ସରିଲା ନିର୍ବାଚନ, ଆରମ୍ଭ ହେବ ପତିଆରା ଖେଳ, ଅଜ୍ଞାତବାସରେ ୭୦ ପ୍ରତିଶତ ସମିତିସଭ୍ୟ ପ୍ରାର୍ଥୀ

ରାୟଗଡ଼ା: ଭୋଟ ଗଣତି ସରିନି। ତୀବ୍ର ପ୍ରତିଦ୍ବନ୍ଦିତା ଯୋଗୁ ଫଳାଫଳ କାହା ସପକ୍ଷରେ ଯିବ ତାହା ବି ଆକଳନ କରିବା ମୁସ୍କିଲ୍। ଏପଟେ କିନ୍ତୁ ବ୍ଲକ୍ ଦଖଲ ପାଇଁ ଆରମ୍ଭ ହୋଇ ସାରିଲାଣି ପ୍ରସ୍ତୁତି। ତୁଙ୍ଗ ନେତାଙ୍କ ଇସାରାରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଧରି କୁଜି ନେତା ଗାଁରୁ ଉଭାନ୍ ହୋଇ ଯାଇଛନ୍ତି। ସମିତିସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ଜିଲ୍ଲାର ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ପ୍ରାର୍ଥୀ/ପ୍ରାର୍ଥିନୀ ଭୋଟ ଶେଷ ପରଦିନଠୁ ଅଜ୍ଞାତବାସକୁ ଚାଲିଯିବା ଗାଁ ରାଜନୀତିକୁ ସରଗରମ କରିଛି। ରାୟଗଡ଼ାର ୧୧ ବ୍ଲକ୍, ୧୮୨ ପଞ୍ଚାୟତ, ୨୨୦୨ ୱାର୍ଡମେମ୍ବର, ୨୨ ଜିଲ୍ଲା ପରିଷଦ ଜୋନ୍ ପାଇଁ ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇଥିଲା ନିର୍ବାଚନ। ୫ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ପାଇଁ ମତଦାନ ଆଜି ସରିଛି। ଜିଲ୍ଲା ପରିଷଦ ଦଖଲ ପାଇଁ ବିଜେଡ଼ି-କଂଗ୍ରେସ ମଧ୍ୟରେ କଡା ଟକ୍କର୍ ହେଉଥିବା ବେଳେ ୧୧ ବ୍ଲକ୍ ଅଧ୍ୟକ୍ଷ ପଦବିରେ ମଧ୍ୟ ତିନି ପ୍ରମୁଖ ଦଳ କସରତ ଚଲାଇଛନ୍ତି। ତେବେ କିଛି ବ୍ଲକରେ ୩ ପ୍ରମୁଖ ଦଳ ବିଜେଡ଼ି-କଂଗ୍ରେସ-ବିଜେପିର ବ୍ଲକ୍ ଦଖଲ ଅଙ୍କକୁ ବିଗାଡ଼ି ପାରନ୍ତି ଅସନ୍ତୁଷ୍ଟ ନେତା। ବିଶେଷ କରି କାଶୀପୁର ଓ ଗୁଣପୁର ବ୍ଲକରେ ଅସନ୍ତୁଷ୍ଟ ନେତା ନିଜେ ପ୍ରାର୍ଥୀ ଦେଇ ବ୍ଲକ୍ ଦଖଲ ଯୋଜନା କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ  ଫେବ୍ରୁଆରୀ ୧୮ରେ ଗୁଣପୁରରେ ମତଦାନ ଶେଷ ହେବା ପରେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଉଠାଇ ନେବାକୁ ଯୋଜନା କରି ସଫଳ ହୋଇଛନ୍ତି ନେତା। ଅଜ୍ଞାତବାସରେ ଥିବା ଗୁଣପୁରର ସମିତିସଭ୍ୟ ପ୍ରାର୍ଥୀ ଏବେ କେଉଁଠି ଅଛନ୍ତି ସେ ନେଇ କାହା ପାଖରେ ସୂଚନା ନାହିଁ। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଗୁଣପୁର ବ୍ଲକ୍ ଦଖଲ କରିଥିଲା। କିଛି ଅସନ୍ତୁଷ୍ଟ ନେତାଙ୍କ ପାଇଁ ବିଜେଡ଼ି ଏଥର ଗୁଣପୁର ବ୍ଲକ୍ ଦଖଲ କ୍ଷେତ୍ରରେ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରେ।

