ଜୟପୁର: ଜୟପୁରରୁ ବୋରିଗୁମ୍ମା ୨୨କିଲୋମିଟର ରାସ୍ତା ମଧ୍ୟରେ ରହିଛି ୮ଟି ପ୍ରମୁଖ ବସ ଷ୍ଟପେଜ୍। ଏବେ ଏଠାରେ ୩ଟି ଯାତ୍ରୀ ପ୍ରତୀକ୍ଷାଳୟ ରହିଥିବା ବେଳେ ବଳକା ୫ଟି ବସରହଣୀ ସ୍ଥାନରେ ଏହା ନାହିଁ। ଦୁରଦୃଷ୍ଟି ଏବଂ ଅଂଚଳବାସୀଙ୍କ ସହ ପୂର୍ବ ଆଲୋଚନା ନ କରି ତିନୋଟି ସ୍ଥାନରେ ଯାତ୍ରୀପ୍ରତୀକ୍ଷାଳୟ କରାଯାଇଥିଲେ ହେଁ ସେଠାରେ ଯାତ୍ରୀ ବସିବା କିମ୍ବା ବସକୁ ଅପେକ୍ଷା କରି ରହିବା ଦେଖା ଯାଉନି। ସେଭଳି ବଳକା ୫ଟି ସ୍ଥାନରେ ବି ଏହା ନିର୍ମାଣ କରାଯିବାର ଅଛି ଏ ସଂପର୍କରେ ପ୍ରଶାସନ ଭୁଲି ଯାଇଛନ୍ତି। ଫଳରେ ଗ୍ରାମାଂଚଳରୁ ଆସୁଥିବା ବୃଦ୍ଧ, ବୃଦ୍ଧା, ମହିଳା , ଗର୍ଭବତୀ ମହିଳା ଆଦି ନାର୍ହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ଜୟପୁରରୁ ବୋରିଗୁମ୍ମା ମଧ୍ୟରେ ଉମୁରୀ, ରଣ୍ଡାପାଲ୍ଲୀ, ଆମ୍ବାଗୁଡା, କୁମୁଲିପୁଟ, ହରଡାପୁଟ, ଚାରଗାଁ, ହଡପା ଓ ଜୟନ୍ତଗିରୀ ଏଭଳି ୮ଟି ପ୍ରମୁଖ ବସ ରହଣୀ ସ୍ଥାନରେ ଗୋଟିଏ ଲେଖାଏଁ ଯାତ୍ରୀ ପ୍ରତୀକ୍ଷାଳୟ ରହିଥିଲା।
ଉପଯୁକ୍ତ ଦେଖାରଖା ଓ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଭାଙ୍ଗି ରୁଜି ଗଲା। ପରବର୍ତ୍ତୀ ସମୟରେ ୮ଟି ସ୍ଥାନ ବଦଳରେ ୩ଟି ସ୍ଥାନ ରଣ୍ଡାପାଲ୍ଲୀ, କୁମୁଲିପୁଟ ଓ ଜୟନ୍ତଗିରୀରେ ନୂଆ ଯାତ୍ରୀପ୍ରତୀକ୍ଷାଳୟ କରାଯାଇଛି। ତେବେ ଏହା ଖୁଲା ମେଲା ରହିବା ସହ ଯାତ୍ରୀ ମାନେ ଏହାକୁ ବ୍ୟବହାର ହିଁ କରୁ ନାହାନ୍ତି। ରଣ୍ଡାପାଲ୍ଲୀ ଛକରେ ଯଦିଓ କରାଯାଇଥିଲେ ହେଁ ଏହା ଏବେ ଜବରଦଖଲରେ ରହିଛି। ସେଭଳି କୁମୁଲିପୁଟରେ ବିପଦସଂକୁଳଳ ସ୍ଥିତରେ ରହିଛି। ଏହାର ଚାରି ପାର୍ଶ୍ବରେ ଲତାବୁଧା ଉଠିବା ସହ ବିଷାକ୍ତ ଜୀବଜନ୍ତୁଙ୍କ ଘର ପାଲଟିଛି। ସେଭଳି ଜୟନ୍ତଗିରୀ ଯାତ୍ରୀ ପ୍ରତୀକ୍ଷାଳୟ ଯଦିଓ ଛକରେ ଓ ରାସ୍ତା ପାର୍ଶ୍ବରେ ରହିଥିଲେ ହେଁ ଉପଯୁକ୍ତ ଦେଖାରଖା ଓ ରକ୍ଷଣାବେକ୍ଷଣ ଅଭାବରୁ ଦୟନୀୟ ହୋଇ ପଡିଛି। ଅପରପକ୍ଷରେ ଜୟପୁର ବ୍ଲକ ସୀମାନ୍ତରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଛକରେ ବୋରିଗୁମ୍ମା ବ୍ଲକ ପକ୍ଷରୁ ଆକର୍ଷକ କାଚର ଘର ଭଳି ଯାତ୍ରୀପ୍ରତୀକ୍ଷାଳୟ ନିର୍ମାଣ କରାଯାଇଛି। ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସମସ୍ତ ୮ଟି ଯାକ ଛକରେ ଯାତ୍ରୀପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ଦାବି ହୋଇଛି।