ଆଜି ପୌର ନିର୍ବାଚନ ଭୋଟ ଗଣତି, ଇଭିଏମ୍ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ

ଗୁଣପୁର ପୌର ପରିଷଦ ଫଳାଫଳ ଉପରେ ସଭିଁଙ୍କ ନଜର, ରାୟଗଡ଼ାରେ ବି ଶାସକ-ବିରୋଧୀ ମଧ୍ୟରେ କଡା ଟକର୍ ସମ୍ଭାବନା

ରାୟଗଡ଼ା: ରାତି ପାହିଲେ ପୌର ନିର୍ବାଚନ ଭୋଟ ଗଣତି। ଇଭିଏମ୍ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ। ନିର୍ବାଚନୀ ଫଳାଫଳକୁ ଜିଲ୍ଲାବାସୀ ଅପେକ୍ଷା କରିଥିବା ବେଳେ କେଉଁ ଦଳ ଭାଗ୍ୟରେ ଜିଲ୍ଲାର ୩ ପୌରାଞ୍ଚଳ ମଧ୍ୟରୁ କେଉଁ ଆସନ ପଡ଼ିବ ତାକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା। ବିଶେଷ କରି ଚର୍ଚ୍ଚାରେ ରହିଛି ଗୁଣପୁର ପୌର ପରିଷଦ। ବିଜେଡି-ସ୍ବାଧୀନ ପ୍ରାର୍ଥୀ ମଧ୍ୟରେ ଏଠାରେ କଡା ଟକର୍ ହେବାକୁ ଯାଉଥିବାରୁ ସଭିଁଙ୍କ ନଜର ଗୁଣପୁର ଉପରେ। ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପରଠୁ ଗୁଣପୁର ପୌର ପରିଷଦର ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିରୋଧୀ କଂଗ୍ରେସ-ବିଜେପି ବଦଳରେ ଶାସକ ଦଳ ପାଇଁ ଏଠି ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥିନୀ ମମତା ଗୌଡ଼। ମମତାଙ୍କ ସ୍ବାମୀ ପୂର୍ବତନ ବିଜେଡି ନେତା ତଥା ଗୁଣପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ସାନ ଗୌଡ ସ୍ବାଧୀନ ଭାବେ କାଉନସିଲର ଲଢ଼ିବା ସହ ସ୍ତ୍ରୀ ମମତାଙ୍କୁ ଅଧ୍ୟକ୍ଷା ପ୍ରାର୍ଥିନୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରିଛନ୍ତି। ୧୯ ୱାର୍ଡ ବିଶିଷ୍ଟ ଗୁଣପୁର ପୌର ପରିଷଦର ୧୫ଟି ୱାର୍ଡରେ କଂଗ୍ରେସ ଏବଂ ଗୋଟିଏ ୱାର୍ଡରେ ବିଜେପି ପ୍ରାର୍ଥୀ ଦେଇପାରିନି। ଆରମ୍ଭରୁ ହିଁ କଂଗ୍ରେସ ନିର୍ବାଚନ ଲଢ଼େଇରୁ ଓହରି ଯିବା ଭଳି ପରିସ୍ଥିତି ସୃଷ୍ଟି କରିବା ଶାସକ ବିଜେଡି ଏବଂ ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା।

