ପାନୀୟଜଳ ଯୋଗାଣ ବ୍ୟବସ୍ଥାର ବିକଳ ଚିତ୍ର, ପିଇବା ପାଣିରୁ ବଞ୍ଚିତ ଓଷକଣା ପଞ୍ଚାୟତବାସୀ

ଗାରୋଇ: ଗ୍ରାମାଞ୍ଚଳର ପ୍ରତ୍ୟକ ପରିବାରକୁ ସ୍ବଚ୍ଛ ପାନୀୟଜଳ ଯୋଗାଇଦେବା ପାଇଁ ଗତ ଅପ୍ରେଲ ୨୪ ତାରିଖରେ ଭିଡିଓ କନଫରେନ୍ସ ମାଧ୍ୟମରେ ବ୍ଲକ ଓ ପୌରପାଳିକାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦକୁ ବିଭାଗୀୟ ଅଧିକାରୀମାନେ କେତେ ଗ୍ରହଣ କରିଛନ୍ତି ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଓଷକଣା ପଞ୍ଚାୟତରେ। ଓଷକଣା ପଞ୍ଚାୟତ ଭଟଣା ଗ୍ରାମର ୧୪ ଓ ୧୫ ନମ୍ବର ଓାର୍ଡବାସୀ ଦୀର୍ଘବର୍ଷ ଧରି ସ୍ବଚ୍ଛ ପାନୀୟଜଳରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି। ଓଷକଣା ପଞ୍ଚାୟତଟି ଦେବୀନଦୀ ଆଁରେ ଅବସ୍ଥିତ। ପଞ୍ଚାୟତର ଭୂତଳ ଜଳ ଲବଣାକ୍ତ। ଏହି ପଂଚାୟତର ୧୫ଟି ଓାର୍ଡକୁ ଜଳଯୋଗାଣ ପାଇଁ ୨୦୧୫/୧୬ ଆର୍ଥିକବର୍ଷରେ ରାଜସ୍ବ ଗ୍ରାମ ଭଟଣାରେ ଗଭୀର ପାନୀୟଜଳ ପ୍ରକଳ୍ପ ସହିତ ସୁଉଚ୍ଚ ପାଣିଟାଙ୍କି ନିମାର୍ଣ କରାଯାଇଥିଲା। ୫୦୦ରୁ ଅଧିକ ପରିବାରକୁ ଘରକୁଘର ପାନୀୟଜଳ ସଂଯୋଗ ସହିତ ୬ଟିରୁ ଅଧିକ ୨୦୦ଲିଟର କ୍ଷମତାବିଶିଷ୍ଟ ପାନୀୟଜଳ ଷ୍ଟାଣ୍ତ୍‌ପୋଷ୍ଟ୍‌ ନିମାର୍ଣ କରାଯାଇଥିଲା। କିନ୍ତୁ ବର୍ଷ କେତେଟା ମଧ୍ୟରେ ସବୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ଷାଧିକ ସମୟରୁ ମରାମତି ନାମରେ ଅନେକ ସମୟରେ ରାସ୍ତାକଡ଼ରେ ଗାତ ଖୋଳାଯାଉଛି ଯାହାକୁ ପୂରଣ କରିବା ପାଇଁ ବର୍ଷାଧିକ ସମୟ ଲାଗୁଛି।

କେବଳ ସେତିକି ନୁହେଁ, ପଞ୍ଚାୟତର ୧୪ ଓ ୧୫ ନମ୍ବର ଓାର୍ଡକୁ ପାଣି ପହଞ୍ଚିବା ପୂର୍ବରୁ ଗାଁ ମୁଣ୍ତ ପ୍ରାଥମିକ ବିଦ୍ୟାଳୟ ନିକଟରେ ଦିର୍ଘବର୍ଷ ଧରି ମାଟିରେ ମିଶୁଛି। ଅଥଚ ମିଠାପାଣି ବୁନ୍ଦାଏ ଲୋକଙ୍କୁ ମିଳୁ ନାହିଁ। ଅଭିଯୋଗ କଲେ ମଧ୍ୟ ଫଳ କିଛି ମିଳୁ ନାହିଁ। ବ୍ଲକ ଜଳ ଓ ପରିମଳ ବିଭାଗ ଏହାକୁ ପଞ୍ଚାୟତର କାର୍ଯ୍ୟ କହୁଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଏହାର ପାଲଟା ଉତ୍ତର ଦେଉଛନ୍ତି। ଏପରି ଅଭିଯୋଗ କରିଛନ୍ତି ଦିଲ୍ଲୀପ ବରାଳ, ମାୟାଧର ଜେନା, ମନୁ ଲେଙ୍କା, ବିଜୟ ଲେଙ୍କା ଓ ଅକ୍ଷୟ ଲେଙ୍କା ପ୍ରମୁଖ। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଆରମ୍ଭରୁ ମାଟି ତଳେ ଦିଆଯାଇଥିବା ପାଇପ ନିମ୍ନମାନର ହୋଇଥିବା ବେଳେ ମାଟିତଳୁ କେତେ ଗଭୀରରେ ପାଇପ୍‌ ବିଛାଯିବାର ନିୟମ ରହିଛି, ସେହି ନିୟମକୁ ସଠିକ ଢଙ୍ଗରେ କାର୍ଯ୍ୟ କରାଯାଇ ନାହିଁ। ଏପରିକି ଏହି ବିଷୟକୁ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ଯ୍ୟ ହେଉଥିବା ସମୟରେ ବିଭାଗ କର୍ଣ୍ଣପାତ କରି ନଥିଲା। ଏହି ଅଂଚଳର ପାନୀୟଜଳ ସମସ୍ୟାକୁ ନେଇ ବିଭାଗୀୟ ସହକାରୀଯନ୍ତ୍ରୀ ତପନ ରାଉତଙ୍କୁ ପଚାରିବାରୁ ସେ ପ୍ରତିଥର ଭଳି ‘ଖୁବ ଶୀଘ୍ର କାର୍ଯ୍ୟ ସମାଧାନ ହୋଇଯିବ’ ବୋଲି ଉତ୍ତର ଦେଇଥିଲେ।

ସମ୍ବନ୍ଧିତ ଖବର