ଜଗତସିଂହପୁର ଟାଉନ୍: ଗ୍ରାମାଞ୍ଚଳରେ ବିଶୁଦ୍ଧ ପିଇବା ପାଣି ଯୋଗାଣ ଯୋଜନା ‘ବସୁଧା’ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଚକାଚକ୍ ଟାଙ୍କି, ପାଇପ୍ ବିଛା ଯାଇଥିଲେ ମଧ୍ୟ ଲୋକ ପିଇବା ପାଣିରୁ ବଞ୍ଚିତ ହୋଇ ଆସୁଛନ୍ତି। କେଉଁଠି ମାସ ମାସ ଧରି ଟାଙ୍କି ଅଚଳ ହୋଇ ପଡ଼ି ରହିଛି ତ ଆଉ କେଉଁଠି ଟାଙ୍କି ଅଛି କିନ୍ତୁ ମଟର ଯୋଗେ ପାଣି ଯୋଗାଣ ଚାଲିଛି। ଏବେ ବସୁଧା କେଳେଙ୍କାରୀର ଆଉ ଗୋଟିଏ ଚିତ୍ର ସାମ୍ନାକୁ ଆସିଛି। ଯାହା ଚକିତ କଲା ଭଳି ତଥ୍ୟ। ଖୁବ୍ କମ୍ ଦିନରେ ଖରାପ ହୋଇଯାଇଛି ଭୂତଳ ପାଇପ୍। ଯାହା ଫଳରେ ଲୋକଙ୍କ ଘରେ ପାଣି ପହଞ୍ଚି ପାରୁନି। ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ(ଆରଡବ୍ଲୁଏସ୍ଏସ୍)କୁ ଇଏ ଆଉ ଗୋଟିଏ ବାହାନା ମିଳି ଯାଇଛି। ସୂଚନା ଅନୁସାରେ, ବସୁଧା ଯୋଜନା ଆରମ୍ଭ ହେବା ପରେ ଗ୍ରାମାଞ୍ଚଳରେ ଘରେଘରେ ପାଣି ପହଞ୍ଚାଇବାର ଲକ୍ଷ୍ୟ ଥିଲା। ନୂତନ ଟାଙ୍କି କିମ୍ବା ପୂର୍ବରୁ ଥିବା ଟାଙ୍କିରୁ ଭୂତଳ ପାଣି ପାଇପ୍ ବିଛା ଗଲା। ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଗଲା। ଏହି ପାଇପ୍ ଧଳା ରଙ୍ଗର ଥିଲା। ମାତ୍ର ଦିନ କେଇଟା ନ ଯାଉଣୁ କେଉଁଠି ଫାଟି ଗଲା ତ ଆଉ କେଉଁଠି କଣା ହୋଇଗଲା। ଯାହା ଫଳରେ ପାଇପ୍ ଯୋଗେ ଲୋକଙ୍କ ପାଖରେ ପାଣି ପହଞ୍ଚି ପାରିଲା ନାହିଁ। ଅଧା ବାଟରୁ ପାଣି ଲିକ୍ ହୋଇ ମାଟି ଫୁଟାଇ ବାହାରିଲା।
ପାଇପ୍ କେତେ ନିମ୍ନମାନର ଥିଲା ତାହା ସ୍ପଷ୍ଟ ହୋଇ ଯାଇଥିଲା। ଠିକାଦାର ପାଇପ୍ ବିଛାଇ ବିଲ୍ ପାଇ ସାରିଥିବା ବେଳେ ଏ ନେଇ କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଆଉ ଏବେ ସେହି ପାଇପ୍ ବଦଳାଯାଇ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚରେ ନୂଆ ଭୂତଳ ପାଇପ୍ ବିଛାଯାଉଛି। ଯାହାର ରଙ୍ଗ କଳା। ଏହି କଳା ପାଇପ୍ ଉନ୍ନତମାନର ଓ ଚାପ ପ୍ରତିରୋଧ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ଯାହା ସହଜରେ ନଷ୍ଟ ହେବ ନାହିଁ। ପାଣିଯୋଗାଣ ଭଲ ଭାବେ ହୋଇପାରିବ। ମଣ୍ଡାସାହି ଅଞ୍ଚଳରେ ଏହି କଳା ପାଇପ୍ ବିଛା ଚାଲିଛି। ସେହିପରି ପଲ୍ଲୀରେ ପୋଥାପଡ଼ା, ପଲ୍ଲୀ, ମହାକାଳେଶ୍ବର ଅଞ୍ଚଳରେ କଳା ପାଇପ୍ ବିଛା ଯାଇଥିବା ବେଳେ ଅନ୍ୟ ଅଞ୍ଚଳରେ ବିଛାଯିବ ବୋଲି କୁହାଯାଉଛି। ସେହିପରି ବିଭିନ୍ନ ପଞ୍ଚାୟତେ କଳା ପାଇପ୍ ବିଛା ଯିବାର ରହିଛି। କଳା ପାଇପ୍ ବିଛାଯିବା ପରେ ପାଣି ଯୋଗାଣ ଭଲ ଭାବେ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯୋଜନା ଆରମ୍ଭରୁ ମାଟି ତଳେ ଯେଉଁ ଧଳା ପାଇପ୍ ବିଛା ଯାଇଥିଲା ତାକୁ କିଏ ଅନୁମତି ଦେଇଥିଲା? ମାଟି ତଳେ ବିଛା ଯିବା ପୂର୍ବରୁ ପାଇପର ମାନ ପରୀକ୍ଷା କରାଯାଇଥିଲା କି? ଯଦି କରାଯାଇଥିଲା ତାହେଲେ ଦୁର୍ବଳତା ଧରାପଡ଼ିଲା ନାହିଁ କାହିଁକି? ନା କାହା ଚାପରେ ଏଭଳି ଦୁର୍ବଳ ପାଇପ୍ ବିଛା ଯିବା ପାଇଁ ଅନୁମତି ଦିଆଯାଇଥିଲା? ଦିନ କେଇଟାରେ ପାଇପ୍ ଖରାପ ହେବା ପଛରେ କାହାକୁ କାହିଁକି ଉତ୍ତରଦାୟୀ କରାଯାଉ ନାହିଁ? କୋଟି କୋଟି ଟଙ୍କା ବରବାଦ୍ ହେଉଥିଲେ ମଧ୍ୟ କାହିଁକି ମୁଣ୍ଡପାତି ସହି ଯାଉଛନ୍ତି ସରକାର? ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟ ଏବେ ସନ୍ଦେହଘେରକୁ ଆସିଛି। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କେଳେଙ୍କାରୀ ଗୁମର ଖୋଲିବ ବୋଲି କୁହାଯାଉଛି।