ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀଜଗନ୍ନାଥ ମନ୍ଦିର ପାଚେରି ଭୁଶୁଡ଼ିଲା; ଯାଜପୁର-ମଙ୍ଗଳପୁର ରାସ୍ତାରେ ଯାତାୟାତ ପ୍ରଭାବିତ

ଯାଜପୁରସଦର: ଅତ୍ୟଧିକ ଭାରୀଯାନ ଚଳାଚଳ କାରଣରୁ ଶ୍ରୀଜଗନ୍ନାଥ ମନ୍ଦିର ପାଚେରି ପୁନର୍ବାର ଭାଙ୍ଗି ଯାଇଛି। ସଂପ୍ରତି ଯାଜପୁର ସହରରେ ବିଭିନ୍ନ ବିକାଶମୂଳକ କାମ କରାଯାଉଛି। ରାସ୍ତାଗୁଡ଼ିକର ସଂପ୍ରସାରଣ ଚାଲିଛି। ଯାଜପୁର ସହରର ବିରଜା ରିଂ ବନ୍ଧକୁ ଚାରି ଥାକିଆ କରାଯାଉଛି। ‌ବାଟରେ ଶ୍ରୀଜଗନ୍ନାଥ ମନ୍ଦିରର ପାଚେରି ଓ ଏଏସଆଇ ଅଧୀନ ଅଞ୍ଚଳ‌ ଥିବାରୁ ସେଠାରେ ରାସ୍ତା ନିର୍ମାଣ ସମ୍ଭବ ହୋଇପାରୁନାହିଁ।

ଜଳସଂପଦ ବିଭାଗ ହାତରେ ଥିବା ବିରଜା ରିଂ ରୋଡ୍‌କୁ ୨୦୧୮ ରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ୨୦୧୯ ରେ ପୂର୍ତ୍ତ ବିଭାଗ ଯାଜପୁର-ମଙ୍ଗଳପୁର ବାଇପାସ୍‌ କୁହାଯାଉଥିବା ଏହି ରିଂ ରୋଡ୍‌ର ଦୋହରୀକରଣ କାର୍ଯ୍ୟ ଆରମ୍ଭ କରିଛି। କିଆନାଳୀରୁ ସୁନ୍ଦରାଇମୁହଁ ପର୍ଯ୍ୟନ୍ତ ବନ୍ଧ ରାସ୍ତାକୁ ଚଉଡ଼ା କରାଯାଇ ଦୀର୍ଘଦିନ ତଳୁ କାମ ସଂପୂର୍ଣ୍ଣ ହୋଇସାରିଛି। ମାତ୍ର ବରାହ ସେତୁ ନିକଟରୁ ବିଇଡି ଏମ୍‌ଇ ସ୍କୁଲ ପର୍ଯ୍ୟନ୍ତ ୮୫୦ ମିଟର ରାସ୍ତାଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଅଧୀନରେ ଆସୁଥିବାରୁ ନିର୍ମାଣ ସମ୍ଭବ ହୋଇନାହିଁ। ଜିଲ୍ଲାର ଦଶରଥପୁର, ମଙ୍ଗଳପୁର  ସମେତ ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଜିଲ୍ଲା ଆରଡ଼ି ଧାମକୁ ଉକ୍ତ ରିଂ ରୋଡଟି ମୁଖ୍ୟ ରାସ୍ତା। ଏହାସତ୍ତ୍ବେ ଏଏସଆଇ ଦୀର୍ଘ ୪/୫ ବର୍ଷ ହେଲାଣି ରାସ୍ତାକୁ ନିର୍ମାଣରେ ପ୍ରତିବନ୍ଧ ସାଜିଛି। ଶ୍ରୀଜଗନ୍ନାଥ ମନ୍ଦିର ଓ ଲକ୍ଷ୍ମୀମନ୍ଦିର ପ୍ରାଚୀରକୁ ଲାଗି କଂକ୍ରିଟରେ ଏକ ଅଣଓସାରିଆ ରାସ୍ତା ନିର୍ମାଣ କରାଯାଇଛି। ଏଥିରେ ଦୁଇଟି ବଡ଼ ଭାରୀଯାନ ପରସ୍ପରକୁ ଅତିକ୍ରମ କରିବା ସମ୍ଭବ ହୋଇପାରୁନାହିଁ।

ନିକଟରେ  ରାଜସ୍ୱ ସଂଗ୍ରହ ପାଇଁ ବୈତରଣୀର ଦେବୀଗଡ଼ା ଘାଟ, ବଲ୍ଲଭୀଘାଟ, ସିଦ୍ଧେଶ୍ୱର ଘାଟ ଆଦି ସ୍ଥାନରେ ଦୀର୍ଘକାଳୀନ ବାଲିଘାଟ ଲିଜ୍‌ ଯୋଗୁଁ ସମସ୍ୟା ବଢ଼ିଛି। ଦଶାଶ୍ୱମେଧ ଘାଟରେ ବ୍ୟାରେଜ ନିର୍ମାଣ  ଓ ଅନ୍ୟାନ୍ୟ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଅନବରତ ସାମଗ୍ରୀ ପରିବହନ କାରଣରୁ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଦେଢ଼ବର୍ଷ ପୂର୍ବେ ଲକ୍ଷ୍ମୀମନ୍ଦିର ପଛପାର୍ଶ୍ବ ପଥର ପାଚେରିଟି ଭାଙ୍ଗି ଯାଇଥିଲା। ଏବେ ଗତ ୩ ଦିନ ଧରି ଲଗାଣ ବର୍ଷା ପରେ  ‌ଅବଶିଷ୍ଟ  ପାଚେରୀ ଭୁଶୁଡ଼ି ପଡ଼ିଛି। ପାଚେରି ଗଳିପଡ଼ିବା ଯେତିକି ସମସ୍ୟା ସୃଷ୍ଟି ନକରିଛି, ମୁଖ୍ୟ କଂକ୍ରିଟ ରୋଡଟି ଯେକୌଣସି ମୁହୂର୍ତ୍ତରେ ଧସିଯାଇ ଲୋକଙ୍କ ଧନଜୀବନ ହାନିର ଆଶଙ୍କା ସୃଷ୍ଟି କରିଛି। କାରଣ ଯାତ୍ରୀବାହୀ ବସ୍‌ ସବୁ ଯାଜପୁରରୁ ମଙ୍ଗଳପୁର ଯିବାବେଳେ ଭାଙ୍ଗିଥିବା ସ୍ଥାନର କଂକ୍ରିଟ ରୋଡ ଉପର ଦେଇ ଯିବାକୁ ହେବ। ତେଣୁ ଯେକୌଣସି ମୁହୂର୍ତ୍ତରେ ଅଘଟଣର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।
ଅନ୍ୟପକ୍ଷରେ ଦେଢ଼ବର୍ଷ ତଳୁ ପରେ ଓ ଏବେ ୪ ଦିନ ତଳୁ ପାଚେରିର ଅଂଶ ଧସିଯିବା ପରେ ଏଏସଆଇକୁ ଅବଗତ କରାଯିବା ସତ୍ତ୍ୱେ ବିଭାଗ କର୍ଣ୍ଣପାତ କରୁନାହିଁ। ସ୍ଥାନୀୟ ବାସିନ୍ଦା ଆଇନଜୀବୀ ସମରଜିତ ମହାନ୍ତି ଏଏସଆଇ କର୍ତ୍ତୃପକ୍ଷଙ୍କୁ ଇ-ମେଲ ଦ୍ୱାରା ଚିଠି ଲେଖି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ନିବେଦନ କରିଥିଲେ ହେଁ ଏଏସଆଇ ଜଣେ ଜଗୁଆଳିଙ୍କୁ ସେଠାରେ ନିୟୋଜିତ କରି ତା’ର ଦାୟିତ୍ୱ ସାରିଛି। ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଘଟଣାସ୍ଥଳକୁ ଆସି ସତର୍କ ସୂଚନା ଦେବା ପାଇଁ ନାଲିଫିତା ବାନ୍ଧି ସୂଚନାଫଳକ ଲଗାଇବାର ବ୍ୟବସ୍ଥା କରିଛନ୍ତି। ପ୍ରାୟ ୫ ବର୍ଷ ପୂର୍ବେ ଜଗନ୍ନାଥ ମନ୍ଦିରର ଅଳ୍ପକିଛି ଅଂଶ ଧସି ଯିବାରୁ ତତ୍କାଳୀନ ତହସିଲଦାର ତଥା ମନ୍ଦିରର ଟ୍ରଷ୍ଟିଙ୍କ ଅନୁରୋଧକ୍ରମେ ପୂର୍ତ୍ତ ବିଭାଗ କେବଳ ପାଚେରି ମରାମତି କରିଥିଲା। ଏନେଇ ଏଏସଆଇ କର୍ତ୍ତୃପକ୍ଷ ତହସିଲଦାର ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀ ମହେଶ୍ୱର ସାହୁଙ୍କ ନାମରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲା।

ସମ୍ବନ୍ଧିତ ଖବର