ସିଟି ବସ ପରି ଖତ ଖାଇବ କି ୩ କୋଟିର ଭଲ୍‌ବୋ ସରକାରୀ ବସ୍?

ଜୟପୁର: ଗତ ୪ମାସ ତଳେ ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ପକ୍ଷରୁ ଜୟପୁର ଜୋନକୁ ୨ଟି ଭଲ୍‌ବ‌ୋ ଓ ୭ଟି ହାଇଟେକ୍ ନୂଆ ବସ ଚଳାଚଳ କରିବା ପାଇଁ ଦେଇଥିଲେ। ସେଭଳି ବିଜୟନଗରମ୍ ଜୋନକୁ ୧୨ଟି ହାଇଟେକ୍ ବସ ମିଳିଥିଲା। ନୂଆ ବସରେ ଯାତ୍ରୀମାନେ ଭଲ ଭାବେ ଯାଇ ପାରିବେ ଏବଂ ୧୫ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ପୁରୁଣା ବସକୁ ବାହାର କରି ନୂଆ ବସ ପକାଇବା ଯୋଜନା କରିଥିଲା ଓଏସଆରଟିସି। ଏହାସହ କିଛି ନୂଆନୂଆ ରୁଟରେ ବସ ବି ପକାଇବା ଯୋଜନା ରହିଥିଲା। ଗତ ୪ ମାସ ହେବ ୨ଟି ନୂଆ ଭଲ୍‌ବୋ ବସ ନିର୍ମାଣାଧୀନ ଥିବା ଓଏସଆରଟିସି ବସଷ୍ଟାଣ୍ଡ ପରିସରରେ ସେଭଳି ପଡ଼ି ରହିଛି। ସେଭଳି ସରକାର ଜିଲ୍ଲା ପାଇଁ ୨୦ଟି ସିଟି ବସ ଦେଇଥିଲେ। ଅଳ୍ପ କିଛିଦିନ ବୁଲିବା ପରେ ତାହା ସଂପ୍ରତି ଜୀବନବୀମା କାର୍ଯ୍ୟାଳୟ ପାର୍ଶ୍ବରେ ଖତ ଖାଉଛି। ଏହି ସିଟ୍ ବସ ଭଳି ଏହି ଦୁଇଟି ୩କୋଟି ଟଙ୍କାର ଭଲ୍‌ବୋ ବସ ବି ଖତ ଖାଇବକି ବୋଲି ପ୍ରଶ୍ନ କରିଛନ୍ତି ଓଏସଆରଟିସି କର୍ମଚାରୀ ସଂଘର ସଭାପତି ବାଲା ରାୟ, ସମାଜସେବୀ ବସନ୍ତ ପାତ୍ର, ମାନବାଧିକାର କର୍ମୀ ଅନୁପ ପାତ୍ର, ଆଇନଜୀବୀ ରବିନ୍ଦ୍ର ପାତ୍ର। ନିର୍ମାଣାଧୀନ ବସଷ୍ଟାଣ୍ଡ ପରିସରରେ ଏହି ଦୁଇ ମୂଲ୍ୟବାନ ବସ ରହୁଥିବା ବେଳେ ଏହାର ସୁରକ୍ଷା ପାଇଁ କେହି ନାହାଁନ୍ତି।

ଏତେ ଟଙ୍କା ନିଗମ ଖର୍ଚ୍ଚ କରି କିଣିଥିବା ବେଳେ ତୁରନ୍ତ ବସ ଗୁଡିକ ନ ଚାଳିବା ପରେ ନିଗମ ପାଇଁ ଏହା କ୍ଷତି। ଜୟପୁର ଜୋନକୁ ମିଳିଥିବା ୯ଟି ବସରୁ ୨ଟି ଭଲ୍‌ବୋ ବସ ଓ ବିଜୟନଗରମ ଜୋନର ୧୨ଟି ବସରୁ ୨ଟି ହାଇକମ୍ ବସ କେଉଁ ରୁଟରେ ଚାଳିବ ତାହା ମୁଖ୍ୟାଳୟ ନିଷ୍ପତି ନେବ ବୋଲି କହିଛନ୍ତି ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ। ତେବେ ଏହି ୪ଟି ଗାଡ଼ିର ରୁଟ ପରମିଟ୍ ଆସି ପାରି ନଥିବାରୁ ଏହା ଚାଳୁନି ବୋଲି କହିଛନ୍ତି ଡିଟିଏମ୍ । ରାଜ୍ୟର ୧୦୦ଟି ନୂଆ ବସ ପାଇଁ ନୂଆ ରୁଟର ପରମିଟ୍ ଆବେଦନ କରାଯାଇଛି ତାହା ଆସନ୍ତା ନଭେମ୍ବର ୧୧ତାରିଖ ଦିନ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଶୁଣାଣୀ ହେଲେ ପରମିଟ୍ ମିଳିବ ବୋଲି କହିଛନ୍ତି ଓଏସଆରଟିସିର ଜିଏମ୍ ବ୍ରଜ ଆଚାର୍ଯ୍ୟ।

ସମ୍ବନ୍ଧିତ ଖବର