‘ୱାଟର ଏଟିଏମ’ରୁ ଝରୁନି ପାଣି, ଲକ୍ଷଲକ୍ଷ ଟଙ୍କା ପାଣିରେ

ରାଜକନିକା: ତାତିରୁ ତ୍ରାହି ମିଳୁନି। ମୁଣ୍ଡ ଫଟା ଖରାରେ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି। ଡହଡହ ଖରାରେ ବାଟୋଇଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଏପଟେ ରାଜକନିକା ବ୍ଲକ୍‌ରେ ବିଭାଗୀୟ ଉଦାସୀନତା ପାଇଁ ପାଣି ସମସ୍ୟା ଜଟିଳ ହୋଇପଡ଼ିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ କରାଯାଉଛି। ତାହା କିନ୍ତୁ କାମରେ ଲାଗୁନି। ୱାଟର୍‌ ଏଟିଏମ୍‌ ଏହାର ଉଦାହରଣ। ଲକ୍ଷଲକ୍ଷ ଖର୍ଚ୍ଚ କରାଯାଇ ରାଜକନିକା ବ୍ଲକ୍‌ରେ ୱାଟର ଏଟିଏମ୍‌ ବସାଯାଇଥିବା‌ ବେଳେ ତାହା ଏବେ କାମରେ ଲାଗୁନି। ସୂଚନା‌ ଅନୁସାରେ, ରାଜକନିକା ବ୍ଲକ୍‌ରେ ୨୦୧୮ ଓ ୨୦୧୯ ଆର୍ଥିକ ବର୍ଷରେ ୧୨ଟି ପଞ୍ଚାୟତରେ ୧୪ଟି ୱାଟର ଏଟିଏମ୍‌ ସ୍ଥାପନ କରାଯାଇଥିଲା। କଟଣା ବଣିଆ, ତ୍ରୈଲକ୍ୟପୁର, ସିକୋ, ଆଖୁଳାଇପଡ, ଭରିଗଦା, ପାରିନୂଆପଡା ହାବଳଗଣ୍ଡ, ବଳରାମପୁରୁ, ପେଗର ପଡା, ନମତରl ଓ ଚାରପଡାରେ ଏହି ଏଟିଏମ୍‌ ବସିଥିଲା। ପଞ୍ଚାୟତ ପାଣ୍ଠିରୁ କେଉଁଠି ୩ ଲକ୍ଷ ୫o ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା ତ ଆଉ କେଉଁଠି ୫ ଲକ୍ଷ ଟଙ୍କା ବ୍ୟୟ କରି ଲୋକମାନଙ୍କ ପାଇଁ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବାକୁ ଯୋଜନା କରାଯାଇଥିଲା।

କେଉଁ ପଞ୍ଚାୟତରେ ଟଙ୍କାଟିଏ ଦେଲେ ଏକ ଲିଟର ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ଲୋକେ ପାଉଥିଲେ ତ ଆଉ କେଉଁ ପଞ୍ଚାୟତରେ ମାଗଣାରେ ଲୋକେ ଥଣ୍ଡା ପାନୀୟ ଜଳ ପାଉଥିଲେ। ‌ଏବେ ଏହି ୱାଟର ଏଟିଏମ ଉପରେ କେଉଁଠି ଗଛ ମାଡିଗଲାଣି ତ ଆଉ କେଉଁଠି ଭାଙ୍ଗି ପଡି ରହିଛି l କେବଳ ତ୍ରୈଲକ୍ୟପୁର ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତରେ ଏଗୁଡ଼ିକ ଅଚଳ ପଡ଼ିରହିଛି। ପଞ୍ଚାୟତ ପାଣ୍ଠିରୁ ଏତେ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ୱାଟର ଏଟିଏମଗୁଡିକ କାମ ଅତି ନିମ୍ନ ମାନର ହୋଇଥିବାରୁ ୩ ବର୍ଷ ନ ପୂରୁଣୁ ଅଚଳ ହୋଇଯାଇଛି। ଡହଡହ ଖରାରେ ବାଟୋଇ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବିଶୁଦ୍ଧ ଥଣ୍ଡା ପାଣି ଯୋଗାଇବା ଏକ ପ୍ରହସନ ଥିଲା ବୋଲି ଲୋକମାନେ କହିଛନ୍ତି। ତୁରନ୍ତ ଏହି ୱାଟର ଏଟିଏମ ଗୁଡିକୁ ସଜାଡ଼ିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ରାଜକନିକା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି ଯେ, ଆପଣଙ୍କଠାରୁ ଏ ବିଷୟରେ ଜାଣିବାକୁ ପାଇଲି, ତୁରନ୍ତ ଏଗୁଡ଼ିକ ସଜାଡ଼ିବାକୁ ପଞ୍ଚାୟତ ପିଇଓଙ୍କୁ ନିର୍ଦ୍ଦେଶ ଦିଆଯିବ।

ସମ୍ବନ୍ଧିତ ଖବର