ଗୁରୁବାର ମତଦାନ ଶେଷ ହୋଇଥିବା ବେଳେ ୨୨୬୦୮ ମତଦାତାଙ୍କ ମଧ୍ୟରୁ ୧୬୦୭୬ (୭୧.୧୦%) ମତ ନିଜ ସାବ୍ୟସ୍ତ କରିଛନ୍ତି। ‌ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଗୁଣପୁର ପୌରାଧ୍ୟକ୍ଷା ଆସନ ପାଇଁ ୬ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ୧୯ଟି ୱାର୍ଡର କାଉନସିଲର ପାଇଁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ୫୯ ପ୍ରାର୍ଥୀ। ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବା ବେଳେ ପୂର୍ବାହଣ୍ନ ୧୧ଟା ସୁଦ୍ଧା କିଏ ଗୁଣପୁର ପୌର ପରିଷଦ ଦଖଲ କରିବ ତାହା ସ୍ପଷ୍ଟ ହୋଇଯିବ। ରାୟଗଡ଼ା ପୌର ପରିଷଦକୁ ହାତେଇବା ପାଇଁ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ କଡା ମୁକାବିଲା ହୋଇଛି। ଗତ ୨୫ ବର୍ଷ ଧରି ରାୟଗଡ଼ା ପୌର ପରିଷଦକୁ ଅକ୍ତିଆରରେ ରଖିଛି ବିଜେଡି। ଚଳିତ ନିର୍ବାଚନରେ ପୌର ଅଧ୍ୟକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ୬ ଦଳ ସହିତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୧୨ ଜଣ ଅଧ୍ୟକ୍ଷ ପାଇଁ ନିର୍ବାଚନ ଲଢ଼ିଛନ୍ତି। ୨୪ଟି ୱାର୍ଡର କାଉନସିଲର ପାଇଁ ୯୦ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ୩ ପ୍ରମୁଖ ଦଳ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ହିଁ ଟକର୍ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରମୁଖ ଦଳକୁ ଚିନ୍ତ‌ାରେ ପକାଇଛନ୍ତି ସ୍ବାଧୀନ ପ୍ରାର୍ଥୀ। ନିର୍ବାଚନୀ ମଇଦାନରେ ୬ ସ୍ବାଧୀନ ପ୍ରାର୍ଥୀ ଥିବାରୁ ପ୍ରମୁଖ ଦଳର ବିଜୟ ରାସ୍ତାରେ ଏମାନେ କଣ୍ଟା ହୋଇ ପାରନ୍ତି। ‌ପୌର ପରିଷଦର ୫୬୫୯୭ ଭୋଟରଙ୍କ ମଧ୍ୟରୁ ୩୩୫୦୨ (୫୯.୧୯%) ନିଜର ମତ ସାବ୍ୟସ୍ତ କରିଛନ୍ତି।

ଶନିବାର ପୌର ପରିଷଦ କାର୍ଯ୍ୟାଳୟ ନିକଟସ୍ଥ ଟାଉନ୍ ହଲରେ ଭୋଟ ଗଣତି ହେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅଧ୍ୟକ୍ଷ ଓ କାଉନସିଲର୍ ଭୋଟ ଗଣତି ପାଇଁ ୫ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପର୍ଯ୍ୟାୟରେ ୫ଟି ୱାର୍ଡର ଭୋଟ ଗଣତି କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ୧୧ ୱାର୍ଡ ବିଶିଷ୍ଟ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବି ପାଇଁ ୪, କାଉନସିଲର୍ ପାଇଁ ୩୨ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ୫୨୯୯ ମତଦାତାଙ୍କ ମଧ୍ୟରୁ ୩୯୧୬ ନିଜର ମତ ସାବ୍ୟସ୍ତ କରିଛନ୍ତି। ଏଠି ମଧ୍ୟ ୩ ପ୍ରମୁଖ ଦଳ ବିଜେଡି-ବିଜେପି-କଂ‌ଗ୍ରେସ ମଧ୍ୟରେ କଡା ଟକର୍ ହେଉଛି। ୨୦୧୩ ପୌର ନିର୍ବାଚନରେ ଜିଲ୍ଲାର ୩ ପୌରାଞ୍ଚଳକୁ ବିଜେଡି ନିଜ ଅକ୍ତିଆରରେ ରଖିବାରେ ସକ୍ଷମ ହୋଇଥିଲା। ଚଳିତ ନିର୍ବାଚନୀ ଫଳାଫଳକୁ ନେଇ ସମସ୍ତେ ସନ୍ଦିହାନ୍ ଥିବା ବେଳେ ଭୋଟ ଗଣତି ପୂର୍ବରୁ ନେତାଙ୍କ ହୃତସ୍ପନ୍ଦନ ବଢ଼ିଛି। ରାତି ପାହିଲେ ଇଭିଏମ୍ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବାକୁ ଯାଉଥିବାରୁ ଭୋଟ ଗଣତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର