ରାଜଗାଙ୍ଗପୁର: ରାଜଗାଙ୍ଗପୁର ବ୍ଲକ୍‌ର କେତେକ ପଞ୍ଚାୟତରେ ଡିଏମ୍‌ଏମ୍‌ ଅର୍ଥର ଅପବ୍ୟୟ ହେଉଥିବା ଦେଖାଯାଇଛି। ପୁରୁଣା ପ୍ରକଳ୍ପ ଥାଇ ବି ପୁଣି ନୂଆ ପ୍ରକଳ୍ପ ପାଇଁ ଅନୁଦାନ ମଞ୍ଜୁର ହୋଇଛି। କେବଳ ବାଟମାରଣା କରିବାକୁ ଏପରି କରାଯାଇଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଜିଲ୍ଲା ଖଣିଜପାଣ୍ଠିର ଅର୍ଥକୁ ଦଳୀୟ କର୍ମକର୍ତ୍ତାଙ୍କୁ ଖୁସି କରିବା ପାଇଁ ବ୍ୟବହାର କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ସୂଚନାଯୋଗ୍ୟ ଯେ, ରାଜଗାଙ୍ଗପୁର ବ୍ଲକ୍‌ର ୩୪ଟି ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜପାଣ୍ଠିରୁ ଅର୍ଥ ଅନୁମୋଦନ କରାଯାଇଛି। ଉକ୍ତ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ପ୍ରକଳ୍ପ ସିସି ରାସ୍ତା ରହିଛି। ସେଥିମଧ୍ୟରୁ ଅଧିକାଂଶ ରାସ୍ତା ଠିକ୍‌ ଠାକ୍ ଥିବାବେଳେ ପୁଣି ସେଗୁଡ଼ିକ ପାଇଁ ଅର୍ଥ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ଢେଲୁଆ ପଞ୍ଚାୟତ କାର୍ଯ୍ୟାଳୟଠାରୁ ସୋନୁପଡ଼ା ପଞ୍ଚାୟତ ରାସ୍ତାଟି ୨ ବର୍ଷ ତଳେ ନିର୍ମାଣ କରାଯାଇଛି। ସେହିପରି ସେହି ପଞ୍ଚାୟତ ୱାଟର ପଏଣ୍ଟଠାରୁ ମଧୁ ସାହୁ ଘର ପର୍ଯ୍ୟନ୍ତ ରାସ୍ତା ୩ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ସେହି ରାସ୍ତାଗୁଡ଼ିକ ପାଇଁ ପୁଣିଥରେ ଅର୍ଥ ମଞ୍ଜୁରହେବା ଭ୍ରୂକୁଞ୍ଚନ ସୃଷ୍ଟିହୋଇଛି।

ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ସିସି ରୋଡ୍‌ଗୁଡ଼ିକରେ ମୁନାଫା ଅଧିକ ଥିବାରୁ ଅଧିକମାତ୍ରାରେ ଏହି ଧରଣର କାମ କରିବା ପାଇଁ ପ୍ରେତ୍ସାହିତ କରାଯାଉଛି। କାହା ପ୍ରରୋଚନାରେ ପୁରୁଣା ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଯାଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ପୁରୁଣା ପ୍ରକଳ୍ପକୁ ଅର୍ଥ ମଞ୍ଜୁରକରି ଆତ୍ମସାତ୍‌ କରିବାକୁ ଯୋଜନା କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।