ଆଦିବାସୀ ଇଲାକାରେ ଅପହଞ୍ଚ ଅନଲାଇନ୍ ଶିକ୍ଷା: ମୁକ୍ତାକାଶ ସ୍କୁଲରେ ଶିକ୍ଷକ ସାଜିଲେ ସ୍ବେଛାସେବୀ ଯୁବକ

ରାୟଗଡ଼ା: କରୋନା ପାଇଁ ବର୍ଷେ ହେଲା ପାଠରେ ଡୋରି ବାନ୍ଧିଛନ୍ତି ଛାତ୍ରଛାତ୍ରୀ। ଆଦିବାସୀ ଅଧ୍ୟୁଷିତ ମାଓ ପ୍ରଭାବିତ ରାୟଗଡ଼ା ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ନଥିବାରୁ ଅପହଞ୍ଚ ପାଲଟିଛି ଅନଲାଇନ୍ ଶିକ୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲୁନଥିବାରୁ ଆଦିବାସୀ ଅଞ୍ଚଳର ପିଲାଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ପୁଲିସ୍ ଅଧିକାରୀ। ଗାଁର ଖୋଲା ଆକାଶ ତଳେ ମୁକ୍ତାକାଶ ସ୍କୁଲ ଖୋଲି ସ୍ବେଚ୍ଛାସେବୀ ଯୁବକଙ୍କ ସାହାଯ୍ୟରେ ଜାରି ରଖିଛନ୍ତି ଶିକ୍ଷାଦାନ।

ଗୁଣପୁର ଥାନାର ପୁଲିସ୍ ଏସଆଇ ସୁଶାନ୍ତ କୁମାର ବେହେରାଙ୍କ ଉଦ୍ୟମରେ ଗୁଣପୁର ବ୍ଲକର ରେଗେଡା ପଞ୍ଚାୟତ ଲବାଗୁଡ଼ାରେ ଚାଲିଥିବା ମୁକ୍ତାକାଶ ବିଦ୍ୟାଳୟକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରତ୍ୟେହ ସକାଳୁ ସଂଧ୍ୟାରେ ଗାଁ ଦାଣ୍ଡରେ ପଡୁଛି ପାଲ। ସାମନାରେ ରଖାଯାଉଛି କଳାପଟା। ବର୍ଣ୍ଣମାଳାଠୁ ଆରମ୍ଭ ପଣକିଆ, ସାହିତ୍ୟ, ଗଣିତ ସହ ଅନ୍ୟାନ୍ୟ ବିଷୟ ପାଇଁ ଦିଆଯାଉଛି ଶିକ୍ଷାଦାନ। ବର୍ଣ୍ଣମାଳା ଉଚ୍ଚାରଣ ସହ ପିଲାଙ୍କ ପଣକିଆ ଡାକରେ କମ୍ପୁଛି ଗାଁ ଦାଣ୍ଡ। ଯାହା ଗାଁରେ ଶିକ୍ଷା ପ୍ରତି ଉତ୍ତମ ବାତାବରଣ ସୃଷ୍ଟି କରିଛି। ଗାଁର ପାଖାପାଖି ୬୦ରୁ ଉର୍ଧ୍ବ ପିଲା ମୁକ୍ତାକାଶ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଶିକ୍ଷାଦାନ କରୁଛନ୍ତି ଗୁଣପୁରର ସ୍ବେଚ୍ଛାସେବୀ ଯୁବକମାନେ।

ଗତ ମାସକ ତଳେ ଗୁଣପୁର ପୁଲିସ୍ ପକ୍ଷରୁ ଲବାଗୁଡ଼ା ଗାଁରେ ଆମ ପୁଲିସ୍ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁଲିସ୍ ଏସଆଇ ସୁଶାନ୍ତ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଗାଁରେ ପିଲାମାନେ ଖେଳାଖେଳି କରୁଥିବା ଦେଖିଥିଲେ। କିଛି ପିଲାଙ୍କ ସହ ଆଲୋଚନା ପରେ ପଢ଼ା ପ୍ରତି ଅଧିକାଂଶ ପିଲାଙ୍କ ଆଗ୍ରହ ଥିବା ଜାଣି ଗୁଣପୁର କଲେଜରୁ ପାସ୍ ଆଉଟ୍ କରିଥିବା କିଛି ଶିକ୍ଷିତ ଯୁବକଙ୍କୁ ଲବାଗୁଡା ଗାଁକୁ ଯାଇ ଶିକ୍ଷାଦାନ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ।

ଶିବ ଶ୍ରୀରାମଙ୍କ ସମେତ କିଛି ଶିକ୍ଷିତ ଯୁବକ ଏକାଠି ହୋଇ ପାଳି କରି ଲବାଗୁଡା ଗାଁକୁ ଯାଇ ସକାଳେ ୨ ଘଣ୍ଟା ଏବଂ ସଂଧ୍ୟାରେ ୨ ଘଣ୍ଟା ପାଠ ପଢ଼ାଉଛନ୍ତି। ଶିକ୍ଷିତ ଯୁବଗୋଷ୍ଠୀ ସ୍ବେଚ୍ଛାକୃତ ଭାବେ ଶିକ୍ଷାଦାନ କରୁଥିବା ବେଳେ ପୁଲିସ୍ ଅଧିକାରୀଙ୍କ ଉଦ୍ୟମ ବଳରେ ମୁକ୍ତାକାଶ ବିଦ୍ୟାଳୟ ପିଲାଙ୍କୁ ପାଠ୍ୟ ଉପକରଣ ସହ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ପୂର୍ବ ଦିନର ପାଠ ସଂପର୍କରେ ଥିବା ସନ୍ଦେହ ପରଦିନ ଶିକ୍ଷକଙ୍କୁ ପିଲାମାନେ ପଚାରୁ ଥିବାରୁ ଖୁବ୍ କମ ଦିନରେ ଖେଳ ଛାଡ଼ି ପଢ଼ା ମନସ୍କ ହୋଇଥିବା ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର