ଲରମ୍ଭା/ପାଟଣାଗଡ଼: ପାଟଣାଗଡ଼ ନିର୍ବାଚନମଣ୍ତଳୀର ପୂର୍ବ ବିଧାୟକ ବିବେକାନନ୍ଦ ମେହେର (୭୮ବର୍ଷ)ଙ୍କ ରବିବାର ପରଲୋକ ହୋଇଯାଇଛି। ସେ ଗତ ୨ବର୍ଷ ହେଲା ଯକୃତଜନିତ ରୋଗରେ ପୀଡ଼ିତଥିଲେ। ଅଧିକାଂଶ ସମୟରେ ତାଙ୍କର ଡାଏଲିସିସ କରାଯାଉଥିଲା। ଶନିବାର ରାତିରେ ଅଧିକ ଅସୁସ୍ଥ ହେବାରୁ ତାଙ୍କ ବଡ଼ପୁଅ ମନୋଜ ମେହେର ତାଙ୍କୁ ଚିକିତ୍ସା ପାଇଁ କଟକ ନେଉଥିଲେ। ବାଟରେ ବୌଦ୍ଧ ଜିଲ୍ଲା ଚାରିଛକଠାରେ ରାତି ୨ଟା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା।
ରବିବାର ଦିନ ୧୦ଟା ସମୟରେ ପାଟଣାଗଡ଼ ହନୁମାନ ମନ୍ଦିରରେ ନିକଟ ସୁବର୍ଣ୍ଣରେଖା ନଦୀ ତଟ ସ୍ବର୍ଗଦ୍ବାରଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ ମନୋଜ ମୁଖାଗ୍ନି ଦେଇଥିଲେ। ମଝିଆପୁଅ ବିନୟ, ସାନପୁଅ ରାଜେଶ, ପୁତୁରା ଶ୍ରୀକାନ୍ତ, ଆତିଶ ମେହେର ସମେତ ସମ୍ପର୍କୀୟ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।
କରୋନା କଟକଣା ଯୋଗୁଁ ତାଙ୍କ ୩ ଝିଅ ରାଜ୍ୟ ବାହାରେ ରହୁଥିବାରୁ ଆସି ପାରି ନଥିଲେ। ସ୍ବର୍ଗତ ମେହେର ଜଣେ ଟାଣୁଆ ନେତା ଭାବେ ଅଚଂଳରେ ବେଶ୍ ପରିଚିତ ଥିଲେ। ସେ ପାଟଣାଗଡ଼ ନିର୍ବାଚନମଣ୍ତଳୀରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସେତେବେଳେ ତାଙ୍କୁ ଡେପୁଟି ଚିଫ୍ ହ୍ବିପ୍ ଦାୟିତ୍ବ ମିଳିଥିଲା। ୧୯୮୧ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଜନତା ଦଳର ବଲାଙ୍ଗୀର ଜିଲ୍ଲା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୦ ମସିହାରେ ଜନତା ଦଳ ଟିକଟରେ ପୁଣିଥରେ ନିର୍ବାଚନରେ ବିଜୟୀ ହୋଇ ୧୯୯୫ ମସିହା ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ତାଙ୍କ ବିୟୋଗ ପାଟଣାଗଡ଼ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/26b8614b-6230-4386-be88-97e5c642089f.jpg)