ରାଜନଗର: ସିଆର୍‌ଜେଡ ଆଇନକୁ ଦଳି ମକଚି ନଦୀ ଭିତରେ ନିର୍ମାଣ କରାଯାଇଛି ବେଆଇନ ଜେଟି। ଟ୍ରଲର ଓ ବୋଟ୍‌ ଗୁଡ଼ିକୁ ପିଇବା ପାଣି ବିକ୍ରି ପାଇଁ ଏହି ଜେଟି ନିର୍ମାଣ ହୋଇଛି। ୨ଶହ ମିଟର ଦୂରରେ ବୋରିଂ କରାଯାଇ ମୁଖ୍ୟରାସ୍ତା ତଳେ ପାଣି ପାଇପ୍‌ ବିଛାଇ ନଦୀ ଭିତରକୁ ନିଆଯାଇଛି। ଯେଉଁ ସ୍ଥାନରେ ଏହି ଜେଟି ନିର୍ମାଣ କରାଯାଇଛି, ସେହି ସ୍ଥାନଟି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ।
ରାଜନଗର ବ୍ଲକ୍‌ ତାଳଚୁଆ ନିକଟରେ ବୈତରଣୀ ନଦୀ ପଠା ଓ ନଦୀ ମଧ୍ୟରେ ପିଲାର ଉଠାଯାଇ ଜେଟି ନିର୍ମାଣ କରାଯାଇଛି। ବୈତରଣୀ ନଦୀ ଭିତରେ ଜଙ୍ଗଲ ପରିବେଶ ଆଇନ୍ ଓ ସିଆର୍‌ଜେଡ୍‌ ଆଇନକୁ ଉଲ୍ଲଂଘନ କରି ତାଳଚୁଆ ଅଞ୍ଚଳର ଉତ୍ତମ ଦେବନାଥ ଏହି ଜେଟି ନିର୍ମାଣ କରିଛନ୍ତି। ୨ଶହ ମିଟର ଦୂରରେ ବୋରିଂ କରାଯାଇଛି। ୨ଶହ ମିଟର ଦୂରରୁ ରାଜନଗର-ତାଳଚୁଆ ମୁଖ୍ୟରାସ୍ତା ତଳେ ପାଣି ପାଇପ୍‌କୁ ପାର କରାଯାଇଛି। ପାଣି ପାଇପକୁ ମାଟି ତଳେ ପୋତି ନଦୀ ମଧ୍ୟକୁ ନିଆଯାଇଛି। ନଦୀ ଭିତରେ ପୂର୍ବରୁ ଯେଉଁଠି ପଠା ଥିଲା, ସେଠାରେ ମାଙ୍କଡ଼ା ପଥରରେ ଜେଟି ନିର୍ମାଣ କରାଯାଇଛି। ଜେଟି ନିର୍ମାଣ ସରିଯିବା ପରେ ଜେଟିର ୩ ପଟରୁ ଥିବା ନଦୀ ପଠାକୁ କାଟି ମାଟି ବାହାର କରି ଦିଆଯାଇଛି। ଟ୍ରଲର ଓ ଗିଲନେଟର ଗୁଡ଼ିକ ସୁରୁଖୁରୁରେ ଆସି କିଭଳି ଜେଟିରେ ଲାଗିପାରିବ ଓ ପାଣି ନେଇପାରିବେ ସେହି ବ୍ୟବସ୍ଥା କରାଯାଇଛି। ତାଳଚୁଆ ଅଞ୍ଚଳର ୫୦ଟି ଟ୍ରଲର, ଗିଲନେଟର ସହିତ ୫୦ଟି ଭୁଟୁଭୁଟି ୩ଶହ ମାଛଧରା ଡଙ୍ଗା ରହିଛି। ଏହି ଟ୍ରଲର, ଭୁଟୁଭୁଟି ଓ ଡଙ୍ଗା ଗୁଡ଼ିକ ତାଳଚୁଆରୁ ମାଛ ମାରିବାକୁ ସମୁଦ୍ରକୁ ଯାଇଥାନ୍ତି। ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର ଗୁଡ଼ିକ ସମୁଦ୍ର ଭିତରେ କିଏ ୫ଦିନ ତ କିଏ ୧୫ଦିନ ଧରି ରହିଥାଏ। ଏହି ଟ୍ରଲର ଓ ଯନ୍ତ୍ରଚାଳିତ ବୋଟ୍‌ ଗୁଡ଼ିକ କୂଳ ଛାଡ଼ିବା ପୂର୍ବରୁ ପିଇବା ପାଣି ପର୍ଯ୍ୟାପ୍ତ ପରିମାଣରେ ନେଇଥାନ୍ତି। ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ର ମଧ୍ୟରେ ପିଇବା ପାଣିର ନିଶ୍ଚିତ ଆବଶ୍ୟକତା ଥିବାରୁ କିଛି ପାଣି ମାଫିଆ ସେମାନଙ୍କୁ ଶୋଷଣ କରୁଛନ୍ତି। ଏହି ଜେଟିରେ ପାଣି ନେଉଥିବା ଟ୍ରଲର ଓ ଯନ୍ତ୍ରଚାଳିତ ବୋଟ୍‌ ଠାରୁ ୧ ମିନିଟ୍‌ ପାଣି ଦେବା ପାଇଁ ୪୦ ରୁ ୫୦ ଟଙ୍କା ନିଆଯାଇଥାଏ। ଯେଉଁ ଟ୍ରଲର ଯେତେ ମିନିଟ୍‌ ପାଣି ନେବ, ସେତେ ୫୦ଟଙ୍କା ଦେବ। ଏହି ପାଣି ବେପାର ବେଆଇନ ଭାବେ ବେଧଡ଼କ ଭାବେ ଚାଲିଛି।

