ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୨ ନଂ ୱାର୍ଡ ମହୁଲଡିହାସ୍ଥିତ ୨୨୦ ନଂ ଜାତୀୟ ରାଜପଥପାର୍ଶ୍ବରେ ଥିବା ବନ୍ଧ (ଜଳାଶୟ)କୁ ସରସ ସୁନ୍ଦର କରିବା ପାଇଁ ପୁନଃ ନିର୍ମାଣ କରି ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ଉକ୍ତ ପୋଖରୀ ତୁଠକୁ ପ୍ରତ୍ୟେହ ବସିବାକୁ ଓ ପ୍ରାତଃଭ୍ରମଣ ପାଇଁ ଯାଇଥାନ୍ତି।
ତେବେ ପାର୍କଠାରୁ ମାତ୍ର ୨୦ ଫୁଟ୍ ଦୂରରେ ସହରର ସମସ୍ତ ଅଳିଆ ଆବର୍ଜନା ପକାଯିବା ଫଳରେ ସମ୍ପୃକ୍ତ ଅଂଚଳ ଛୋଟ ପାହାଡ ସଦୃଶ ହୋଇ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି କରିଥିଲା। ସ୍ଥିତି ଏମିତି ଥିଲା ଯେ ସେଠାରେ ବସିବା ମଧ୍ୟ ଅସମ୍ଭବ ହୋଇପଡ଼ିଥିଲା। ତେବେ ସହର ବାସିନ୍ଦାମାନେ ସେଠାରେ ଅଳିଆ ଆବର୍ଜନା ପକାଇବାକୁ ବାରମ୍ବାର ବିରୋଧ କରୁଥିଲେ ମଧ୍ୟ କେହି କର୍ଣପାତ କରୁନଥିଲେ। ଏନେଇ ଗତକାଲି ୨୯ ଜୁଲାଇରେ ଦୈନିକ ସମ୍ବାଦ ଖବର କାଗଜରେ “ରାଇରଙ୍ଗପୁର ସହର ଭିତରେ ଅଳିଆ ପାହାଡ” ଶିର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବାର ଗୋଟିଏ ଦିନ ପରେ ପୋଖରୀ ପାର୍ଶ୍ବରେ ଥିବା ଅଳିଆ ଆବର୍ଜନାକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କଲା ପୌର ପ୍ରଶାସନ। ବର୍ତ୍ତମାନ ପୋଖରୀ ତୁଠରେ ସମସ୍ତ ଅଳିଆ ହଟାଇବା ପରେ ସ୍ଥାନୀୟ ଲୋକେ ପାର୍କରେ ଆରାମରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବସୁଥିବା ଦେଖିବାକୁ ମିଳୁଛି। ଖବର ପ୍ରକାଶ ପରେ ସେଠାରୁୁ ଅଳିଆ ହଟାଯାଇଥିବାରୁ ସହର ବାସିନ୍ଦା ସମ୍ବାଦକୁ ଧନ୍ୟବାଦ ଅର୍ପଣ କରିଛନ୍ତି।