ଭଞ୍ଜନଗରରେ ‌କେବେ ହେବ ନୂତନ ଜଳ ବିଶୋଧନାଗାର, ବିଶୁଦ୍ଧ ପିଇବା ପାଣି ଆଶାରେ ସହରବାସୀ

ଭଞ୍ଜନଗର : ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟରେ ବହୁ ପ୍ରକଳ୍ପ ନିର୍ମାଣ ହେଉଛି। ତାହା ବ୍ରହ୍ମପୁରର ମେଗା ଜଳଯୋଗାଣ ପ୍ରକଳ୍ପ ଜାନିବିଲି ହେଉ ଅଥବା ରାଜ୍ୟ ସରକାରଙ୍କ ବସୁଧା ଯୋଜନା। କିନ୍ତୁ ଦୁଃଖର କଥା ହେଲା, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବହୁ ଦିନ ହେଲା ବିଭିନ୍ନ ସାହିକୁ ଗୋଳିଆ ପାଣି ଯୋଗାଣ ହେଉଛି। ଯାହାର ମୁଖ୍ୟ କାରଣ ହେଲା ୩୬ ବର୍ଷ ପୁରୁଣା ଜଳବିଶୋଧନାଗାର ତଥା ୱାଟର୍ ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍। ଏହି ପ୍ଲାଣ୍ଟ୍ ପୁରୁଣା ହୋଇସାରୁଥିବାରୁ ପାଣି ସଂପୂର୍ଣ୍ଣ ଭାବେ ବିଶୋଧିତ ହୋଇପାରୁନି। ଏଭଳି ପରିସ୍ଥିତିରେ ନୂତନ ପ୍ଲାଣ୍ଟ୍ ନିର୍ମାଣ ପାଇଁ ବହୁବାର ଦାବି ଉପସ୍ଥାପନ ହେଉଥିଲେ ବି, ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।

Sambad

ଭଞ୍ଜନଗର ଉପଖଣ୍ଡ ଜନସ୍ବାସ୍ଥ୍ୟ ବିଭାଗ ଏନ୍‌ଏସିକୁ ଜଳଯୋଗାଣର ଦାୟିତ୍ବ ଦେଇଛି। ସ୍ଥାନୀୟ ଜଳଭଣ୍ଡାରୁ ପାଣି ଉଠାଇ ଏହାକୁ ବିଶୋଧନ କରିବା ପରେ ସାଧାରଣ ଲୋକଙ୍କୁ ଯୋଗାଣ ହେଉଛି। ୨୦୧୧ ଜନଗଣନା ଅନୁସାରେ ଏନ୍‌ଏସିରେ ୨୦ ହଜାର ୪୮୨ ଜଣ ରହିଥିବା ବର୍ତ୍ତମାନ ଜନସଂଖ୍ୟା ବଢ଼ିଛି। ସହରର ୪୩୬୭ଟି ଘରକୁ ଜଳଯୋଗାଣ ପାଇଁ ପାଇପ୍‌ ସ˚ଯୋଗ ହୋଇଥିବା ବେଳେ ୨୧୩ଟି ଷ୍ଟାଣ୍ତପୋଷ୍ଟ୍ ରହିଛି। ଜଳଯୋଗାଣ ପାଇଁ ୩ଟି ସ୍ଥାନରେ ସମ୍ପ୍ ନିର୍ମାଣ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ୪ ଲକ୍ଷ ୫୦ ହଜାର ବିଶିଷ୍ଟ ଭୂତଳ ଟାଙ୍କି, ଉପଖଣ୍ଡ ଚିକିତ୍ସାଳୟରେ ନିକଟରେ ୧ ଲକ୍ଷ ୫୦ ହଜାର ବିଶିଷ୍ଟ ସୁଉଚ୍ଚ ଓ ୪ ଲକ୍ଷ ୫୦ ହଜାର ବିଶିଷ୍ଟ ଭୂତଳ ଟାଙ୍କି ଏବଂ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ୪ ଲକ୍ଷ ୫୦ ହଜାର ଲିଟର୍ ବିଶିଷ୍ଟ ଭୂତଳ ଟଙ୍କା ନିର୍ମାଣ କରାଯାଇଛି।

Sambadଜଳଭଣ୍ଡାରର ପାଣିକୁ ବିଶୋଧନ କରିବାକୁ ୧୯୮୫ ମସିହାରେ ଜଳ ବିଶୋଧନାଗାର ନିର୍ମାଣ ହୋଇଥିଲା। ଯାହାର କ୍ଷମତା ହେଉଛି, ୨୨ ଲକ୍ଷ ୭୦ହଜାର ଲିଟର ବିଶିଷ୍ଟ। ଦୀର୍ଘ ୩୬ ବର୍ଷ ଧରି ଏଠାରେ ଜଳ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ସହରରେ ମୁଣ୍ଡପିଛା ୧୩୫ ଲିଟର ପାଣିର ଆବଶ୍ୟକତା ରହୁଛି। ବର୍ତ୍ତମାନ ୧୩୮ ଲିଟର ହିସାବରେ ଜଳଯୋଗାଣ ହେଉଛି। ଏଭଳି ଭାବେ ସହରକୁ ପ୍ରତିଦିନ ମୋଟ ୩୦ ଲକ୍ଷ ଲିଟର ପାଣି ଦରକାର ପଡ଼ୁଥିବା ବେଳେ ଏହାଠୁ ଅଧିକ ୩୦ ଲକ୍ଷ ୯୦ ହଜାର ଲିଟର ଜଳଯୋଗାଣ ହେଉଛି। ଯାହାକି ପ୍ଳାଣ୍ଟ୍‌ର କ୍ଷମତା ଠାରୁ ଢେର୍ ଗୁଣ ଅଧିକ।

ଏହି ପ୍ଲାଣ୍ଟ୍‌କୁ ଜଳଭଣ୍ଡାରରୁ ସିଧା ପାଣି ଆସି ‘ର-ୱାଟର୍’ କେନାଲ୍‌କୁ ଯାଉଛି। ସେଠାରେ ଆଲମ ଚୂନ ମିଶାଯିବା ପରେ ପୁଣି ପାଣି ସେଟଲିଙ୍ଗ ଟାଙ୍କି ଦେଇ ଫିଲଟର ବେଡ୍‌କୁ ଯାଉଛି। ସେଠାରେ ବ୍ଲିଚିଂ ପକାଯାଇ ଟାଙ୍କିରେ ପାଣି ସଂରକ୍ଷିତ ରଖାଯାଉଛି। କିନ୍ତୁ ବହୁ ଦିନ ଧରି ଫିଲଟର ବେଡ୍‌ ସଫା ହେଉ ନଥିବା ଜଳ ମଧ୍ୟ ବିଶୋଧନ ହୋଇପାରୁନି। ବର୍ତ୍ତମାନ ଦିନକୁ ଦୁଇଓଳା ଜଳ ଯୋଗାଣ ହେଉଛି। କିନ୍ତୁ ଏହା ଠିକ୍ ଭାବେ ବିଶୋଧନ ହୋଇପାରୁନି। ଜଳଭଣ୍ଡାରରୁ ତରବରିଆ ଭାବେ ଲୋକଙ୍କୁ ପାଣି ଯୋଗାଣ ହେଉଛି। ଏଭଳି ଗୋଳିଆ ପାଣି ପିଇଲେ ସ୍ବାସ୍ଥ୍ୟବସ୍ଥା କଣ ହେବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ତୁରନ୍ତ ନୂତନ ପ୍ଲାଣ୍ଟ୍ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର