ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୪୨ ପ୍ରତିଶତ ଭୋଟ ଦେବାକୁ କୁନ୍ଥୁକୁନ୍ଥୁ

୩ ପୌରାଞ୍ଚଳରେ ମତ ସାବ୍ୟସ୍ତ କଲେନି ୩୧୭୩୮ ମତଦାତା, ରାୟଗଡ଼ା ପୌର ପରିଷଦରେ ୫୭.୯୦% ମତଦାନ

ରାୟଗଡ଼ା: ଗଣତନ୍ତ୍ରର ମହାପର୍ବରେ ସାମିଲ୍ ହେଲେନି ୩୧ ହଜାର ୭୩୮ ମତଦାତା। ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ସର୍ବାଧିକ ୨୩ ହଜାର ୮୨୩, ଗୁଣପୁର ପୌର ପରିଷଦରେ ୬ ହଜାର ୫୩୨, ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୩୮୩ ଭୋଟର ମତଦାନରୁ ଦୂରେଇ ରହିଛନ୍ତି। ଭୋଟର ତାଲିକାରେ ତ୍ରୁଟି, ବୁଥ୍ ପରିବର୍ତ୍ତନ, ଦାଦନ ସମସ୍ୟା, କର୍ମଚାରୀଙ୍କ ବଦଳି ଚଳିତ ପୌର ନିର୍ବାଚନରେ ମତଦାନ ହାର କମିବାର ମୁଖ୍ୟ କାରଣ ହୋଇଛି। ଜିଲ୍ଲାର ୩ ପୌରାଞ୍ଚଳରେ ଶେଷ ହୋଇଛି ମତଦାନ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ୨୬ ତାରିଖ ସକାଳ ୮ଟାରେ ଆରମ୍ଭ ହେବ ଭୋଟ ଗଣତି। ନିର୍ଧାରିତ ହେବ ପ୍ରାର୍ଥୀଙ୍କ ଭାଗ୍ୟ।

ମତଦାନ ପରେ ହାରଜିତକୁ ନେଇ ଆଲୋଚନା ଲାଗି ରହିଥିବା ବେଳେ ୩ ପୌରାଞ୍ଚଳରେ ମତଦାନ ହାର ଆଶାତୀତ ହୋଇନପାରିବା ରାଜନୈତିକ ଦଳ ପ୍ରାର୍ଥୀ ଓ ନେତାଙ୍କୁ ଚିନ୍ତାରେ ପକାଇଛି। ଗୁଡାରି, ଗୁଣପୁର ଅପେକ୍ଷା ରାୟଗଡ଼ା ପୌର ପରିଷଦରେ ସର୍ବନିମ୍ନ ମତଦାନ ହୋଇଛି। ଜିଲ୍ଲା ସଦର ମହକୁମା ପୌର ପରିଷଦରେ ଶିକ୍ଷିତ, ସଚେତନ ଭୋଟର ଥିବା ସତ୍ତ୍ବେ ମତଦାନ ହାର ୬୦ ପ୍ରତିଶତକୁ ଛୁଇଁନପାରିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରାୟଗଡ଼ା ପୌର ପରିଷଦର ୫୬ ହଜାର ୫୯୭ ଭୋଟରଙ୍କ ମଧ୍ୟରୁ ୨୩ ହଜାର ୮୨୩ ଭୋଟର ନିଜର ମତ ସାବ୍ୟସ୍ତ କରିନାହାନ୍ତି। ମତଦାନ କରିଥିବା ୩୨ ହଜାର ୭୭୪ (୫୭.୯୦%) ଙ୍କ ମଧ୍ୟରେ ୧୬ ହଜାର ୩୧୯ ପୁରୁଷ ଏବଂ ୧୬ ହଜାର ୪୩୯ ମହିଳା ଭୋଟର ରହିଛନ୍ତି। ୧୬ ଜଣ ତୃତୀୟଲିଙ୍ଗୀ ଭୋଟର ମତଦାନ କରିଥିବା ଜଣା ପଡିଛି।

ରାୟଗଡ଼ା ପୌର ପରିଷଦର ୨୪ଟି ୱାର୍ଡ ପାଇଁ ୯୦ କାଉନସିଲର ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଅଣସଂରକ୍ଷିତ ପୌର ଅଧ୍ୟକ୍ଷ ପଦବି ପାଇଁ ୧୨ ନେତା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ୫୭ ପ୍ରତିଶତ ମତଦାନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ବିଜୟକୁ ନେଇ ଅନେକ ଦ୍ବନ୍ଦ୍ବ ସୃଷ୍ଟି କରିଛି। କେଉଁ ଦଳ ସପକ୍ଷରେ କେତେ ଭୋଟ ଯିବ ତାକୁ ନେଇ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ନାନା ଚର୍ଚ୍ଚା ଲାଗି ରହିଛି। ୨୦୧୩ ପୌର ନିର୍ବାଚନରେ ରାୟଗଡ଼ା ପୌର ପରିଷଦରେ ୬୦ ପ୍ରତିଶତ ମତଦାନ ହୋଇଥିଲା। ଚଳିତ ନିର୍ବାଚନରେ ମତଦାନ ହାର ଆଉ ୨ ପ୍ରତିଶତ କମିଛି। ଗୁଣପୁର ‌ପୌର ପରିଷଦରେ ୭୧.୧୦ ପ୍ରତିଶତ ମତଦାନ ହୋଇଛି। ୧୯ ୱାର୍ଡ ବିଶିଷ୍ଟ ପୌର ପରିଷଦରେ ୨୨ ହଜାର ୬୦୮ ମତଦାତା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୮୧୧୧ ପୁରୁଷ, ୭୯୬୩ ମହିଳା ଭୋଟର ଅଛନ୍ତି। ୨ ଜଣ ତୃତୀୟ ଲିଙ୍ଗ ଭୋଟ ଦେଇଛନ୍ତି। ୬୫୩୨ ଭୋଟର ମତଦାନରୁ ଦୂରେଇ ରହିଛନ୍ତି। ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସର୍ବାଧିକ ୭୩.୯ ପ୍ରତିଶତ ମତଦାନ ହୋଇଛି। ୧୧ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଓ ୪ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ ପାଇଁ ୩୯୧୬ ମତଦାତା ନିଜ ମତ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୨୦୧୨ ପୁରୁଷ, ୧୯୦୨ ମହିଳା ଓ ୨ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ୧୩୮୩ ଭୋଟର ମତଦାନରୁ ଦୂରେଇ ରହିଛନ୍ତି।

ସମ୍ବନ୍ଧିତ ଖବର