କୋଇଡା ବସଷ୍ଟାଣ୍ଡରୁ ତିନିଟି ବସରେ ପଶ୍ଚିମବଙ୍ଗ ଗଲେ ୫୯ଜଣ ଶ୍ରମିକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବସଷ୍ଟାଣ୍ଡରୁ ଗତକାଲି ମଧ୍ୟରାତ୍ରରେ ତିନିଟି ବସ ଯୋଗେ ୫୯ ଜଣ ଶ୍ରମିକ ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି ।

ସୂଚନାଯୋଗ୍ୟ, ରୁଙ୍ଗଟା କମ୍ପାନିର କମଣ୍ଡ ଠାରେ ଥିବା ଷ୍ଟିଲ ପ୍ଲାଣ୍ଟରେ ୱେଷ୍ଟ ବେଙ୍ଗଲ ରାଜ୍ୟର ବାକୁଡ଼ା ଜିଲ୍ଲାରୁ ୫୯ ଜଣ ଶ୍ରମିକ ଏକ ଠିକସଂସ୍ଥା ଅଧୀନରେ ସିବିଲ କାର୍ଯ୍ୟ କରୁଥିଲେ। କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲକଡାଉନ ଚାଲିଥିବା ବେଳେ ପ୍ଲାଣ୍ଟରେ ୫୯ ଜଣ ଶ୍ରମିକ ଗୋଟିଏ ମାସ ହେବ ଫସି ରହିଥିଲେ। ଶେଷରେ ୫୯ ଶ୍ରମିକ ନିଜର ସଞ୍ଚୟ ପଇସା ସାହାଯ୍ୟରେ ତିନିଟି ବସ ଯୋଗେ ନିଜ ରାଜ୍ୟକୁ ଫେରି ପାଇଁ ସ୍ଥିର କରିଥିଲେ।

ଅନ୍ୟପକ୍ଷରେ ଯିବାର ଦୁଇଦିନ ପୂର୍ବରୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ସନତ କୁମାର ପଶୁପାଳକଙ୍କ ତତ୍ତ୍ୱାବଧାନରେ ୫୯ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବିର୍ଷାମୁଣ୍ଡା ଆଦିବାସୀ ସଂଘ ତରଫରୁ ମାସ୍କ ବିସ୍କୁଟ ଆଦି ପ୍ରଦାନ କରାଯାଇଥିଲା ।

ସବୁଠାରୁ ବଡ଼ କଥା ହେଉଛି ଶ୍ରମିକମାନେ ଯେଉଁ ଠିକସଂସ୍ଥାରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲେ ଏହି ବିପଦ ସମୟରେ ଠିକାସଂସ୍ଥା ସାହାଯ୍ୟ କରିବା ବଦଳରେ ଶ୍ରମିକମାନଙ୍କ ଦୁଇ ମାସର ବକେୟା ଦରମାକୁ ସ୍ଥଗିତ କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏପଟେ ସ୍ଥାନୀୟ ପ୍ରଶାସନର ସମସ୍ତ ସାହାଯ୍ୟ ଓ ତହସିଲଦାର ଦୁର୍ଯ୍ୟୋଧନ ଭୋଇଙ୍କ ଅଭିନବ ପ୍ରୟାସକୁ ୫୯ଜଣ ଶ୍ରମିକ ଭୁଲିବେ ନାହିଁ ବୋଲି ଛଳଛଳ ଆଖିରେ ଶ୍ରମିକ ମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର