ସଚେତନତା ଅଭାବରୁ ବଢ଼ୁଛି ସଂକ୍ରମଣ; ମୃତ୍ୟୁରେ ଅଙ୍କୁଶ ଲାଗୁନି

ଆଜି ଜିଲ୍ଲାରୁ ୧୯୬ ନୂଆ କରୋନା ପଜିଟିଭ ଚିହ୍ନଟ; କେବଳ ଜୁନ ମାସର ୨୬ ଦିନରେ ୩୨ ମୃତ

ବାରିପଦା: ସଚେତନତା ଅଭାବରୁ ମୟୂରଭଞ୍ଜରେ ଥମୁନି ସଂକ୍ରମଣ। ପୂର୍ବ ତୁଳନାରେ କରୋନା ସଂକ୍ରମଣର ହାର ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ତେବେ ବିପଦ ଟଳିଯାଇ ନାହିଁ। ଜୁନ ୧୪ରୁ ସଂକ୍ରମିତ ସଂଖ୍ୟା ୨ ଶହ ତଳକୁ ଖସି ଆସି ତନି ଅଙ୍କ ମଧ୍ୟରେ ସିମୀତ ରହିଯାଇଛି। ଜିଲ୍ଲାରେ କରୋନା ସ୍ଥିତି ଏବେ ବି ଚିନ୍ତାଜନକ ରହିଥିବା ବେଳେ କୋଭିଡ଼-୧୯କୁ ନେଇ ଅଧିକାଂଶ ଜନସାଧାରଣଙ୍କ ବେପରୁଆ ମନୋଭାବ ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବାର ସଙ୍କେତ ଦେଉଛି। ବେପରୁଆ ମନୋଭାବ, ସଚେତନତାର ଅଭାବ ସାଙ୍ଗକୁ ଜିଲ୍ଲା ପ୍ରଶାସନର କୋହଳ ଆଭିମୁଖ୍ୟ ଜିଲ୍ଲାରେ ସଂକ୍ରମଣ ହ୍ରାସ ନ ପାଇବାର ମୁଖ୍ୟ କାରଣ ପାଲଟିଛି ବୋଲି ସଚେତନ ନାଗରିକ ମାନେ ମତପୋଷଣ କରିଛନ୍ତି। ଏଥି ସହିତ ଚିକିତ୍ସାଧୀନ ଥିବା କୋଭିଡ଼ ସଂକ୍ରମିତ ମାନଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁ ନାହିଁ ଅଙ୍କୁଶ। ଚଳିତ ଜୁନରେ ମୃତ୍ୟୁ ସଂଖ୍ୟା ପ୍ରଥମ ଲହର ଠାରୁ ଉଦବେଗଜନକ ସ୍ଥିତରେ ରହିଥିବାର ପରିଲକ୍ଷିତ ହୋଇଛି। ଏହି ସମୟରେ ଜୁନ ୨୬ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୫୫୪ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଆଜି ୧୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୪,୭୯୪ରେ ପହଞ୍ଚିଛି। ସେହିପରି ଗତକାଲି ପର୍ଯ୍ୟନ୍ତ ଜିଲ୍ଲାରୁ ୯୫.୬୪ ପ୍ରତିଶତରୁ ଅଧିକ ହାରରେ ୩୩,୦୮୯ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁନ ୨୬ ଅପରାହ୍ନ ସୁଦ୍ଧା ୪.୫୩ ପ୍ରତିଶତ ହାରରେ ୧,୫୭୭ ଜଣ ସକ୍ରିୟ ଅଛନ୍ତି। ଆଜି ଜିଲ୍ଲାରେ ଜଣେ ୪୫ ବର୍ଷ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ୦.୩୬ ପ୍ରତିଶତ ହାରରେ ୧୨୫ ରେ ପହଁଞ୍ଚିଛି। ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି ସମୟରେ କେବଳ ଜୁନ ମାସର ୨୬ ଦିନରେ ଜିଲ୍ଲାରୁ ୬,୬୭୫ ଜଣ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୫ ଦିନରେ ୮,୫୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ସମ୍ବନ୍ଧିତ ଖବର