ଚାଷଜମିକୁ ପାଣି ନାହିଁ; କାମରେ ଲାଗୁନି କୋଟିଏ ଟଙ୍କାର ପ୍ରକଳ୍ପ

ଗାରୋଇ: ନାଉଗାଁ ବ୍ଲକ ଓଷକଣା ପଞ୍ଚାୟତର ଚାରିପଟେ ଘେରି ରହିଛି ଦେବୀ ନଦୀ। କିନ୍ତୁ ଚାଷ ଜମିକୁ ଜଳସେଚନ ପାଇଁ ବୁନ୍ଦାଏ ପାଣି ନାହିଁ। ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ କରିଥିବା ଯୋଜନା ଏଠାରେ ବାଟମରଣା ହୋଇଥିବା ଅଭିଯୋଗ ହୋଇଛି। କୃଷି ବିଭାଗର ସୂଚନା ଅନୁଯାୟୀ ଏହି ପଞ୍ଚାୟତରେ ରହିଛି ୩୭୫ ହେକ୍ଟର ଚାଷ ଜମି। ଏହି ଚାଷ ଜମିକୁ ଜଳସେଚନ ଲକ୍ଷ୍ୟ ନେଇ ରାଜ୍ୟ କୃଷି ଭିତ୍ତିକ ଶିଳ୍ପ ଆଗ୍ରୋ ଇଣ୍ଡଷ୍ଟ୍ରିଜ, ଉଠା ଜଳସେଚନ ନିଗମ, ଗଙ୍ଗା କଲ୍ୟାଣ ଯୋଜନା, ବ୍ଲକ ଓ ଗ୍ରାମ ପଂଚାୟତର ଆର୍ଥିକ ସହଯୋଗରେ କୋଟିଏ ଟଙ୍କାରୁ ଅଧିକ ଖର୍ଚ୍ଚରେ ପ୍ରକଳ୍ପ ହୋଇଛି। କିନ୍ତୁ କୌଣସି ଗୋଟିଏ ପ୍ରକଳ୍ପ କାର୍ଯ୍ୟ କରୁନାହିଁ। ଏହି ଅଚଳ ପ୍ରକଳ୍ପ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଚାଷ କାର୍ଯ୍ୟ ସମୟରେ ଚାଷୀ ବର୍ଷା ଜଳକୁ ହିଁ ଚାତକ ଭଳି ଚାହିଁବାକୁ ପଡ଼ୁଛି। ଉଲ୍ଲେଖଯୋଗ୍ୟ ୨୦୧୫-୧୬ ଆର୍ଥିକ ବର୍ଷରେ ଦେବୀ ନଦୀର ଓଷକଣା ଗ୍ରାମ ନିକଟରେ ଆଗ୍ରୋ ଇଣ୍ଡଷ୍ଟ୍ରିଜର ଅନୁଦାନରେ ମାତ୍ର ୧୦୦ ମିଟର ବ୍ୟବଧାନରେ ଦୁଇଟି ପ୍ରକଳ୍ପ ନିର୍ମାଣ ହୋଇଛି। ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ସୂଚନା ଫଳକ କହୁଛି ଓଡିଶା ରାଜ୍ୟ କୃଷି ଓ ଶିଳ୍ପ ନିଗମ ଦ୍ବାରା ୨୦୧୫-୧୬ରେ ୧୩,୨୬୦୦୦ଟଙ୍କା ବ୍ୟୟରେ ଗୋଟିଏ ଏବଂ ୧୨ଲକ୍ଷ ଟଙ୍କାରେ ଅନ୍ୟଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ପ୍ରକଳ୍ପ କାମ ଆରମ୍ଭ ଦିନକୁ ଛାଡ଼ି ଦେଲେ ତାର ପରଦିନ ଠାରୁ କେବେ ହେଲେ ପାଣି ବୁନ୍ଦାଏ ବି ସେଚ ଜମିକୁ ଯାଇ ନାହିଁ। ପ୍ରକଳ୍ପ ଦୁଇଟିର ଯନ୍ତ୍ରାଂଶ ମଧ୍ୟ ଚୋରି କିମ୍ବା ନଷ୍ଟ ହୋଇଗଲାଣି। ପତ୍ତା ନାହିଁ। ଚାଷୀମାନଙ୍କୁ ନେଇ ଗଠିତ ପାଣି ପଂଚାୟତ ମଧ୍ୟ ଅଥର୍ବ ପାଲଟିଛି।

ଗାଁ ରାଜନୀତି ଭୟରେ କେହି ମୁହଁ ଖୋଲୁନାହାନ୍ତି। ସେହିପରି ବିଜୁ କୃଷକ କଲ୍ୟାଣ ଯୋଜନାରେ ୧୨ଲକ୍ଷ ଟଙ୍କାରେ ନିର୍ମିତ ରାଜ୍ୟ ଉଠା ଜଳସେଚନର ପ୍ରକଳ୍ପଟି ପ୍ରତି ବର୍ଷ ମରାମତି ହେଉଛି। କିନ୍ତୁ ପାଣି ପଡୁନାହିଁ। କେବଳ ସେତିକି ନୁହେଁ ଦେବୀ ନଦୀର ଏହି ପଂଚାୟତର ଭଟଣା ନଦୀ କୂଳରେ ୩ରୁ ଅଧିକ ସିମେଣ୍ଟ ସ୍ଲାବ୍ ସହିତ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରାୟ ୮ଲକ୍ଷ ଟଙ୍କା ବ୍ୟୟରେ ୬୪୦ ମେଗାଓ୍ୱାଟର ଏକ ଟ୍ରାନ୍ସଫର୍ମର ବସାଯାଇଛି। ତାହା କାମରେ ଆସୁନାହିଁ। ୨୦୧୪-୧୫ ଆର୍ଥିକ ବର୍ଷରେ ନାଉଗାଁ ପଞ୍ଚାୟତ ସମିତି ଓ ଓଷକଣା ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ୧୫ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ୩ଟି ଚେକ୍ ଡ୍ୟାମ୍ ଚାଷୀମାନଙ୍କର କୌଣସି କାମରେ ଆସୁନାହିଁ। ୨୦୨୦-୨୧ ଆର୍ଥିକ ବର୍ଷ ମନରେଗା କାର୍ଯ୍ୟରେ ହୋଇଥିବା ନାଳି ଖନନ ଓ ଚାଷ ଜମିକୁ ରାସ୍ତା କାମ ମଧ୍ୟ କୌଣସି କାର୍ଯ୍ୟରେ ଆସୁନଥିବା ଶହ ଶହ ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ସେଚ ବିଭାଗ କେବଳ ଦୁର୍ନୀତିରେ ଛନ୍ଦି ହୋଇ ନାହିଁ ବରଂ ଚାଷୀଙ୍କ ଭାଗ୍ୟ ଭବିଷ୍ୟତ ସହ ଖେଳ ଖେଳୁଛି ବୋଲି ଅଭିଯୋଗ ହୋଇଛି। ଏଦିଗରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର