ସାଧାରଣ ଚାଉଳରେ ଭିଟାମିନଯୁକ୍ତ ଚାଉଳ ମିଶ୍ରଣ କରାଯାଉଛି: ଯୋଗାଣ ବିଭାଗ

ମାଲକାନଗିରି: ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରେ ଲୋକେ ଏବେ ପିଡିଏସ୍‌ ଚାଉଳରେ ପ୍ଲାଷ୍ଟିକ ଚାଉଳ ମିଶିଥିବା ନେଇ ସଂଦେହ କରି ଗୁଜବ କରାଯାଉଛି, ଯାହାକି ଯୋଗାଣ ବିଭାଗ ଖଣ୍ଡନ କରିଛି। ପ୍ରତି କିଲୋ ସାଧାରଣ ଚାଉଳରେ ୧୦ ଗ୍ରାମ ଭିଟାମିନଯୁକ୍ତ ଚାଉଳ ମିଶ୍ରଣ କରାଯାଉଛି। ସେହିପରି ଏକ କ୍ୱିଣ୍ଟାଲ ଚାଉଳରେ ଏକ କିଲୋ ଭିଟାମିନଯୁକ୍ତ ଚାଉଳ ମିଶାଯାଉଛି।

ତେବେ ସାଧାରଣ ଚାଉଳ ଠାରୁ ଏହା ଟିକେ ଭିନ୍ନ ଥିବାରୁ ଆଦିବାସୀ ଗ୍ରାମଗୁଡିକରେ ଲୋକେ ଏହାକୁ ପ୍ଲାଷ୍ଟିକ ଚାଉଳ ବୋଲି କହୁଛନ୍ତି। ଜିଲ୍ଲାରେ ଏବେ ଏହି ଖବର ଚାରିଆଡେ ପ୍ରଚାର ହେବା ପରେ ଯୋଗାଣ ବିଭାଗ ଏହାର ସ୍ପଷ୍ଟୀକରଣ ଦେଇଛି। ପିଡିଏସ ଚାଉଳରେ ପ୍ଲାଷ୍ଟିକ ଚାଉଳ ମିଶ୍ରଣ ସଂପୂର୍ଣ୍ଣ ମିଥ୍ୟା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନ ଚାଉଳ ମିଶିଥିବାରୁ ଲୋକେ ଏହାକୁ ଅଲଗା ଭାବି ପ୍ଲାଷ୍ଟିକ କହୁଥିବା ସ୍ପଷ୍ଟ କରିଛନ୍ତି। ତେଣୁ ଏଥିରେ ଭୟ କରିବାର ନାହିଁ। ଯେଉଁ ଚାଉଳ ସେମାନେ ସାଧାରଣ ଚାଉଳରୁ ଅଲଗା କରି ରଖୁଛନ୍ତି ତାହା ଭିଟାମିନ ଚାଉଳ। ଏହାକୁ ଅଲଗା କରି ଫୋପାଡନ୍ତୁ ନାହିଁ ବୋଲି କୁହାଯାଇଛି। ଯେଉଁ ଗୁଜବ ଏବେ ଜିଲ୍ଲାରେ ବ୍ୟାପିଛି ତାହାକୁ ଗ୍ରହଣ କରନ୍ତୁ ନାହିଁ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପ୍ରକାଶ କରିଛନ୍ତି।

ମାଲକାନଗିରି ଜିଲ୍ଲାର କାଲିମେଳା, ମାଥିଲି, ପଡ଼ିଆ ଭଳି ଅଂଚଳରେ ଏହି ଗୁଜବ ପ୍ରଚୁର ଚାଲିଛି। ତେବେ ଲୋକେ ଭୟଭୀତ ନହୋଇ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି। ମାଲକାନଗିରି ଜିଲ୍ଲାରେ ପ୍ରଥମ କରି ଏହି ଭିଟାମିନଯୁକ୍ତ ଚାଉଳ ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କୁ ବଣ୍ଟନ ଆରମ୍ଭ କରିଥିଲେ। ତେବେ ଲୋକେ ଏହାକୁ ବୁଝି ନପାରି ସାଧାରଣ ବଣ୍ଟନ ଚାଉଳରେ ପ୍ଲାଷ୍ଟିକ ଚାଉଳ ମିଶ୍ରିତ ହୋଇଥିବା ନେଇ ଭ୍ରମିତ ହେଉଥିବା ଦେଖିବାକୁ ମିଳିଛି। ତେବେ ବିଭାଗ ପକ୍ଷରୁ ଏନେଇ ଦୁର୍ଗମ ଅଂଚଳଗୁଡିକରେ ଲୋକଙ୍କୁ ସଚେତନ କରାଗଲେ ଏହା ଦୂର ହୋଇପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର