ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ  କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ୫୨ ତମ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡା ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ। ଏହାକୁ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏହାକୁ ଉଦଘାଟନ କରିଥିବା ବେଳେ ପ୍ରାଧ୍ୟାପକ ସାତ୍ୟକି ସାହୁ, ପ୍ରାଧ୍ୟାପିକା ଆରତିବାଳା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସଭାପତି ଆମାଶ ପାଟ୍ଟମାଝୀ ସ୍ଵାଗତ ଭାଷଣ ଦେଇଥିଲେ। ବିଶ୍ବବିଦ୍ୟାଳୟ ଖେଳ ପ୍ରଶିକ୍ଷକ ରାଜେଶ ମହାନ୍ତି, ରେଫରୀ ସଚ୍ଚିଦାନନ୍ଦ ଦାସ, ବିକାଶ ସିଂହ, ରଶ୍ମିରଞ୍ଜନ ତ୍ରିପାଠୀ, ମୋଚିରାମ ରଣସିଂହ, ସୁବାସ ଗୌଡ, ପି. ଆନନ୍ଦ ରାଓ, ପି. ରମେଶ, ପ୍ରବିଣ କୁମାର ଖାଡ଼ଙ୍ଗା, ମାନସ କୁମାର ପ୍ରହରାଜ ପ୍ରମୁଖ ଆଜିର ୪ଟି ମ୍ୟାଚକୁ ପରିଚାଳନା କରିଥିଲେ। ପ୍ରଥମ ମ୍ୟାଚ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ସହ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା।

Advertisment

ଏଥିରେ ଫୁଲବାଣୀ ୨-୦ ସେଟରେ ବିଜୟ ହୋଇ ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଥିଲା। ଦ୍ଵିତୀୟ ମ୍ୟାଚ ସିଟି କଲେଜ ବ୍ରହ୍ମପୁର ଓ ଇନ୍ଦିରା ସ୍ମାରକୀ କଲେଜ ଚାନ୍ଦିପୁଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଚାନ୍ଦିପୁଟ ବିଜୟ ହୋଇଥିଲା।  ତୃତୀୟ ମ୍ୟାଚ ଆରଏନ କଲେଜ ଦୁରା ଓ ଫୁଲବାଣୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁରା କଲେଜ ବିଜୟ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଚତୁର୍ଥ ମ୍ୟାଚ ସିଟି କଲେଜ ବ୍ରହ୍ମପୁର ଓ କେଏସୟୁବି କଲେଜ ଭଞ୍ଜନଗର ମଧ୍ୟରେ ହୋଇଥିଲା। ଏଥିରେ ସିଟି କଲେଜ ବିଜୟ ହୋଇ ସେମିଫାଇନାଲ୍କୁ ପ୍ରବେଶ କରିଛି। ରବିବାର ଅପରାହ୍ନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏଥିରେ ରାଜଶ୍ରୀ ନାୟକ, ରାଜଲକ୍ଷ୍ମୀ ରଥ, ମନ୍ଦାକିନି ପଣ୍ଡାଙ୍କ ସମତେ କଲେଜ କର୍ମଚାରୀ ମାନେ ସହଯୋଗ କରିଥିଲେ।