ନିଅଣ୍ଟିଆ ବର୍ଷା, କେନାଲରେ ଆସୁନି ପାଣି

ଚାଷକାର୍ଯ୍ୟ ବାଧାପ୍ରାପ୍ତ, ଚିନ୍ତାରେ ଚାଷୀ

ମାହାଙ୍ଗା: ଜୁଲାଇ ମାସ ଶେଷ ହେବାକୁ ବସିଛି। ହେଲେ, ମାହାଙ୍ଗା ଅଞ୍ଚଳର କେନାଲ୍‌ଗୁଡ଼ିକରେ ପାଣି ଆସିନାହିଁ। କଟକ ଜିଲ୍ଲା କେନ୍ଦୁପାଟଣା ଓ ନୁର୍ତ୍ତାଙ୍ଗ ଜଳସମ୍ପଦ ବିଭାଗର ଅବହେଳା ଯୋଗୁଁ ବହୁ କେନାଲ ସଫେଇ ହୋଇ ନ ଥିବାରୁ କ୍ଷେତକୁ ଆସୁ ନ ଥିବା ଅଭିଯୋଗ ହେଉଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ପଛେଇ ଯାଇଥିଲା ବେଳେ କେନାଲ୍‌ରେ ପାଣି ଆସୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରକାଶଥାଉ କି, ମାହାଙ୍ଗା ଅଞ୍ଚଳର ସମସ୍ତ ମୁଖ୍ୟ କେନାଲରେ ତରବରିଆ ଭାବେ ନାମକୁ ମାତ୍ର ସଫେଇ କାର୍ଯ୍ୟ ହୋଇଥିଲା ବେଳେ ବର୍ତ୍ତମାନ ଶାଖା କେନାଲଗୁଡ଼ିକର ସଫେଇ ଆରମ୍ଭ ହୋଇଛି। ଫଳରେ ତାହା ଚାଷୀଙ୍କ ହିତରେ ଲାଗିପାରୁ ନ ଥିବା ଅଭିଯୋଗ ହୋଇଛି। ଜୁଲାଇ ପ୍ରଥମ ସପ୍ତାହରେ କେନାଲରେ ପାଣି ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି। ହେଲେ, ମାହାଙ୍ଗା ବ୍ଲକ୍‌ର ୬, ୮ ଓ ୯ ନମ୍ବର ଶାଖା କେନାଲ୍‌ରେ ଆଜି ପର୍ଯ୍ୟନ୍ତ ପାଣି ଛଡ଼ା ଯାଇନାହିଁ। ଫଳରେ ବର୍ଷାଜଳରେ ଧାନ ତଳି ପକାଇଥିବା ଚାଷୀମାନେ ପାଣି ଅଭାବରୁ ବିଲ କାଦୁଅ କରି ରୁଆପୋତା କରିପାରୁ ନାହାନ୍ତି। କେନାଲରେ ପାଣି ଆସିବା ବିଳମ୍ବ ହେବାରୁ ଚାଷକାର୍ଯ୍ୟ ଏକମାସ ପଛେଇ ଯାଇଛି ବୋଲି ଚାଷୀମାନେ କହିଛନ୍ତି।

ଶ୍ରାବଣ ମାସର ଶେଷ ସପ୍ତାହ ଆଡ଼କୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ କ୍ଷେତରେ ଧାନତଳି ରୋଇଲେ ତାହା ବର୍ଷାଜଳରେ ବୁଡ଼ି ପଚିଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। କେନାଲ ସଫେଇ ନିମନ୍ତେ ସରକାର ଠିକ୍‌ ସମୟରେ ଅର୍ଥ ଯୋଗାଇ ଟେଣ୍ଡର୍‌ କାର୍ଯ୍ୟ ଶେଷ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଠିକାଦାରମାନେ ମନମୁଖୀ ଭାବେ ନାମକୁ ମାତ୍ର ସଫେଇ କରି ଅର୍ଥ ହରିଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ମାହାଙ୍ଗା ବ୍ଲକ୍‌ର ଧର୍ମାଗତପୁର, ନୁର୍ତ୍ତାଙ୍ଗ, ବାଲିଚନ୍ଦ୍ରପୁର, ଅଛୁତପୁର, ପୂବଂଶ ଜଳସମ୍ପଦ ସେକ୍ସନ୍‌ ଅଞ୍ଚଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି। ଏପରି କି, ବିଲରେ ତଳି ପଶି ନ ଥିବାରୁ ଚାଷୀମାନେ ବାଧୢ ହୋଇ ନଳକୂପ ଓ ପୋଖରୀରୁ ମଟର ସାହାଯ୍ୟରେ ପାଣି ମଡ଼ାଇ ଖର୍ଚ୍ଚାନ୍ତ ହେଉଛନ୍ତି। ସେହିପରି ପାଣି ଅଭାବରୁ ତଳିଆ ଜମି ଶୁଖିଲା ପଡ଼ିଥିବାରୁ ଧାନ ଫସଲ ନଷ୍ଟ ହେଉଥିବା ସୂଚନା ମିଳିଛି। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ତୁରନ୍ତ କେନାଲରେ ପାଣି ଛାଡ଼ିବା ସହ ସଫେଇ କାର୍ଯ୍ୟରେ ଅନିୟମିତତା ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର