ବିଧାୟକ ଅଣଦେଖା କରୁଥିବା ଅଭିଯୋଗ ଆଣିଲେ ପଞ୍ଚାୟତବାସୀ, ଭୋଟ ବର୍ଜନ ଧମକ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର କୌଣସି ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ କରାଯାଉନଥିବା ଏବଂ କୋରାପୁଟ ବିଧାୟକ ମାଠପଡା ପଞ୍ଚାୟତ ପ୍ରତି ଅଣଦେଖା କରୁଥିବା ନେଇ ଅଭିଯୋଗ ଆଣିବା ସହ ଆଗାମୀ ସାଧାରଣ ନିର୍ବାଚନରେ ପଞ୍ଚାୟତବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମାଠପଡା ପଞ୍ଚାୟତର ବିଜେଡ଼ି ସଭାପତି ରାମଚନ୍ଦ୍ର ନାୟକଙ୍କ ନେତୃତ୍ବରେ ୫ ଶହରୁ ଊର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ କୋରାପୁଟ ବିଧାୟକ ରଘୁରାମ ପାଡାଲଙ୍କ ବୈମାତୃକ ମନୋଭାବର କଡ଼ା ସମାଲୋଚନା କରିଥିଲେ।

ଶ୍ରୀ ପାଡାଲ ଗତ ୨୦୧୦ ରୁ ୨୦୧୪ ମସିହା ଯାଏ ବିଧାୟକ ରହିଥିବା ବେଳେ ତାଙ୍କର ଏହି ଅଞ୍ଚଳକୁ ପ୍ରଥମ ଗସ୍ତ କାଳରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପଞ୍ଚାୟତର ତେନ୍ତୁଳିପଦର ଗ୍ରାମରେ ହଜାର ହଜାର ସଂଖ୍ୟାରେ ମହିଳା ଏବଂ ପୁରୁଷଙ୍କ ଗହଣରେ ପଦଯାତ୍ରା କରିବା ସହ ଏହି ଅଞ୍ଚଳର ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ଦ୍ବିତୀୟ ଥର ପାଇଁ ଶ୍ରୀ ପାଡାଲଙ୍କ ପାଦ ଆଉ ଏହି ଅଞ୍ଚଳରେ ପଡ଼ିନଥିଲା। ଶ୍ରୀ ପାଡାଲ ୨୦୧୯ ମସିହାରେ ନିର୍ବାଚନ କାଳରେ ଚଳିତ ନିର୍ବାଚନରେ ତାଙ୍କୁ ସମର୍ଥନ କରି ଭୋଟ ଭିକ୍ଷା କରିବା ସହ ମାଠପଡା ପଞ୍ଚାୟତର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନରେ ଜୟ ଲାଭ କରିବା ପରେ ସେ ପୁଣିଥରେ ନିଜ ପ୍ରତିଶ୍ରୁତି ଭୁଲି ଯାଇଥିବାରୁ ଉପସ୍ଥିତ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ମାଠପଡା ପଞ୍ଚାୟତରେ ରାସ୍ତାଘାଟ ନଥିବା ବେଳେ ଅଧିକାଂଶ ଗ୍ରାମରେ ଲୋକଙ୍କୁ ପିଇବା ପାଇଁ ପାଣି ମିଳୁନାହିଁ। ଶିକ୍ଷା ଏବଂ ସ୍ବାସ୍ଥ୍ୟ ସମସ୍ୟା ପ୍ରତି କାହାର ନଜର ନାହିଁ। ପଞ୍ଚାୟତବାସୀଙ୍କ ସବୁଠାରୁ ଗୁରୁତର ଅଭିଯୋଗ ହେଉଛି ପଞ୍ଚାୟତ କାର୍ଯ୍ୟାଳୟ ନଥିବାରୁ ଆଜି ମଧ୍ୟ ପଞ୍ଚାୟତବାସୀଙ୍କୁ ୯ କିଲୋମିଟର ବାଟ ଦୋରାଗୁଡାକୁ ରାସନ୍ ଆଣିବାକୁ ଯିବାକୁ ପଡୁଛି। ପ୍ରକାଶ ଥାଉ କି ୨୦୧୭ ମସିହାରେ ଦୋରାଗୁଡା ପଞ୍ଚାୟତକୁ ଭାଗ କରି ମାଠପଡା ପଞ୍ଚାୟତ ଗଠନ କରାଗଲା। କିନ୍ତୁ ମାଠପଡା ଠାରେ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରିଲା ନାହିଁ। ଯାହାଫଳରେ ଆଭ୍ୟନ୍ତରୀଣ ଅଞ୍ଚଳରୁ ୫ କିଲୋ ଚାଉଳ ପାଇଁ ଗ୍ରାମବାସୀଙ୍କୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଯେଉଁ ଆଶା ନେଇ ପଞ୍ଚାୟତବାସୀ ଶ୍ରୀ ପାଡାଲକୁ ସମର୍ଥନ କରି ଭୋଟ ଦେଇଥିଲେ, ଆଶା ବଦଳରେ ନିରାଶ ହେବା ଫଳରେ ଆଗାମୀ ସାଧାରଣ ନିର୍ବାଚନରେ ପଞ୍ଚାୟତବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ସଭାରେ ପଞ୍ଚାୟତର ୧୦ ଜଣ ଓ୍ବାର୍ଡ ମେମ୍ବର ସାମିଲ୍ ହୋଇଥିବା ବେଳେ ସରପଞ୍ଚ ଏବଂ ସମିତି ସଭ୍ୟ ଅନୁପସ୍ଥିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର