ବିବେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଶଂସା: ରାସ୍ତାରୁ ପାଇଥିବା ୨୨ ହଜାର ଫେରାଇ ଥିଲେ, ସମ୍ମାନିତ କଲେ ଏସ୍‌ପି

ସୁନ୍ଦରଗଡ଼: କରୋନା ମହାମାରୀ ସମୟର ଅଭାବରେ ବି ଲୋଭ ନକରି ହେମଗିର ବ୍ଲକ୍‌ କନ୍ଦାଧୁଡ଼ା ଗାଁର ବିବେକ ମଲ୍ଲିକ (୨୦) ରାସ୍ତାରୁ ପାଇଥିବା ୨୨ ହଜାର ଟଙ୍କା ଫେରାଇଥିବା ଖବର ଗତ ୧୬ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଚର୍ଚ୍ଚାକୁ ଆସିଥିଲେ। ବିବେକଙ୍କ ବିବେକକୁ ଲୋକେ ସାଧୁବାଦ ଜଣାଇଥିଲେ। ଆଜି ବିବେକଙ୍କ ଏପରି ନିର୍ଲୋଭପଣିଆକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଶଂସା କରାଯାଇଛି। ଏହା ସହ ରାଜ୍ୟ ପୁଲିସ ମୁଖ୍ୟ ମଧ୍ୟ ବିବେକଙ୍କ ମାନବିକତାକୁ ପ୍ରଶଂସା କରି ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ କହି ସମ୍ମାନ ଜଣାଇଛନ୍ତି। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ତାଙ୍କ ଅଫିସରେ ଆଜି ବିବେକଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି।

ପ୍ରକାଶଯୋଗ୍ୟ, ଯୁକ୍ତ ଦୁଇ ଛାତ୍ର ତଥା ଟପରିଆ କନ୍ଦାଧୁଡ଼ାର ବିବେକ ନିଜ ଅଭାବୀ ପରିବାରର ଘର ଖର୍ଚ୍ଚ ଓ ପଢା ଖର୍ଚ୍ଚ ତୁଲାଇବା ପାଇଁ ଲୁଆବାହାଲ ରାନି ସପିଂ କପଡ଼ା ଦୋକନରେ ସହାୟକ ଭାବେ କାମ କରନ୍ତି। ଗତ ୧୪ ତାରିଖ ସକାଳ ୮ଟାରେ ସେ ଦୋକାନରେ ଝାଡ଼ୁ ମାରି ଅଳିଆ ନେଇ ରାସ୍ତା କଡ଼ରେ ପକାଇବା ସୟମରେ ଅଳିଆ ଗଦା ପାଖରେ ଟଙ୍କା ବିଡ଼ା ପଡ଼ିଥିବା ଦେଖି ଉଠାଇ ଆଣିଲେ। ଗଣିଲା ପରେ ସେଥିରେ ୨୨ ହଜାର ଟଙ୍କା ଥିବା ଜାଣି ଟଙ୍କାର ମାଲିକଙ୍କୁ ଖୋଜିବାକୁ ପ୍ରୟାସ କଲେ। ଏପରି ଦୁଃସମୟରେ ଯାହାର ଏତେ ଟଙ୍କା ହଜିଛି ତାଙ୍କ ଅବସ୍ଥା କ’ଣ ହେଉ ନଥିବ ଭାବି ସେ ଏକ ପ୍ରକାର ବିଚଳିତ ହୋଇ ପଡ଼ିଲେ। କିଛି ସମୟ ଅପେକ୍ଷା କରିବା ପରେ ଜଣେ ବ୍ୟକ୍ତି ସେଠାକୁ ଧାଇଁସଇଁ ହୋଇ ଆସି ଏଣେତେଣେ ନିରୀକ୍ଷଣ କରୁଥିବା ବିବେକଙ୍କ ନଜରକୁ ଆସିଥିଲା। ତାଙ୍କର ବିବ୍ରତ ଅବସ୍ଥା ଦେଖି ବିବେକ ସହଜରେ ଅନୁମାନ କରିନେଲେ ଯେ ଟଙ୍କାଟି ନିଶ୍ଚୟ ଏ ଲୋକର। ତାଙ୍କୁ ପାଖକୁ ଡାକି ସବୁ ପଚାରି ନିଶ୍ଚିତ ହେବା ପରେ ସବୁତକ ଟଙ୍କା ସେ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ।

ମାତ୍ର ଅଳ୍ପ ସମୟ ମଧ୍ୟରେ ହଜିଲା ଧନ ଫେରିପାଇବାରୁ ବ୍ୟକ୍ତି ଜଣକ ଖୁସିରେ କାନ୍ଦି ପକାଇ ବିବେକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଅଭାବ ସତ୍ତ୍ୱେ ବିବେକ ଦେଖାଇଥିବା ଏପରି ନିର୍ଲୋଭପଣିଆ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ମୁଖ୍ୟମନ୍ତ୍ରୀ ଓ ପୁଲିସ ମୁଖ୍ୟଙ୍କ ପ୍ରଶଂସା ପରେ କନ୍ଦାଧୁଡ଼ା ପରି ଏକ ନିପଟ ମଫସଲ ଗାଁର ପୁଅ ବିବେକ ଜଣେ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି।

ସମ୍ବନ୍ଧିତ ଖବର