କଂଗ୍ରେସରୁ ଭୋଟ ନେଲେ, କଂଗ୍ରେସକୁ ଜଳକା କଲେ

ରା.ଉଦୟଗିରି/ମୋହନା: ପୂର୍ବାନୁମାନ ମୁତାବକ ସମୁଦାୟ ୧୯ଟି ପଞ୍ଚାୟତରୁ ୯ଟି ସମିତି ଆସନ ହାତେଇ ବିଜେଡି ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ଅଭିଜ୍ଞଙ୍କ ଜିଦ୍‌ ଯୋଗୁଁ ଦୁଇଫାଳ ହୋଇଥିଲା ବିଜେଡି। ଫାଳେ(୫) ସମର୍ଥନ ନେଇଥିଲା ଭାଜପାର(୨) ଓ ଫାଳେ(୪) ସମର୍ଥନ ନେଇଥିଲା କଂଗ୍ରେସର। ଅଭିଜ୍ଞ ଓ ନବାଗତଙ୍କ ଶୀତଳ ଯୁଦ୍ଧରେ ଟ୍ରମ୍ପ କାର୍ଡ଼ ସାଜିଥିଲା କଂଗ୍ରେସ। ନିଜ ହାତରେ ୮ଟି ସମିତିସଭ୍ୟ ଧରି ସୁବିଧାଜନକ ସ୍ଥିତିରେ ଥିବା କଂଗ୍ରେସ ବୁଝିପାରିନଥିଲା ଯେ ସେ ଯାହାକୁ ମଧ୍ୟ ସମର୍ଥନ କରିବ କ୍ଷତିରେ ହିଁ ପଡ଼ିବ। କ୍ଷୁଦ୍ରଦଳକୁ ସମର୍ଥନ କରିବା ପୂର୍ବରୁ କଂଗ୍ରେସ ଓ ସମର୍ଥକଙ୍କ ସର୍ତ୍ତ ଥିଲା ଯେ ଯିଏ ଜିତିଲେ ମଧ୍ୟ ସେ ନିଜକୁ କଂଗ୍ରେସ ବୋଲି ଘୋଷଣା କରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ଗତକାଲିର ଅଧ୍ୟକ୍ଷା ଚୟନ ସମୟରେ ମୋହନା ବିଧାୟକଙ୍କ ଉପସ୍ଥିତିରେ କଂଗ୍ରେସ ମହଲରେ ଖୁସିର ଲହରି ମଧ୍ୟ ଖେଳି ଯାଇଥିଲା। ସମର୍ଥକ ମାନେ ଦାବି କରିଥିଲେ କଂଗ୍ରେସ ଯାହାକୁ ସମର୍ଥନ କରିବ ସିଏ ପ୍ରଥମେ ନିଜକୁ କଂଗ୍ରେସରେ ଯୋଗଦେଲେ ବୋଲି ଘୋଷଣା କରନ୍ତୁ।

ଲୁହାଙ୍ଗର ପଞ୍ଚାୟତରୁ ଆନୁଷ୍ଠାନିକ ଭାବେ ବିଜେଡି ପକ୍ଷରୁ ନାମାଙ୍କନ ଭରିଥିଲେ ଅର୍ଚ୍ଚନା ମଣ୍ଡଳ ଓ ବିଜେଡିରୁ ବିଦ୍ରୋହୀ ଭାବେ ନାମାଙ୍କନ ଭରିଥିଲେ ପୂର୍ବତନ ଅଧ୍ୟକ୍ଷା ମାଳତୀ ପ୍ରଧାନ। ୮କଂଗ୍ରେସ ସମେତ ୧୨ଜଣ ସଭ୍ୟଙ୍କ ସମର୍ଥନ ପାଇ ବିଦ୍ରୋହୀ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଜିତିବା ପରେ ନିଜକୁ କଂଗ୍ରେସ ବୋଲି ଘୋଷଣା କରିନଥିଲେ ବିଜୟୀ ପ୍ରାର୍ଥୀ। ସେହିଭଳି, ପ୍ରଶାସନ ମଧ୍ୟ ତାଙ୍କୁ ବିଜେଡି ବୋଲି ଦର୍ଶାଇ ଥିଲା। ଆଉ ଜଳକା ହୋଇ ଯାଇଥିଲେ କଂଗ୍ରେସ ଓ ସମର୍ଥକମାନେ। ଏଥିସହ ଭୁଶୁଡି ପଡ଼ିଥିଲା କଂଗ୍ରେସର ସମସ୍ତ ସୁରକ୍ଷିତ ଦୁର୍ଗ। ଅଧିକ ସଂଖ୍ୟକ ସଭ୍ୟ ଥାଇ ମଧ୍ୟ କଂଗ୍ରେସ ଲବିରେ ନଥିବାରୁ ଦଳକୁ ଘୋର ସମାଲୋଚନା ଶୁଣିବାକୁ ପଡ଼ିଥିଲା। ନେତୃତ୍ୱ ଅଭାବରୁ ଏଭଳି ଘଟିଲା ବୋଲି ଅଭିଯୋଗ ମଧ୍ୟ କରିଥିଲେ କର୍ମୀମାନେ। ତେବେ, ଉପାଧ୍ୟକ୍ଷ ଆସନ ଉପରେ ଆଶା କରି ବିଦ୍ରୋହୀ ଗୋଷ୍ଠୀଙ୍କୁ ସମର୍ଥନ କରିଥିବା କଂଗ୍ରେସ ଆସନ୍ତା ୨୩ତାରିଖ ଦିନ କ’ଣ ପାଇବ ନା’ ପୁଣି ହରାଇବ ସମୟ ହଁ କହିବ।

ସମ୍ବନ୍ଧିତ ଖବର