ଭିଏସ୍‌ଏସ୍‌ ବିମାନ ବନ୍ଦର: ମାସକରେ ବିମାନ ଯାତ୍ରା କରିଛନ୍ତି ୯୮୫୦ ଯାତ୍ରୀ

ଝାରସୁଗୁଡା: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭକୁ ଇତି ମଧ୍ୟରେ ଏକ ମାସ ପୂରିଛି। ଗତ ଏକ ମାସ ମଧ୍ୟରେ ଏଠାରୁ ଯାତ୍ରୀ ସେବା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ ଆଗାମୀ ଦିନରେ ଏହି ବିମାନ ବନ୍ଦର ଦେଶର ଏକ ପ୍ରମୁଖ ବିମାନ ବନ୍ଦର ହେବାକୁ ଯାଉଥିବା ଜଣାଯାଇଛି। ଗତ ମାର୍ଚ୍ଚ ୩୧ ତାରିଖ ଦିନ ସ୍ପାଇସ୍‌ ଜେଟ୍‌ ଏଠାରୁ ବିମାନ ସେବା ଆରମ୍ଭ କରିଥିଲା। ଏହି ବିମାନ ସେବାକାରୀ ସଂସ୍ଥା ଉଡ଼ାନ-୩ ଯୋଜନାରେ ଝାରସୁଗୁଡ଼ା-ନୂଆଦିଲ୍ଲୀ, ନୂଆଦିଲ୍ଲୀ- ଝାରସୁଗୁଡ଼ା, ଝାରସୁଗୁଡ଼ା- ହାଇଦ୍ରାବାଦ, ହାଇଦ୍ରାବାଦ- ଝାରସୁଗୁଡ଼ା, ଝାରସୁଗୁଡ଼ା-କୋଲକତା ଓ କୋଲକତା-ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ଆରମ୍ଭ କରିଥିବା ବେଳେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ରବିବାର ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ବିମାନ ବନ୍ଦରରୁ ଗତ ୪ ସପ୍ତାହ ମଧ୍ୟରେ ୯ ହଜାର ୮୫୦ ଜଣ ଯାତ୍ରୀ ବିମାନ ଯାତ୍ରା କରିଥିବା ବେଳେ ଝାରସୁଗୁଡ଼ା- ନୂଆଦିଲ୍ଲୀ ବିମାନ ସେବା ୯୫ ପ୍ରତିଶତ ଓ ନୂଆଦିଲ୍ଲୀ- ଝାରସୁଗୁଡ଼ା ମଧ୍ୟରେ ୯୩ ପ୍ରତିଶତ ବିମାନ ଯାତ୍ରୀ ଯାତ୍ରା କରିଛନ୍ତି। କୋଲକତା- ଝାରସୁଗୁଡ଼ା ଓ ଝାରସୁଗୁଡ଼ା-କୋଲକତା ମଧ୍ୟରେ ୬୦ ପ୍ରତିଶତ ଯାତ୍ରୀ ଯାତ୍ରା କରିଥିବା ବେଳେ ହାଇଦ୍ରାବାଦ- ଝାରସୁଗୁଡ଼ା ଓ ଝାରସୁଗୁଡ଼ା-ହାଇଦ୍ରାବାଦ ରୁଟ୍ରେ ୭୦ ପ୍ରତିଶତ ଯାତ୍ରୀ ଯାତ୍ରା କରିଥିବା ଶ୍ରୀ ଚେହାନ ସୂଚନା ଦେଇଛନ୍ତି। ଉପରୋକ୍ତ ତିନୋଟି ରୁଟ୍ର ସାମଗ୍ରୀକ ହାରକୁ ହିସାବ କଲେ ୭୫ ପ୍ରତିଶତ ଯାତ୍ରୀ ଯାତ୍ରା କରିଥିବା ଜଣାଯାଇଛି। ଗତ ଏକ ମାସ ମଧ୍ୟରେ ବିମାନ ଯାତ୍ରା କରିଥିବା ମୋଟ ଯାତ୍ରୀଙ୍କ ହିସାବକୁ ଆକଳନ କଲେ ଦୈନିକ ୩୫୦ ଜଣ ଯାତ୍ରୀ ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ଏଠାରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ୪୬୯୨ ଅର୍ଥାତ ଦୈନିକ ୧୭୦ ହୋଇଥିବା ବେଳେ ଏଠାକୁ ଆଗମନ ହୋଇଥିବା ଯାତ୍ରୀ ସଂଖ୍ୟା ୫୧୬୦ ଅର୍ଥାତ ଦୈନିକ ୧୮୫ ଜଣ ଯାତ୍ରୀଙ୍କ ଆଗମନ ହୋଇଛି।

ଆଗାମୀ ଜୁନ୍‌ ମାସ ପ୍ରଥମ ସପ୍ତାହ ସୁଦ୍ଧା ଏଲାଏନ୍‌ସ ଏୟାର ତାର ସେବା ଆରମ୍ଭ କରିବାକୁ ଥିବା ବେଳେ ଲାଇସେନ୍‌ସ ପାଇଥିବା ସମସ୍ତ ବିମାନ ସେବା କମ୍ପାନୀ ସଂପୂର୍ଣ୍ଣ ବିମାନ ସେବା ଆରମ୍ଭ ହେଲେ ଏଠାରୁ ଦେନିକ ୨୦ ଗୋଟି ବିମାନ ଯାତ୍ରାୟତ କରିବ ଓ ଯାତ୍ରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ଚୌହାନ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡ଼ିଜିଏମ୍‌(ସିଏନ୍‌ଏସ୍‌) ପି. କରୁଣାକରନ ଓ ଏଜିଏମ୍‌( ସିଭିଲ) ୟୁ. କେ.ତିୱାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର