାରିଖରେ ପୁଲିସ ପ୍ରାୟ ୧୪୦ ଟି ଗାଡ଼ି ଠାରୁ ୨୦୦ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଥିଲା । ଅନେକଙ୍କୁ ମାସ୍କ ଓ ଅଯଥା ଗାଡ଼ି ଚଳାଇବାକୁ ତାଗିଦ୍ କରାଯାଇଥିଲା । ଶେଷରେ ଅନ୍ୟ ଉପାୟ ନପାଇ ଗତକାଲି ଖୋଦ୍ ଟାଉନ୍ ଥାନାର ନୂତନ ଆଇଆଇସି ସଂଜୟ ପଟ୍ଟନାୟକ ଓ ଅନ୍ୟ ପୁଲିସ୍ ଅଧିକାରୀଙ୍କ ସମେତ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହରରେ ଫୁଟ୍ ମାର୍ଚ କରିଥିଲେ । ଗାଡ଼ି ପାଇଁ ଜୋରିମାନା ଆଦାୟ ନକରି ଲୋକଙ୍କୁ ତାଗିଦ୍ କରିଥିଲେ । ଏହାସତ୍ୱେ ଆଜି ବଜାରରେ ଲୋକଙ୍କ ନାହିଁ ନଥିବା ଗହଳି ଦେଖିବାକୁ ମିଳିଛି । କୌଣସି ଲୋକ ସାମାଜିକ ଦୂରତା ମାନିବା ତ ଦୂରର କଥା ମୁହଁରେ ମାସ୍କ ଲଗାଇବା ଭଳି ସାଧାରଣ ନିୟମକୁ ମଧ୍ୟ ମାନୁନଥିବା ଦେଖିବାକୁ ମିଳିଛି । ହାବେଳୀ ପଡ଼ିଆ ଓ ମାରୁୱାଡ଼ି ପଟି ଠାରୁ ପୁରୁଣା ବସଷ୍ଟାଣ୍ଡ ରାସ୍ତା ଉପରେ ଶହଶହ ମୋଟରସାଇକଲ୍ ରଖି ଲୋକମାନେ ବଜାର କରିଛନ୍ତି । ଲୋକଙ୍କ ଏଭଳି ବେପରୁଆ ମନୋଭାବ ପାଇଁ ଆଜି ପୁଣି ପୁଲିସ ଷ୍ଟେଟ୍ ବ୍ୟାଙ୍କ ଛକରେ ପୁଲିସ ପ୍ରାୟ ୫୦ରୁ ଅଧିକ ଅମାନିଆ ଗାଡ଼ିଚାଳକଙ୍କ ଠାରୁ ଜୋରିମାନା ଆଦାୟ କରିଛି ।

ସମ୍ବନ୍ଧିତ ଖବର