ଭିସୁଟରେ ରାଗିଂ ଘଟଣା: ମଙ୍ଗଳବାର ବସିବ ଶୃଙ୍ଖଳା କମିଟି ବୈଠକ,୧୨ ଛାତ୍ରଙ୍କ ଘରକୁ ଗଲା ନୋଟିସ୍‌

ଅନ୍‌ଲାଇନ୍‌ ଅଭିଯୋଗକୁ ଗ୍ରହଣ କରୁନି ପୁଲିସ୍‌

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ଜଣେ ଛାତ୍ରଙ୍କୁ ରାଗିଂ ହେବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରାଥମିକ ଯାଞ୍ଚ କରି ଏଥିରେ ସମ୍ପୃକ୍ତ ୧୨ ଜଣ ଛାତ୍ରଙ୍କ ଅଭିଭାବକଙ୍କ ନିକଟକୁ ନୋଟିସ୍‌ ପଠାଇଛନ୍ତି। ଛାତ୍ର କଲ୍ୟାଣ ଡିନ୍‌ କୈଣସି ଜରୁରୀ କାର୍ଯ୍ୟରେ ବାହାରେ ଥିବାରୁ ଶୃଙ୍ଖଳା କମିଟି ବୈଠକ ହୋଇପାରିନଥିବା ଜଣାପଡ଼ିଛି। ମଙ୍ଗଳବାର ଛାତ୍ର କଲ୍ୟାଣ ଡିନ୍‌ ପହଞ୍ଚିବା ପରେ ଶୃଙ୍ଖଳା କମିଟି ବୈଠକ ହୋଇ ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ଓ ସେମାନଙ୍କ ବିରୋଧରେ କ’ଣ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ନିଷ୍ପତ୍ତି ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ, ରାଗିଂର ଶିକାର ହୋଇଥିବା ଭିସୁଟ୍‌ ପ୍ରଥମ ବର୍ଷ ସିଭିଲ ଇଞ୍ଜିନିୟରିଂ ଛାତ୍ର ରଶ୍ମୀରଞ୍ଜନ ଛାଟୋଇ ଅନ୍‌ଲାଇନ୍‌ ମାଧ୍ୟମରେ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ଅଭିଯୋଗ ପରେ ବି ବୁର୍ଲା ପୁଲିସ୍‌ ଏହି ଘଟଣାରେ କୈଣସି ମାମଲା ରୁଜୁ କରିନାହିଁ। ସେପଟେ, ବୁର୍ଲା ଥାନା ଅଧିକାରୀ ବି.ବି.ଭୋଇ ଏହି ଘଟଣାରେ ସେଭଳି କୈଣସି ଅଭିଯୋଗ ହସ୍ତଗତ ହୋଇନଥିବା କହିଛନ୍ତି।

ପୀଡ଼ିତ ଛାତ୍ର ଜଣଙ୍କ ବୁର୍ଲା ପୁଲିସ୍‌ରେ ଦେଇଥିବା ଅଭିଯୋଗ ଅନୁସାରେ ଗତ ବୁଧବାର ଦିନ ୨ଟା ସମୟରେ ସେ କ୍ଲାସ୍‌ ସାରି ପୁଲସ୍ତ୍ୟ ଛାତ୍ରାବାସକୁ ଫେରୁଥିଲେ। ଏହି ସମୟରେ ‘କାହିଁକି ଫର୍ମାଲ ପିନ୍ଧୁ ନାହୁଁ’ ବୋଲି କହି ୨୦ରୁ ୨୫ ଜଣ ଛାତ୍ର ତାଙ୍କୁ ଗୋଡ଼ାଇବା ସହ ଧସ୍ତାଧସ୍ତି କରିଥିଲେ। କେବଳ ସେତିକି ନୁହେଁ ବରଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମୁଥ ଓ ଗୋଇଠା ମାଡ଼ କରିଥିଲେ। ଘଟଣାସ୍ଥଳରୁ କୈଣସି ମତେ ସେ ଖସି ଚାଲିଯାଇଥିବା ସମୟରେ ଠିକଣା ସମୟରେ ୱାର୍ଡେନ୍‌ ଆସିଯିବାରୁ ଆକ୍ରମଣକାରୀ ଛାତ୍ରମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ।

ଉପରୋକ୍ତ ଘଟଣା ପରେ ଭୟଭୀତ ହୋଇଯାଇଥିବା ରଶ୍ମୀ ଏକାଧିକ ଅଡ଼ିଓ ଓ ଭିଡ଼ିଓ ଜାରି କରି ସମସ୍ତ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। କିଭଳି ଭାବେ ଦଳବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରାଯାଇଥିଲା ତାହା ସେ ବଣ୍ଣର୍ନା କରିବା ସହ ଚିହ୍ନିଥିବା ୭ରୁ ୮ଟି ନାମ ମଧ୍ୟ ଭିଡିଓରେ ପ୍ରକାଶ କରିଥିଲେ। ସେପଟେ, ଏହି ଘଟଣା ପରେ କୁଳପତି ପ୍ରଫେସର ଅଟଳ ଚେଧୁରୀ ଓ କିଛି ପ୍ରଫେସର ପୁଲସ୍ତ୍ୟ ଛାତ୍ରାବାସରେ ପହଞ୍ଚି ଆପୋଷ ଆଲୋଚନା ମାଧ୍ୟମରେ ମାମଲା ସମାଧାନ କରିବାକୁ ଚେଷ୍ଟା କରିଥିଲେ।

ତେବେ ବାରମ୍ବାର ଭିସୁଟରେ ଗୋଟିଏ ପରେ ଗୋଟିଏ ରାଗିଂ ଘଟଣା ବିଶ୍ୱବିଦ୍ୟାଳୟର ଛବିକୁ ଖରାପ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ଶୁକ୍ରବାର ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟମାନେ ମଧ୍ୟ ଭିସୁଟ କୁଳପତି ପ୍ରଫେସର ଚେଧୁରୀଙ୍କୁ ଭେଟି ଏହି ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର