ସ୍କୁଲ ଭିତରେ ସହପାଠୀକୁ ଛୁରି ଭୁସିଲେ ଛାତ୍ର, ଜଣେ ଗୁରୁତର

ଭଞ୍ଜନଗର : କଥାରେ ଅଛି ଖେଳ ବେଳେ ବେଳେ କାଳର କାରଣ ହୁଏ।  ଥଟ୍ଟାମଜାକୁ ନେଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଜଣେ ଛାତ୍ର ନିଜ ସହପାଠୀକୁ ଛୁରି ଭୁସିଦେଇଛି । ଫଳରେ ସହପାଠୀଜଣକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି । ଘଟଣାଟି ଘଟିଛି ଗାଙ୍ଗପୁର ଥାନା ଅଂଚଳର ବଡ଼ ବୋରସିଙ୍ଗ ଆଞ୍ଚଳିକ ସ୍କୁଲରେ।

ଆଜି ସକାଳେ ସ୍କୁଲର ପ୍ରାର୍ଥନା ପରେ ପିଲାମାନେ ନିଜ ନିଜ ଶ୍ରେଣୀ କକ୍ଷକୁ ଯାଇଥିଲେ । ତେବେ ପରସ୍ପର ସହିତ ଟାହିଟାପରାକୁ ନେଇ ଦଶମ ଶ୍ରେଣୀର ଦୁଇ ଛାତ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଜଣେ ଛାତ୍ର ଉତକ୍ଷିପ୍ତ ହୋଇ ଅନ୍ୟଜଣକୁ ଛୁରି ଭୁସିଦେଇଥିଲା । ଏଥିରେ ଉକ୍ତ ଛାତ୍ରଜଣକ ଗୁରୁତର ଆହତ ହୋଇଯାଇଥିଲା ।

ଏହି ଖବର ପାଇବା ପରେ ସ୍କୁଲର ସହକାରୀ ଶିକ୍ଷକ ସନ୍ୟାସୀ ସାହୁଙ୍କ ସହାୟତାରେ ଆହତ ଛାତ୍ରକୁ ଏକ ଅଟୋ ସାହାଯ୍ୟରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗାଙ୍ଗପୁର ପୁଲିସ ଅନ୍ୟ ଛାତ୍ର ଜଣକୁ ଅଟକ ରଖି ପଚରାଉଚୁରା କରୁଛି ।

ସମ୍ବନ୍ଧିତ ଖବର