ଡ୍ରେନ ନିର୍ମାଣ ପାଇଁ ଦାବି, ପାଣି ଘେରରେ ବେହେରା ସାହି

ବାଲିଅନ୍ତା: ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମ ମଝିରେ ଥିବା ପଞ୍ଚାୟତ ପୋଖରୀ ଏବେ ଗ୍ରାମବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ବର୍ଷା ଦିନେ ଗାଁ ଭିତରୁ ପୋଖରୀକୁ ଯାଉଥିବା ବର୍ଷାପାଣି ନିଷ୍କାସିତ ହୋଇନପାରି ବେହେରା ସାହି ଲୋକଙ୍କ ଘରେ ପଶୁଛି। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ପୋଖରୀ ପୂର୍ଣ୍ଣ ହୋଇଯିବା ପରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ବର୍ଷା ଛାଡ଼ି ଯିବାର ଦୀର୍ଘ ସମୟ ପରେ ମଧ୍ୟ ସାହି ଲୋକ ପଦାକୁ ବାହାରି ପାରିନଥିଲେ। ଏନେଇ ବେହେରା ସାହି ବାସିନ୍ଦା ହନ୍ତସନ୍ତ ହୋଇଥିଲେ। ଜଳ ନିଷ୍କାସନ ହୋଇପାରୁ ନଥିବାରୁ ପୋଖରୀ ଉବୁଟୁବୁ ହୋଇ ରହୁଛି। ବର୍ଷା ଲାଗି ରହିଲେ ଘରେ ପାଣି ଲହଡ଼ି ଭାଙ୍ଗୁଛି। ପୋଖରୀ ବନ୍ଧ ପାଖରେ ରହୁଥିବା ସାହି ଲୋକ ବର୍ଷାଦିନେ ପାଣି ଘେରରେ ରହୁଛନ୍ତି। ସାପ ବେଙ୍ଗ ଆଦି ପ୍ରଜାତିର ସରିସୃପ ଘରେ ପଶି ଯାଉଥିବାରୁ ହୀନସ୍ତା ହେଉଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜଳ ନିଷ୍କାସନ ନେଇ ଗ୍ରାମ ପଞ୍ଚାୟତ ଡ୍ରେନ ନିର୍ମାଣ କରୁନଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା ଲୋକମାନେ କ୍ଷୋଭର ସହ କହିଛନ୍ତି।

ଏ ସଂପର୍କରେ ସ୍ଥାନୀୟ ଲୋକ ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଘେରିବେ ବୋଲି ଚେତାବନୀ ଦେଇଛନ୍ତି। ସାହି ଲୋକଙ୍କ କହିବା କଥା ପୋଖରୀରୁ ଦଳ ସଫେଇ ଓ ପଙ୍କୋଦ୍ଧାର କରି ମାଛ ଚାଷ କରିବାକୁ ମହିଳା ମଞ୍ଚକୁ ସରପଞ୍ଚ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। ପୋଖରୀର ଉଭୟ ପାର୍ଶ୍ବରେ କଂକ୍ରିଟ ୱାଲ ନିର୍ମାଣ କରିବା ସହ ଡ୍ରେନ ନିର୍ମାଣ ଲାଗି ବି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ କିଛି ଶୁଣୁ ନାହାଁନ୍ତି। ଯାହା ଫଳରେ ପୋଖରୀ ପୂର୍ଣ୍ଣ ହୋଇଯିବା ପରେ ପାଣି ଘରେ ଲହଡ଼ି ଭାଙ୍ଗୁଛି। ଅନୁରୂପ ଭାବେ ପରିଡ଼ା ସାହି ଡ୍ରେନ ପୋତି ହୋଇ ଯିବାରୁ ସମସ୍ୟା ଜଟିଳ ହୋଇଛି। ଜଳ ନିଷ୍କାସନ ସମସ୍ୟା ଦିଗରେ ପଞ୍ଚାୟତ ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର