ବିଜେପି-କଂଗ୍ରେସ ଉପରେ ବର୍ଷିଲେ ଭାସ୍କର ରାଓ, ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାରୁ ଦୂରେଇ ରହିବାକୁ ଦେଲେ ଚେତାବନୀ

ରାୟଗଡ଼ା: ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଜାଗା ମିଶନ୍ ଜରିଆରେ ପ୍ରତ୍ୟେକ ପରିବାକୁ ଜମି ପଟ୍ଟା ଏବଂ ବିଜୁ ପକ୍କା ଘର ଯୋଜନାରେ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ୨୦୧୭ ମସିହାରୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇ ଏହି ପ୍ରକ୍ରିୟା ଜାରି ରହିଛି। କିନ୍ତୁ ନିର୍ବାଚନରେ ଭୋଟ ହାତେଇବାକୁ ବି‌ରୋଧୀ କଂଗ୍ରେସ ଓ ବିଜେପି ମିଥ୍ୟା ପ୍ରଚାର ଚଳାଇଛନ୍ତି। ବସ୍ତି ବାସିନ୍ଦାଙ୍କୁ ଢ଼ାଲ କରି ବି‌ରୋଧୀ ଆପଣାଇଥିବା ନିର୍ବାଚନୀ ମୁଦ୍ଦାକୁ ନିନ୍ଦା କରିଛନ୍ତି ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଆଜି ସାଂସଦଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓ କହିଛନ୍ତି, ସହରରେ ବାସ କରୁଥିବା ୩ ହଜାରରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ରେଳ ବିଭାଗ ନୋଟିସ୍ ଜାରି କରିଛି। ରେଳ ବିଭାଗର ନୋଟିସ୍ ବସ୍ତି ବାସିନ୍ଦାଙ୍କ ନିଦ ହଜାଇ ଦେଇଥିବା ବେଳେ ସେମାନଙ୍କୁ ଥଇଥାନ ପାଇଁ ଓଡ଼ିଶା ସରକାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି। ଅନ୍ୟତ୍ର ଥଇଥାନ ପାଇଁ ପ୍ରୟାସ ଚାଲିଛି। ବର୍ତ୍ତମାନ ପୌର ନିର୍ବାଚନ ସମୟରେ ବିଜେପି, କଂଗ୍ରେସ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି।

ନିର୍ବାଚନରେ ବିଜୟୀ ହେଲେ ଥଇଥାନ ସହ ସ୍ଥାୟୀ ଜମି ପଟ୍ଟା ଓ ଘର ପ୍ରଦାନ କରିବାକୁ କହୁଛନ୍ତି। ଯଦି କଂଗ୍ରେସ ଓ ବିଜେପି ବସ୍ତି ବାସିନ୍ଦାଙ୍କୁ ଥଇଥାନ କରି ପଟ୍ଟା ପ୍ରଦାନ କରିଦେବେ ତାହା ହେଲେ ଭବିଷ୍ୟତରେ ବସ୍ତି ବାସିନ୍ଦାଙ୍କୁ ଆଉ ଭୋଟ ମାଗିବାକୁ ଯିବ‌େ ନାହିଁ ବୋଲି ସାଂସଦ ଶ୍ରୀ ରାଓ କହିଛନ୍ତି। ନିକଟରେ ଚିନ୍ତଲପେଟା ବସ୍ତିକୁ ଯାଇ ବିରୋଧୀ ଅପପ୍ରଚାର କରିଥିଲେ। ଆଜି ସମସ୍ତ ବସ୍ତିବାସିନ୍ଦା ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଓଡ଼ିଶା ସରକାର ଜମି ପଟ୍ଟା, ଘର, ବିଦ୍ୟୁତକରଣ, ପାନୀୟଜଳ ସୁବିଧା ଯୋଗାଇ ଦେଇଥିବା ପ୍ରକାଶ କରିଥିଲେ। ଚିନ୍ତାଲପେଟାରେ ବାସ କରୁଥିବା ୬୦ ପରିବାରର ଶହେରୁ ଉର୍ଦ୍ଧ୍ବ ସଦସ୍ୟ ସାଂସଦ ଶ୍ରୀ ରାଓଙ୍କ ଦ୍ବାରା ଉପକୃତ ହୋଇଥିବା କହିଥିଲେ। ବସ୍ତିବାସିନ୍ଦାଙ୍କୁ ନେଇ ରାଜନୀତି କରୁଥିବା ବିଜେପି ନେତୃମଣ୍ଡଳୀ କେନ୍ଦ୍ର ସରକାରଙ୍କ ଜରିଆରେ ବହୁ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନେଇ ପାରିଥାନ୍ତେ। ଏବେ ନିର୍ବାଚନ ଆସିଥିବାରୁ ବସ୍ତିକୁ ଭୋଟ ମାଗିବାକୁ ଯାଇ ଅପପ୍ରଚାର ଚଳାଇଛନ୍ତି। ଯାହାର ଉଚିତ୍ ଜବାବ ବସ୍ତି ବାସିନ୍ଦା ନିର୍ବାଚନରେ ଦେବେ ବୋଲି ସାଂସଦ ଶ୍ରୀ ରାଓ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ରାଓଙ୍କ ସହିତ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ମହେଶ ପଟ୍ଟନାୟକ, ଜିଲ୍ଲା ସାଧାରଣ ସଂପାଦକ ଅମୀୟ ସ୍ବାଇଁ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର