ଜଗତସିଂହପୁର: ପ୍ରସ୍ତାବିତ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ବାଟ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପାନବରଜ ଓ ଫଳନ୍ତି ଗଛ ମାପଚୁପ୍ ଓ ପାଚେରି ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ମୁତାବକ, ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପାଚେରି ନିର୍ମାଣ କାର୍ଯ୍ୟ ପ୍ରାୟ ଦେଢ଼ କିଲୋମିଟର ସରିଲାଣି। ମାତ୍ର ପୂର୍ବରୁ କମ୍ପାନି ପକ୍ଷରୁ କରାଯାଇଥିବା ‘ଡ୍ରୋନ୍ ସର୍ଭେ’ରେ ଯେତିକି ବରଜ ଥିଲା, ବର୍ତ୍ତମାନ ତା’ଠାରୁ ପ୍ରାୟ ୩ ଶହରୁ ଅଧିକ ବରଜ ମାପଚୁପ କରାଗଲାଣି। ଏଣୁ ପ୍ରକୃତରେ ଏତେ ସଂଖ୍ୟାରେ ବରଜ କେଉଁଠି ଆସୁଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।
ଗତ ଡିସେମ୍ବର ୨୨ ତାରିଖରୁ ପ୍ରସ୍ତାବିତ ଅଞ୍ଚଳରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୯୦୨ଟି ପାନବରଜ ମାପଚୁପ କରାଯାଇଥିବା ବେଳେ ସେଥିରୁ ୭୦୫ଟି ପାନବରଜ ଭଙ୍ଗାଯାଇଛି। ତା’ ଭିତରୁ ୫୯୦ ଜଣଙ୍କୁ ପ୍ରାୟ ୧୨ କୋଟିରୁ ଅଧିକ ଟଙ୍କା କ୍ଷତିପୂରଣ ବାବଦ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାତ୍ର ବର୍ତ୍ତମାନ ପାନବରଜକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି। ପୂର୍ବରୁ ଡ୍ରୋନ୍ ଦ୍ବାରା କରାଯାଇଥିବା ସର୍ଭେରେ ମୋଟ୍ ୬୨୯ଟି ବରଜ ଥିବା ଜଣାପଡ଼ିଥିଲା। ହେଲେ, ବର୍ତ୍ତମାନ ସୁଦ୍ଧା ୯୦୨ଟି ମାପଚୁପ କରାଯାଇଥିବା ବେଳେ ଆହୁରି କେତେକ ମାପଚୁପ ପାଇଁ ବାକି ରହିଛି। ଏଣୁ ରାତାରାତି ଏତେ ସଂଖ୍ୟାରେ ବରଜ କେମିତି ବଢ଼ି ଚାଲିଛି ବୋଲି ଆଲୋଚନା ଚାଲିଛି। ତଥାପି କମ୍ପାନି ସେମାନଙ୍କୁ ନିରାଶ ନ କରି ଏ ବାବଦରେ ବରଜ ମାଲିକମାନଙ୍କୁ କ୍ଷତିପୂରଣ ଦେଉଛି। ଏହାସହ ଗତକାଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଫଳନ୍ତି ଗଛ ପାଇଁ କ୍ଷତିପୂରଣ ବାବଦରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ପୋସ୍କୋ ସମୟରେ ଫଳନ୍ତି ବୃକ୍ଷ ପାଇଁ ଯେତିକି କ୍ଷତିପୂରଣ ଧାର୍ଯ୍ୟ କରାଯାଇଥିଲା ବର୍ତ୍ତମାନ ତାହାକୁ ପ୍ରାୟ ୧୦ ଗୁଣା ବଢ଼ାଇ ଦିଆଯାଇଛି। ଯାହାକୁ ନେଇ ଏବେ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀମାନେ ସନ୍ତୁଷ୍ଟ ଥିବା ସୂଚନା ମିଳିଛି।
ମାହାଳ ଶେଷ ସୀମା ସମୁଦ୍ରପଟରୁ ପାଚେରି ନିର୍ମାଣ କାମ ଦ୍ରୁତଗତିରେ ଚାଲିଛି।
ଇଡ୍କୋ ପକ୍ଷରୁ ଟେଣ୍ଡର୍ ଆହ୍ବାନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ପାଚେରି କାମ ମାହାଳ ଶେଷ ସୀମାରୁ ନୋଳିଆସାହି ପର୍ଯ୍ୟନ୍ତ କରାଯିବ। ପ୍ରଥମ ୧୦ କିମି ପର୍ଯ୍ୟନ୍ତ ଏହି ପ୍ରି’କାଷ୍ଟ ପାଚେରି ନିର୍ମାଣ ଓ ଅସ୍ଥାୟୀ ରାସ୍ତା କରାଯାଉଛି। ଏଥିପାଇଁ ଇଡ୍କୋ ପକ୍ଷରୁ ୭ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି କାର୍ଯ୍ୟ ଶେଷ ହେବା ପରେ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଏହାକୁ ହସ୍ତାନ୍ତର କରାଯିବ। ଏହି ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଟ୍ରାକ୍ଟର୍, ଜେସିବି ମେସିନ୍ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଯାନବାହନ ନିୟୋଜିତ ହେଉଛି। ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରମିକଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରାଯାଇଛି। ଆଗକୁ ଏହି କାର୍ଯ୍ୟ ତ୍ବରାନ୍ବିତ ହେଲେ ଅଧିକ ସ୍ଥାନୀୟ ଶ୍ରମିକ ନିୟୋଜିତ ହେବା ସହ ଅନ୍ୟମାନଙ୍କୁ କର୍ମସଂସ୍ଥାନ ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ଜେଏସ୍ଡବ୍ଲ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମନୋଭାବରେ ଧୀରେ ଧୀରେ ପରିବର୍ତ୍ତନ ଆସୁଥିବା ଦେଖାଯାଉଛି।