ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକ ଚଢେଇପାହାଡି ଗ୍ରାମ ପଞ୍ଚାୟତ ପ୍ରତି ସରକାରଙ୍କ ଉଦାସୀନତା ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀ ମାନେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ବରେ ୧୫ ଦଫା ଦାବି ସମ୍ବଳିତ ପତ୍ର ବାମନଘାଟି ଉପଜିଲାପାଳଙ୍କୁ ପ୍ରଦାନ କରିଛନ୍ତି, ଯେଉଁଥିରେ ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ କରିବା ଉଲ୍ଲେଖ ରହିଛି।
ବଣ ପାହାଡ଼ ଘେରା ତଥା ଆଦିବାସୀ ଅଧ୍ୟୁଷିତ ଉକ୍ତ ପଞ୍ଚାୟତର ୨୫ଟି ଗ୍ରାମର ଗ୍ରାମବାସୀମାନେ ନାହିଁ ନଥିବା ସମସ୍ୟାରେ ଦିନ କାଟୁଥିବା ବେଳେ ରାଜନେତା ଅବା ସରକାରୀ ଅଧିକାରୀଙ୍କ ଶୁଭ ଦୃଷ୍ଟି ଏହି ଅଞ୍ଚଳ ଉପରେ ପଡି ନାହିଁ । ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଆସିଲେ ନେତାଙ୍କ ପାଦ ପଡୁଥିବା ଏହି ଅଞ୍ଚଳର ରାସ୍ତାଘାଟ, ଶିକ୍ଷା, ଜଳସେଚନ, ପାନୀୟଜଳ, କୃଷି ସେବା ଟାୱାର ନିର୍ମାଣ, ବାଙ୍ଗିରିପୋଷି - ଗୋରୁମହିଷାଣୀ ବିପର୍ଯ୍ୟସ୍ତ ହୋଇ ପଡିଛି। ଦାବିଗୁଡ଼ିକ ମଧ୍ୟରେ ଚଢେଇପାହାଡିରୁ ସାରସକଣା ରାସ୍ତା ସଂମ୍ପୂର୍ଣ୍ଣ କରିବା, ଟେଲିଫୋନ, ରେଳପଥ ଚଢେଇପାହାଡି ଦେଇ ନିର୍ମାଣ, ପୁଲିସ ଫାଣ୍ଡି, ପୋଷ୍ଟ ଅଫିସ, ପଶୁ ଡାକ୍ତରଖାନା, ପାନୀୟ ଜଳ ଯୋଗାଣ, ଗ୍ରାମାଞ୍ଚଳ ରାସ୍ତା ଉନ୍ନତୀକରଣ। ଜଳ ସେଚନ ବ୍ୟବସ୍ଥା, ଭୀମଖନ୍ଦା ବିଜୁ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ରଙ୍ଗାମାଟିଆ ଓ ଟିଆକାଟି ସ୍କୁଲ ପୁନଃ ପ୍ରତିଷ୍ଠା ଆଦି ରହିଛି।
ଏ ସମସ୍ତ ଦାବି ନେଇ ବିଡିଓ, ଉପଜିଲାପାଳ ତଥା ନିର୍ବାଚିତ ସରପଞ୍ଚ, ବିଧାୟକ, ସାଂସଦଙ୍କୁ ବାରମ୍ବାର ଜଣାଇଥିଲେ ବି ସମସ୍ୟା ସମାଧାନ ହୋଇ ନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିସବୁ ନ୍ୟାୟଚିତ ଦାବିକୁ ବାରମ୍ବାର ଉପେକ୍ଷା କରା ଯାଉଥିବାରୁ ପ୍ରବଳ ଜନଅସନ୍ତୋଷ ଆନ୍ଦୋଳନ ରୂପ ନେବାକୁ ବସିଛି। ଏହାର ପରିଣତି ସ୍ଵରୂପ ଅଞ୍ଚଳବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଦାବି ପ୍ରଦାନ ସମୟରେ ସରସ୍ଵତୀ ଟୁଡୁ, ଗଦାଧର ମୁଣ୍ଡା, ମାଇସା ସୋରେନ, ଇଦ ସିଂ, ମାଧବ ମୁଣ୍ଡା, ଜିତେନ୍ଦ୍ର ମାଣ୍ଡି, ସନାତନ ମୁଣ୍ଡା, ସୁରେନ୍ଦ୍ର ମୁମୁ, ସାଲୁ ମୁଣ୍ଡା, ରାମ ଚନ୍ଦ୍ର ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/IMG_20240513_121400.jpg)