ରାଉରକେଲା: ଏଥିରେ ଦ୍ବିମତ ନାହିଁ ଯେ ଇସ୍ପାତ ସହର ଭିତରେ ସବୁଜିମା ଭର୍ତ୍ତି ରହିଛି। ତେବେ ସହରର ପାର୍ଶ୍ବବର୍ତ୍ତୀ ଅଞ୍ଚଳ‌ କଥା କିଏ ବୁଝିବ? ସେଠାରେ ଗଢ଼ିଉଠିଥିବା କଳକାରଖାନା ଯେଭଳି ପରିବେଶ ପ୍ରଦୂଷିତ କରୁଛନ୍ତି, ତା’ର ତଦାରଖ କିଏ କରିବ?

Advertisment

ଏଣୁ ସହର ଭିତରେ ଥିବା ସବୁଜିମାକୁ ଦେଖି ଆତ୍ମସନ୍ତୋଷ ଲାଭ କରିବା ସହ ଆଖାପାଖ ଅଞ୍ଚଳରେ କିଭଳି ଏକ ସୁସ୍ଥ ପରିବେଶ ଗଠନ ହୋଇପାରିବ, ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ। ସରକାର ଏ ଦିଗରେ କି ପଦକ୍ଷେପ ନେବେ, ତାକୁ ଅପେକ୍ଷା ନ କରି ନିଜନିଜ ସ୍ତରରେ ପରିବେଶ ସୁରକ୍ଷା‌ ପାଇଁ ସମସ୍ତେ ଆଗେଇ ଆସନ୍ତୁ। ଏଭଳିଭାବେ ‘ସମ୍ବାଦ’ ଆୟୋଜିତ ପରିବେଶ ପଞ୍ଚାୟତରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଉଦିତନଗରସ୍ଥ ନେତାଜୀ ସୁବାସ ଚନ୍ଦ୍ର ବୋଷ ପାର୍କରେ ଅନୁଷ୍ଠିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଲେ, ବଣଜଙ୍ଗଲରେ ପରିପୂର୍ଣ୍ଣ ରାଉରକେଲାରେ ଷାଠିଏ ଦଶକରେ ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସ୍ଥାପନ ସମୟରେ ଜର୍ମାନ୍‌ ବୈଜ୍ଞାନିକ ଓ ଯନ୍ତ୍ରୀମାନେ ପ୍ରବାହିତ ହେଉଥିବା ବାୟୁ ପ୍ରବାହର ଦିଗକୁ ଧ୍ୟାନ ଦେଇ ଇସ୍ପାତ କାରଖାନା ଓ ଇସ୍ପାତ ସହରାଞ୍ଚଳ ସ୍ଥାପନ କରିଥିଲେ। ସେତେବେଳେ ସେମାନେ ଯେଭଳି ଦୂରଦର୍ଶିତା ଦେଖାଇଥିଲେ, ଏବେ ସେଭଳି ଦୂରଦର୍ଶୀ ହେବାର ସମୟ ଉପନୀତ। ପରିବେଶକୁ ନିଜର ଭାବି ତା’ର ଯତ୍ନ ନେବା ଆବଶ୍ୟକ। 

ପରିବେଶ ସୁରକ୍ଷା ଦିନକରେ ସମ୍ଭବ ନୁହେଁ, ଏହା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ପ୍ରଥମେ ବ୍ୟକ୍ତିଗତଭାବେ ଏ ଦିଗରେ ଆଗେଇ ଆସନ୍ତୁ। ପରିବେଶର ସୁରକ୍ଷା ପାଇଁ ସମସ୍ତେ ଶପଥ ଗ୍ରହଣକରି ତଦନୁଯାୟୀ ପଦକ୍ଷେପ ନିଅନ୍ତୁ। ପୂର୍ବରୁ ସହରାଞ୍ଚଳରେ ବୃକ୍ଷରୋପଣ ନେଇ ସରକାରୀ ଯୋଜନା ନଥିଲା। ମୁଁ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଥିବା ସମୟରେ ଏ ସମସ୍ୟା ବିଷୟରେ ଅବଗତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି।

୨୦୧୦-୧୧ ଆର୍ଥିକ ବର୍ଷରେ ବନଖଣ୍ଡଅଧିକାରୀଙ୍କ ମାଧ୍ୟମରେ ସହରାଞ୍ଚଳରେ ବ୍ୟାପକ ବୃକ୍ଷରୋପଣ ପାଇଁ ସବୁଜ ସଙ୍କେତ ମିଳିଥିଲା। ସହରର ଗର୍ବ ଓ ଗୌରବ ଦୁର୍ଗାପୁର ପାହାଡ଼ ପୂର୍ବରୁ ଲଣ୍ଡା ଥିଲା। ଏବେ ଏହାର ୭୦% ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି ହୋଇସାରିଲାଣି। 

ତେବେ ଏତିକିରେ ଅଟକିନଯାଇ ଶତପ୍ରତିଶତ ସବୁଜିମା ସୃଷ୍ଟି କରିବାକୁ ହେବ। ମୁଖ୍ୟବକ୍ତା ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ କହିଲେ, ପରିବେଶ ହେଉଛି ପରମଶକ୍ତି ପରମାତ୍ମାଙ୍କ ଦ୍ବାରା ସୃଷ୍ଟ ଏକ ସମନ୍ବିତ ବ୍ୟବସ୍ଥା।

ମଣିଷ ଭଳି ପରିବେଶର ମଧ୍ୟ ଜୀବନ ଅଛି। ମଣିଷଙ୍କ ଭଳି ପରିବେଶ ମଧ୍ୟ କଷ୍ଟ ଅନୁଭବ କରିଥାଏ। ଏଣୁ ପରିବେଶକୁ ଭଲପାଇବା ସହ ତା’ର ଯତ୍ନ, ସୁରକ୍ଷା ନିତାନ୍ତ ଆବଶ୍ୟକ। ଗତିପଥରେ ପରିଚାଳିତ ହେବା ହିଁ ଧର୍ମ। ସମସ୍ତେ ଧର୍ମପଥରେ ରହିଲେ ପରିବେଶ ସନ୍ତୁଳିତ ରହିଥାଏ।

ସଂପ୍ରତି ପ୍ରକୃତିକୁ ଆମେ ଏକ ସଂପଦର ଉତ୍ସଭାବେ ବିବେଚେନା କରୁଛୁ। ବାସ୍ତବରେ ଏଭଳି ଚିନ୍ତାଧାରା ହିଁ ପରିବେଶ ପ୍ରଦୂଷଣର ଅନ୍ୟତମ କାରଣ। ବାୟୁମଣ୍ଡଳରେ ୨୧% ଅମ୍ଳଜାନ, ୦.୦୩% ଅଙ୍ଗାରକାମ୍ଳ ନରହିଲେ ଅସନ୍ତୁଳିତ ପରିବେଶ ସୃଷ୍ଟି ହେବ। 

ଏଣୁ ଏନେଇ ସଚେତନହୋଇ ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ ହେଉ। କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ରାଉରକେଲାରେ ଜଳ ପ୍ରଦୂଷଣ ଓ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କଲୁଙ୍ଗା ଶିଳ୍ପାଞ୍ଚଳରେ ପ୍ରଦୂଷଣ ମୁକାବିଲାରେ ବିଫଳତା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ସୁଦାମ ଦାଶ, ବୀରେନ ସେନାପତି, ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ, ନାଗେଶ ଜଗଦଲା, ଅଜୟ ପ୍ରଧାନ ପ୍ରମୁଖ ପ୍ରସଙ୍ଗ ଉପରେ ମତ ରଖିଥିଲେ।