ରାଉରକେଲା: ଦୂଷିତ ପାଣି ଯୋଗାଣ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ତତ୍ପର ହୋଇଛି ୱାଟ୍‌କୋ। ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଫଟାପାଇପ୍‌ ମରାମତି। ଶୁକ୍ରବାର ୱାଟ୍‌କୋର ମହାପ୍ରବନ୍ଧକ ଇଂ ପିକେ ମହାନ୍ତି ଓ ଅନ୍ୟ ଅଧିକାରୀ ଦୂଷିତ ପାଣି ଯୋଗାଣ ହେଉଥିବା ଅଞ୍ଚଳ ବୁଲି ଦେଖିଥିଲେ। ଆସୁଥିବା ପାଣିର ମାନ ମଧ୍ୟ ଯାଞ୍ଚ କରିଥିଲେ। ପାୱାର ହାଉସ୍‌ ରୋଡ ଓ ଏହାର ଆଖପାଖ ୩ଟି ସ୍ଥାନରେ ଫାଟିଥିବା ପାଇପ୍‌ଗୁଡ଼ିକୁ ତୁରନ୍ତ ମରାମତି କରା ଯାଇଥିଲା। ଆସନ୍ତକାଲି ଶନିବାର ଅନ୍ୟସ୍ଥାନରେ ଫାଟିଥିବା ପାଇପ୍‌ଗୁଡ଼ିକୁ ମରାମତି କରାଯିବ ବୋଲି ଜଣାପଡ଼ିଛି। କେବଳ ପାୱାରହାଉସ୍‌ ରୋଡ୍‌ ନୁହେଁ, ଏହାର ଆଖପାଖ ବସ୍ତି ଓ କଲୋନି ମଧ୍ୟରେ ଯାଇଥିବା ନାଳ ଭିତରେ ଯେଉଁ ପାଇପ୍‌ ଗୁଡ଼ିକୁ ଚିହ୍ନଟ କରାଯାଇଛି, ପର୍ଯ୍ୟାୟକ୍ରମେ ସେଗୁଡ଼ିକ ବଦଳାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ହଇଜା ସମୟରେ ଫଟାପାଇପ୍‌ ମରାମତି ପରେ ସହରରେ ଆଉ କେଉଁ କେଉଁ ସ୍ଥାନରେ ପାଇପ୍‌ ଲିକ୍‌ ରହିଛି, ଖୋଜା ଚାଲିଛି।

Advertisment

publive-image

ୱାଟ୍‌କୋର ଅଧିକାରୀ ଓ କର୍ମଚାରୀମାନେ ବାସନ୍ତୀକଲୋନି, ଛେଣ୍ଡକଲୋନି, ସିଭିଲଟାଉନସିପ୍‌, କଳିଙ୍ଗବିହାର, ପାନପୋଷ, ରାଉରକେଲା ମୁଖ୍ୟମାର୍ଗ, ଉଦିତନଗର, ଓରାମପଡ଼ା ସମେତ ଅନ୍ୟବସ୍ତି ଓ କଲୋନିକୁ ଯୋଗାଣ ହେଉଥିବା ପାଣି ପାଇପ୍‌ଗୁଡ଼ିକ ଯାଞ୍ଚ କରୁଛନ୍ତି। ଯେଉଁଯେଉଁ ଅଞ୍ଚଳରୁ ଅଭିଯୋଗ ଆସୁଛି, ସେଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ମରାମତି କରାଯାଉଛି ବୋଲି ୱାଟ୍‌କୋ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ହଇଜା ସମୟରେ ୱାଟ୍‌କୋ ପକ୍ଷରୁ ସହରର ପ୍ରାୟ ୨୫୦ରୁ ଅଧିକ ସ୍ଥାନରେ ଫାଟିଥିବା ପାଇପ୍‌କୁ ମରାମତି କରାଯାଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ ସହରର ୧୨ଟି ହଟ୍‌ସ୍ପଟ୍‌ ଅଞ୍ଚଳକୁ ୱାଟ୍‌କୋ କର୍ମଚାରୀ ପ୍ରାଥମିକତା ଦେଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଫାଟିଥିବା ପାଇପଗୁଡ଼ିକ ମରାମତି କଲେ। ହେଲେ ସହରର ଅଧିକାଂଶ ସ୍ଥାନରେ‌ ନାଳୀ ଭିତରେ ପାଣି ପାଇପ ଯାଇଥିଲେ ସୁଦ୍ଧା, ସେଗୁଡ଼ିକୁ ବଦଳା ଯାଇ ନାହିଁ। ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌ ଯୋଜନାରେ ନିକଟରେ ୮୫ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି ବୋଲି କହାଯାଉଛି। ହେଲେ କୋଟିକୋଟି ଟଙ୍କା ଖର୍ଚ୍ଚ ହେବା ପରେ ବି ବାରମ୍ବାର ତ୍ରୁଟି ଦେଖିବାକୁ ମିଳୁଛି।