ଡେରାବିଶ: ଡେରାବିଶ ବ୍ଲକ୍ ଅନ୍ତର୍ଗତ କାଉପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ୧୫ ଦିନରୁ ଅଧିକ ଦିନ ହେବ ଉତ୍କଟ ପାନୀୟ ଜଳ ସମସ୍ୟା ଲାଗି ରହିଛି। ନୂଆ ପାଇପ ଲାଇନ୍ ବିଛାଇବା ନାଁରେ ଠିକାସଂସ୍ଥା ପାଣି ଯୋଗାଉଥିବା ପୁରୁଣା ପାଇପ୍ କାଟି ଦେଇଛି। ଗ୍ରାମବାସୀ ବିରୋଧ କରିବାରୁ ପ୍ରଥମ ରଜ ସୁଦ୍ଧା ନୂଆ ପାଇପ ପକାଯାଇ ସେଥିରେ ପାଣି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇ ଠିକାସଂସ୍ଥା ଉଭାନ ହୋଇଯାଇଛି। ପାନୀୟ ଜଳରୁ ବଂଚିତ ହୋଇ ମହିଳାମାନେ କାଉପଡା ପଂଚାୟତ ଅଫିସ୍ ଘେରାଉ କରିଥିଲେ। ତେବେ ରଜ ପରେ ଠିକାସଂସ୍ଥାର ହାତଗଣତି କେତେକ କର୍ମଚାରୀ ନୂଆ ପାଇପ୍ ବିଛା କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପଟେ ସରପଂଚ ପ୍ରତାପ ବେହେରା ନିଜ ତତ୍ବାବଧାନରେ ପାନୀୟ ଜଳ ପାଉ ନ ଥିବା ଗ୍ରାମଗୁଡିକରେ ୨୨ ତାରିଖଠାରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଉଥିବା ଜଣାପଡ଼ିଛି। ତେବେ ପଂଚାୟତ ପକ୍ଷରୁ ପିଇବା ପାଣି ଯୋଗାଇ ଦିଆଯାଉଥିଲେ ସୁଦ୍ଧା ଅନ୍ୟ କାର୍ଯ୍ୟ ପାଇଁ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏପରିକି ଗ୍ରାମବାସୀ ଅଦରକାରୀ ହୋଇ ପଡିଥିବା ଏକମାତ୍ର ନଳକୂପରୁ ବାହାରୁ ଥିବା ଲୌହଯୁକ୍ତ ପାଣି ପାଇଁ ଧାଡି ଲଗାଉଛନ୍ତି। ସୂଚନା ଅନୁସାରେ, ଉକ୍ତ ପଂଚାୟତ କାର୍ଯ୍ୟାଳୟଠାରେ ଥିବା ପାନୀୟ ଜଳ ପ୍ରକଳ୍ପରୁ ୨ନଂ ୱାର୍ଡର ହରିଜନ ସାହି, ନାଥ ସାହି, ନୀଳିକଣା ଓ ଭୁଇଁପୁର ଗ୍ରାମକୁ ପାଇପ୍ ଲାଇନ୍ ଯୋଗେ ଦୀର୍ଘ ବର୍ଷ ହେବ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା।
ହେଲେ ବିଭିନ୍ନ ସ୍ଥାନରେ ପୁରୁଣା ପାଇପ୍ ଲାଇନ ଫାଟି ଯାଉଥିବାରୁ ଅନେକ ସମୟରେ ପାଣିର ଅପଚୟ ହେବ ସହିତ ବିଭିନ୍ନ ଗ୍ରାମରେ ପାନୀୟ ଜଳ ପହଂଚି ପାରୁ ନ ଥିଲା। ଏ ବାବଦରେ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ବ୍ଲକ୍ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନୀଲିକଣା ଗ୍ରାମରେ ନୂତନ ଭାବେ ଅନ୍ୟ ଏକ ପାନୀୟ ପ୍ରକଳ୍ପ କାର୍ଯ୍ୟ କରାଯିବା ସହିତ ଉପରୋକ୍ତ ଗ୍ରାମରେ ନୂଆ ପାଇପ୍ ଲାଇନ ବିଛା କାର୍ଯ୍ୟ କରାଯାଇଥିଲା। ଗ୍ରାମବାସୀ ପୁରୁଣା ପାଇପ ଲାଇନ ଯୋଗେ ଅଳ୍ପ ବହୁତ ପାଣି ପାଉଥିବା ବେଳେ ପାଇପ୍ ବିଛାଉଥିବା ଠିକା ସଂସ୍ଥା କିନ୍ତୁ କଳାପୋଲ ପାଖରୁ ପୁରୁଣା ପାଇପ୍ ଲାଇନର ସଂଯୋଗକୁ ବିଚ୍ଛିନ କରି ପକାଇଥିଲା। ଫଳରେ ୨ ସପ୍ତାହରୁ ଅଧିକ ଦିନ ହେବ ୱାର୍ଡ ନଂ ୨ର ବିଭିନ୍ନ ଗ୍ରାମ ସମେତ ଭୁଇଁପୁର ଗ୍ରାମବାସୀ ପାନୀୟ ଜଳ ପାଇବାରୁ ବଂଚିତ ହୋଇଥିଲେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏଭଳି କାର୍ଯ୍ୟ ପାଇଁ ତାଗିଦା କରିବା ପରେ ଠିକା ସଂସ୍ଥାର ହାତଗଣତି କର୍ମଚାରୀ ପୁନର୍ବାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ୟପଟେ ପଞ୍ଚାୟତ ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସେମାନେ ସମସ୍ୟାରେ ପଡ଼ୁଛନ୍ତି ବୋଲି ଭୁଇଁପୁର ଗ୍ରାମର ଶାନ୍ତିଲତା ସେଠୀଙ୍କ ସମେତ ୨ନଂ ୱାର୍ଡ ହରିଜନ ସାହିର ମନୋଜ କୁମାର ମଲିକ, କେଶବ ଚରଣ ମଲିକ, କୁଶ ମଲିକ, ଭାମା ମଲିକ ଓ ସୁକାନ୍ତି ମଲିକ ପ୍ରମୁଖ ଅଭିଯୋଗ କରିଛନ୍ତି।