ବିଦ୍ୟୁତ୍‌ ସଂଯୋଗ ନକରିବାରୁ ଭୋଟ୍ ବର୍ଜନ ଚେତାବନୀ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ବଡମୌଦା ଗ୍ରାମପଂଚାୟତ ସୁଣ୍ଢଳ ଗ୍ରାମର ଦୁଇ ସାହିରେ ବିଦ୍ୟୁତ୍‌ ସଂଯୋଗ ହୋଇନଥିବାରୁ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସୁଣ୍ଢଳ ଗ୍ରାମର ବାଲିଟାଙ୍ଗିରି ଓ ହରିଜନ ସାହିର ଶତାଧିକ ଗରିବ ପରିବାରକୁ ବିଜୁ ଗ୍ରାମୀଣ ଜ୍ୟାତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ସମସ୍ତ ପରିବାରକୁ ୱାରିଙ୍ଗ୍ କରାଯିବା ସହିତ ମିଟର୍ ମଧ୍ୟ ଲଗାଯାଇଥିଲା। କିନ୍ତୁ ଦୀର୍ଘ ୬ ମାସରୁ ଅଧିକ ବିତି ଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଦା ବିଦ୍ୟୁତ୍‌ ସଂଯୋଗ କରାଯାଇନାହିଁ। ଫଳରେ ସେମାନେ ଅନ୍ଧାରରେ ରହୁଛନ୍ତି।

ଏନେଇ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗଠାରୁ ଆରମ୍ଭ କରି ସବଡିଭିଜନାଲ୍ ବିଦ୍ୟୁତ୍‌ ବିଭାଗରେ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଦୁଇ ସାହିର ବାସିନ୍ଦାମାନେ ବୁଧବାର ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଦ୍ୟୁତ ସଂଯୋଗ ନ କଲେ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ବଡମୌଦା ଗ୍ରାମପଂଚାୟତର ପୂର୍ବତନ ସମିତି ସଭ୍ୟ ତଥା ଜିଲ୍ଲା ପରିଷଦ ଉପେନ୍ଦ୍ରନାଥ ମଣ୍ଡଳ, ଗ୍ରାମବାସୀ ମୀନା ବେହେରା, ମାଲୁ ନାଏକ, ସୁଭଦ୍ରା ବୈଠା, ଝୁନୁ ବେହେରା, ସଭା ମୁଣ୍ଡା, ଶ୍ରୀମତୀ ମୁଣ୍ଡା, କିରଣ ନାଏକ, ରମେଶ ମୁଣ୍ଡା, ଗୋପାଲ କୁଆଁର, ପବିତ୍ର ମୁଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର