ଖୋର୍ଦ୍ଧା: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଖୋର୍ଦ୍ଧା ବ୍ଲକର ଜଣେ ଯୁବକ ଆହତ ହୋଇଥିବା ଜଣାଯାଇଛି । ସେ ବର୍ତମାନ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଦୁର୍ଘଟଣାରେ ଶିକାର ହୋଇଥିବା ଖୋର୍ଦ୍ଧା ବଙ୍ଗିଦା ପଂଚାୟତର ମଙ୍ଗଳପୁରର ବିଶ୍ୱଜିତଙ୍କ ବାପା ରମେଶ ଚନ୍ଦ୍ର ରାୟଙ୍କ ସୂଚନାନୁସାରେ, ବିଶ୍ୱଜିତ ରାୟ (୨୭) ବାଲେଶ୍ୱରରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କୌଣସି ଏକ କାମ ପାଇଁ ଯାଇଥିଲେ । ଜୁନ୍ ୨ ତାରିଖ ଦୁର୍ଘଟଣା ଦିନ ସେ ବାଲେଶ୍ୱର ଷ୍ଟେସନରୁ ସଂଧ୍ୟା ୫ଟାରେ ସାଧାରଣ ବଗି ପାଇଁ ଟିକଟ କାଟି କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ । ଟ୍ରେନ୍ଟି ବାହନଗା ବଜାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ପ୍ରାୟ ଦେଢ଼ ଘଂଟା ପରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ୍ କଲେଜ ହସ୍ପିଟାଲ୍ ଅଣାଯାଇଥିଲା । ତାଙ୍କର ଡାହଣ ଗୋଡ଼ ଟି ଭାଙ୍ଗିଯାଇଥିବା ବେଳେ ଆଜି ଅସ୍ତ୍ରୋପଚାର କରାଯାଇଛି । ଆହତ ହୋଇଥିବା ବିଶ୍ୱଜିତ କହିଛନ୍ତି ଯେ ରେଳ ବିଭାଗ କର୍ମଚାରୀମାନେ ଆସି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ଓ ତାଙ୍କ ବୟାନ ରେକର୍ଡ କରିଛନ୍ତି । ସେ ଯେଉଁ ବଗିରେ ବସିଥିଲେ ଦୁର୍ଘଟଣା ଘଟିବା ପରେ ଛିଟିକି ଯାଇ ଯଶବନ୍ତପୁର-ହାୱଡ଼ା ସୁପରଫାଷ୍ଟର ବଗି ସହ ଧକ୍କା ହୋଇଥିଲା । ଏହାପରେ ସେ ଏକପ୍ରକାର ଅଚେତନ ଅବସ୍ଥାକୁ ଚାଲିଯାଇଥିଲେ । କେବଳ କାନକୁ ଚିକ୍ରାର ଓ କ୍ରନ୍ଦନ କେବଳ ଶୁଣାଯାଉଥିଲା ।