କାଶୀପୁରରେ ମଧ୍ୟ ସମାନ୍ ଅବସ୍ଥା। ଶାସକ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁ ଫାଇଦା ଉଠାଇବା ଚକରରେ ଅଛନ୍ତି ଅସନ୍ତୁଷ୍ଟ ନେତା। ବହୁ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ନେତା ଜିଲ୍ଲା ବାହାରକୁ ନେଇ ଭୋଜିଭାତ, ବୁଲାବୁଲିରେ ଆପାୟିତ କରୁଛନ୍ତି। ୨୦୧୭ ନିର୍ବାଚନରେ କାଶୀପୁର ବ୍ଲକ୍ କଂଗ୍ରେସ ଦଖଲରେ ଥିଲା। ଚଳିତ ନିର୍ବାଚନରେ କାଶୀପୁରରେ ଉଭୟ ବିଜେଡ଼ି, କଂଗ୍ରେସ ହାତରୁ ବ୍ଲକ୍ ଖସି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଅଧୀନକୁ ଯିବାର ଅଧିକ ସମ୍ଭାବନା ରହିଛି। ପଦ୍ମପୁରରେ ମଧ୍ୟ ଅସନ୍ତୁଷ୍ଟ ଗୋଷ୍ଠୀ ସକ୍ରିୟ ହୋଇ ଗୋଟି ଚାଳନା ଜାରି ରଖିଛନ୍ତି। ଅନ୍ୟ ବ୍ଲକ୍ ଗୁଡ଼ିକରେ ମଧ୍ୟ କାହା ହାତକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ଯିବ ତାହା ସ୍ପଷ୍ଟ ହୋଇପାରୁନି। ପ୍ରାର୍ଥୀ ହୋଇଥିବା ଅନେକ ନୂଆ ଓ ପୁରୁଣା ନେତା ବ୍ଲକ୍ ମୁଖିଆ ହେବାକୁ ଅଣ୍ଟା ଭିଡ଼ିଥିବାରୁ ପତିଆରା ରାଜନୀତି ଜୋର୍ ଧରିବାରେ ଲାଗିଛି। ନିଜ ଅନୁଗତ ପ୍ରାର୍ଥୀଙ୍କୁ ହିଁ ବ୍ଲକ୍ ଅଧ୍ୟକ୍ଷରେ ପଦବିରେ ବସାଇ ନିଜ ପତିଆରା ଜାହିର୍ କରିବାକୁ ଗୋଟି ଚାଳନା ଜାରି ରଖିଛନ୍ତି ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକ। ଫୁଲ ଦମ୍ ମଧ୍ୟ ଲଗାଇ ଦେଇଛନ୍ତି। ମନ୍ତ୍ରୀ-ସାଂସଦ-ବିଧାୟକଙ୍କୁ ଚ୍ୟାଲେଞ୍ଜ ଦେଇ ବ୍ଲକ୍ ରାଜନୀତିରେ ନିଜ ପତିଆରା ଜାହିର କରିବାକୁ ସମାନ୍ତରାଳ ସମିତିସଭ୍ୟ ପ୍ରାର୍ଥୀ ଦେଇଛନ୍ତି ଅସନ୍ତୁଷ୍ଟ ନେତା। ଫେବ୍ରୁଆରୀ ୨୬ରୁ ଭୋଟ ଗଣତି ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବିଜୟ ସମ୍ଭାବନା ଥିବା ସମିତିସଭ୍ୟ/ସଭ୍ୟାମାନଙ୍କୁ ଅଜ୍ଞାତବାସରେ ରଖି ଆରମ୍ଭ ହେଲାଣି ଅସଲ ଖେଳ। ମାର୍ଚ୍ଚ ୧୨ରେ ବ୍ଲକ୍ ଅଧ୍ୟକ୍ଷ ପାଇଁ ନିର୍ବାଚନ କମିଶନ୍ ଦିନ ଧାର୍ଯ୍ୟ କରିଥିବାରୁର ବିଜୟୀ ପ୍ରାର୍ଥୀଙ୍କୁ ନିଜ କବଳରେ ରଖିବାକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି ନେତା। ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାର ୧୧ ବ୍ଲକ୍ ଅଧ୍ୟକ୍ଷ ପଦବି ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ରହିଛି। ୫୦ ପ୍ରତିଶତ ସଂରକ୍ଷଣ ଆଧାରରେ ଅଧା ବ୍ଲକରେ ମହିଳା ସମ୍ଭାଳିବେ ଅଧ୍ୟକ୍ଷ ପଦବି।

ସମ୍ବନ୍ଧିତ ଖବର