Advertisment

ବଡ଼କଥା ହେଲା, ସିଆର୍‌ଜେଡ ଓ ଜଙ୍ଗଲ ପରିବେଶ ଆଇନକୁ ଉଲ୍ଲଂଘନ କରି କିପରି ବୈତରଣୀ ନଦୀ ଭିତରେ ବ୍ୟକ୍ତିଗତ ଜେଟି ନିର୍ମାଣ କରାଗଲା ବୁଝାପଡୁ ନାହିଁ। ୨୦୧୬ ଜାନୁଆରିରେ ଏହି ସ୍ଥାନରେ ଗଢ଼ି ଉଠିଥିବା ବେଆଇନ ଜେଟିକୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭଙ୍ଗା ଯାଇଥିଲା। ଏବେ କିପରି ସେହି ସ୍ଥାନରେ ପୁଣି ନଦୀ ଭିତର ଯାଏ ଜେଟି ନିର୍ମାଣ ହେଲା ଓ ପିଇବା ପାଣି ବିକିବା ପାଇଁ କିଏ ଅନୁମତି ଦେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏହି ବେଆଇନ ଜେଟି ନିର୍ମାଣ ଓ ପାଣି ବିକ୍ରି ସମ୍ପର୍କରେ ଗଙ୍ଗାମାତା ଫିସରମ୍ୟାନ୍‌ ଆସୋସିଏସନ୍‌ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ, ରାଜନଗର ଡିଏଫଓ, ରାଜନଗର ତହସିଲଦାର, କନିକା ରେଞ୍ଜ୍‌ ଅଫିସରଙ୍କୁ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଭାବେ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୬ ମସିହାରେ ବର୍ତ୍ତମାନ ବେଆଇନ ଜେଟି ନିର୍ମାଣ କରିଥିବା ଉତ୍ତମ ଦେବନାଥଙ୍କ ସହିତ ଅନ୍ୟ ଜଣେ ପୃଥକ ଭାବେ ବେଆଇନ ଜେଟି ନିର୍ମାଣ କରି ପାଇପ୍‌ ଦ୍ବାରା ନଦୀ ମଧ୍ୟରେ ପାଣି ବ୍ୟବସାୟ କରୁଥିଲେ। ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଯୋଗୁଁ ଉଭୟ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୧୩ ଜାନୁଆରି ୨୦୧୬ରେ ଏହି ବେଆଇନ ପାଣି ବେପାରକୁ ବନ୍ଦ କରିବା ସହ ବେଆଇନ ଜେଟିକୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ତହସିଲ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା। ପୂର୍ବରୁ ନଦୀ କୂଳରେ ଏହି ଜେଟି ନିର୍ମାଣ କରାଯାଇଥିବା ବେଳେ ଏବେ ଆଉ ଦିପାଦ ଆଗକୁ ଯାଇ ନଦୀ ଭିତରେ ବେଆଇନ ଜେଟି ନିର୍ମାଣ କରାଯଇଛି। ମଙ୍ଗଳବାର ଗଙ୍ଗାମାତା ଫିସରମ୍ୟାନ୍‌ ‌ଆସୋସିଏସନ୍‌ର ସଭାପତି ମଦନ ଦେବନାଥ, ସମ୍ପାଦକ ଅମଲ ପ୍ରଧାନ, ବରିଷ୍ଠ ସଦସ୍ୟ ସୁଜେଶ ମଣ୍ତଳ, ପୂର୍ଣ୍ଣଚନ୍ଦ୍ର ଜେନା, ଦୀପଙ୍କର ଦେବନାଥ, ହୀରାନାଥ ମଣ୍ତଳ ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲାପାଳ, ଡିଏଫଓଙ୍କୁ ଲିଖିତ ଭାବେ ଏନେଇ ଅଭିଯୋଗ କରିବା ସହ ଏହି ବେଆଇନ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି।