ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଜିଲ୍ଲାର ସର୍ବବୃହତ ପାର୍କ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନର ପରିବର୍ଦ୍ଧିତ ପାର୍କରେ ଆଜି ମଙ୍ଗଳବାର ମୁକ୍ତା ଯୋଜନାରେ ୱାକିଂ ଟ୍ରାକ୍‌ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ଆଜି ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ଏହି ୱାକିଂ ଟ୍ରାକ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ ୭ଲକ୍ଷ ୩୦ ହଜାର ଟଙ୍କା ଅନୁଦାନ ଦିଆଯାଇଛି। ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ସମ୍ପାଦକ ତଥା ସମାଜସେବୀ ସଂଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ତଥା ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ, କାଉନସିଲର ପ୍ରଶାନ୍ତ କୁମାର ସେଠୀ, ରଞ୍ଜୀତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ‌ପୌର ପରିଷଦର ୨ନଂ, ୮ନଂ ଓ ୧୦ ନଂ ୱାର୍ଡରେ ଗ୍ରାମ୍ୟ ଖେଳ ପଡ଼ିଆର ସୌନ୍ଦର୍ଯ୍ୟକରଣ, ଶିଶୁ ଉଦ୍ୟାନ ଓ ପରିଶ୍ରାଗାର ନିର୍ମାଣ କାର୍ଯ୍ୟର ମଧ୍ୟ ଆଜି ମଙ୍ଗଳବାର ପୌରାଧ୍ୟକ୍ଷା ଶ୍ରୀମତି ମହାନ୍ତି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ, ମୁକ୍ତା ସଂଯୋଜକ ମୟୂରୀ ମହାପାତ୍ର, କାଉନସିଲର ସୁଶାନ୍ତ କୁମାର ଜେନା, ମୋନାଲିସା ସିଂହ, ମିଶନଶକ୍ତି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ, ପୌର ପରିଷଦରେ ମୁକ୍ତା ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଯୋଜନାର ସଂଯୋଜକ ମୟୂରୀ ମହାପାତ୍ର କହିଛନ୍ତି ଯେ ସହରାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ମୁକ୍ତା ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତବର୍ଷ ‌ପୌର ପରିଷଦର ୨୨ଟି ୱାର୍ଡରେ ମିନିପାର୍କ, ପରିଶ୍ରାଗାର, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ ଉଦ୍ୟାନ, ଖେଳ ପଡ଼ିଆ ଆଦି ୯୦ଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ୮ କୋଟି ୩୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି।