ଗାରୋଇ: ଜଗତସିଂହପୁର ଜିଲ୍ଲା ସୀମାନ୍ତ ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ପାଟସୁନ୍ଦରପୁର ପଞ୍ଚାୟତ ଦେବୀ ନଦୀ ଆରପଟର ମୁତୁଣିଆ ଓ ଭଣ୍ତିସାହି ୭ଟି ୱାର୍ଡ ବିଶିଷ୍ଟ ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ହେଉନି। ଏହି ଅଞ୍ଚଳକୁ ଚତୁର୍ପାଶ୍ବରେ ଘେରି ରହିଛି ଦେବୀ ନଦୀ। କିନ୍ତୁ ନଦୀ ଘେରା ଅଞ୍ଚଳବାସୀଙ୍କ ପାଇଁ ମିଠା ପାଣି ସ୍ବପ୍ନ ପାଲଟିଛି। ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ, ପ୍ରଶାସକ ଏହି ଅଞ୍ଚଳକୁ ଆସି ପାନୀୟ ଜଳ ଭଳି ମୌଳିକ ସମସ୍ୟାର ଖୁବ୍ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ନିର୍ବାଚନ ପରେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଯାଏ ବୋଲି ଗ୍ରାମର ୭୦ ବର୍ଷୀୟ ବିଦ୍ୟାଧର ବିଶ୍ବାଳ କହିଛନ୍ତି। ୨୦୧୫ ଆର୍ଥିକ ବର୍ଷରେ ପାନୀୟ ଜଳ ପ୍ରକଳ୍ପ ସହିତ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ଲକ୍ଷ ଲକ୍ଷ ଟଙ୍କାର ନିର୍ମିତ ଏହି ପ୍ରକଳ୍ପ ପାଣି ସଂରକ୍ଷଣ କରିବା ପୂର୍ବରୁ ବର୍ଷ କେତେଟା ମଧ୍ୟରେ ନିଜେ ସୁରକ୍ଷା ଖୋଜିଲାଣି। ସୁନ୍ଦର ରଙ୍ଗରେ ରଙ୍ଗିନ କରାଯାଇଥିବା ଏହି ପ୍ରକଳ୍ପରୁ ସିମେଣ୍ଟ୍ ପ୍ଲାଷ୍ଟର ଖସିବା ଆରମ୍ଭ କଲାଣି।
ଥରୁଟିଏ ପାଣି ଯୋଗାଇ ନଥିବା ପ୍ରକଳ୍ପର ଏପରି ଅବସ୍ଥା ବିଭାଗର ପାରିବା ପଣିଆକୁ ପଦାରେ ପକାଇଛି। ଅନ୍ୟପଟେ ଏହି ୭ଟି ୱାର୍ଡରେ ରାସ୍ତା ପାଶ୍ବରେ ନିର୍ମାଣ ହୋଇଥିବା ୧୦୦ରୁ ଅଧିକ ଷ୍ଟାଣ୍ତ୍ ପୋଷ୍ଟ ଏବଂ ୧୦୦ଲିଟର ବିଶିଷ୍ଟ ପାଣି ଟାଙ୍କି ସବୁ ଖାଲି ପଡ଼ିଛି। ୨୦୦ରୁ ଅଧିକ ପରିବାରକୁ ପାନୀୟ ଜଳ ସଂଯୋଗ ଦିଆଯାଇଥିଲେ ମଧ୍ୟ ଟୋପାଏ ବି ପାଣି ପଡୁନାହିଁ। ପାନୀୟ ଜଳ ଯୋଗାଇବା ଆଳରେ ସରକାରୀ ଅର୍ଥର ଅପଚୟ କରାଯାଉଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳର ଲୋକଙ୍କ ପାଇଁ ସରକାରଙ୍କ ବସୁଧା, ଜଳନିଧି ଭଳି ଯୋଜନା ଯୋଜନ ଦୂରରେ ରହିଯାଇଛି। ଅନ୍ୟପଟେ ଚଳିତ ବର୍ଷ ଏହି ଉପାନ୍ତ ଅଞ୍ଚଳରୁ ସମିତି ସଭ୍ୟ ନିର୍ବାଚିତ ହୋଇଥିବା ଯୁବନେତା ମନୋଜ ନାୟକ କହିଛନ୍ତି, ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ପାନୀୟ ଜଳ ସ୍ବପ୍ନକୁ ପୂରଣ ପାଇଁ ପଞ୍ଚାୟତର ପ୍ରଥମ ବୈଠକରେ ପ୍ରଶ୍ନ ଉଠାଇବେ। ପାନୀୟ ଜଳ ପ୍ରକଳ୍ପର ସମ୍ପର୍କରେ କାକଟପୁର ବିଡିଓ ଡା. ତୁଷାର ମିଶ୍ରଙ୍କୁ ପଚାରିବାରୁ, ଏବିଷୟ ମୋ ନଜରକୁ ଆସିନାହିଁ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/WHATSAPP-IMAGE-2022-04-08-AT-64707-PM_6.jpg)