ମହାନଦୀ କୂଳର ଗାଁ କଇଁମୁଣ୍ଡିରେ ପାନୀୟଜଳ ସମସ୍ୟା ଉତ୍କଟ

ଗରା-ବାଲ୍‌ଟି ଧରି ରାଜରାସ୍ତାକୁ ଓହ୍ଲାଇବେ ମହିଳା

ଡମପଡ଼ା: ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ବିଶେଷ କରି, ବସୁଧା ଯୋଜନାରେ ପ୍ରତି ଘରକୁ ସ୍ଵଚ୍ଛ ପାନୀୟଜଳ ଯୋଗାଇଦେବାର ପ୍ରତିଶ୍ରୁତି ଦିଆଯାଉଛି। ହେଲେ, ମହାନଦୀ କୂଳରେ ଥିବା ଗାଁର ଲୋକମାନେ ପିଇବା ପାଣି ଟୋପାଏ ପାଇଁ ହନ୍ତସନ୍ତ ହେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ବ୍ଲକ୍‌ରେ। ବ୍ଲକ୍‌ର ପାଥପୁର ପଞ୍ଚାୟତ କଇଁମୁଣ୍ଡି ଗ୍ରାମର ୧୬ ନମ୍ବର ୱାର୍ଡରେ ଏବେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ଗ୍ରାମର ୫୦ରୁ ଅଧିକ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି। ସେଥିରୁ ଅଧିକାଂଶ ସମୟ ହଳଦିଆ ପାଣି ବାହାରୁଛି। ଏଥିସହ ନଳକୂପରୁ ଅନେକ ସମୟରେ ଆଦୌ ପାଣି ବାହାରୁ ନ ଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ଫଳରେ ପିଇବା ପାଣି ମୁନ୍ଦାଏ ପାଇଁ ଗ୍ରାମର ଝିଅ ଓ ବୋହୂ ଅଧ କିଲୋମିଟର ଦୂର ଯିବାକୁ ବାଧ୍ୟ ହେଉଛନ୍ତି। ଏହି ଗ୍ରାମରେ ସ୍ଵଜଳଧାରା ଯୋଜନାରେ ସ୍ୱଚ୍ଛ ପାନୀୟଜଳ ମିଳିବା ଦୂର କଥା; ଗ୍ରାମକୁ ଆଜି ପର୍ଯ୍ୟନ୍ତ ପାଇପ୍‌ ଲାଇନ୍‌ ସଂଯୋଗ ହୋଇପାରି ନାହିଁ।

ପ୍ରତ୍ୟେକ ନିର୍ବାଚନରେ ବିଭିନ୍ନ ଦଳର ମାଳମାଳ ନେତା ଭୋଟ୍‌ ଭିକ୍ଷା କରିବାକୁ ଆସି ପାନୀୟଜଳର ସୁବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ, ନିର୍ବାଚନ ପରେ ଆଉ କେହି ଗ୍ରାମକୁ ଆସନ୍ତି ନାହିଁ ବୋଲି ଗ୍ରାମବାସୀ କୁହନ୍ତି। ଗ୍ରାମର ପାନୀୟଜଳ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକମାନେ ପଞ୍ଚାୟତ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ବହୁବାର ଜଣାଇଛନ୍ତି। ହେଲେ, ସମସ୍ୟା ଦୂର କରିବା ଲାଗି କୌଣସି ଅଧିକାରୀ ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରନ୍ତି। ସ୍ଵଜଳ ଧାରା ଯୋଜନା କିମ୍ବା ସୌର ପ୍ରକଳ୍ପ ମାଧ୍ୟମରେ ଗ୍ରାମକୁ ତୁରନ୍ତ ସ୍ଵଚ୍ଛ ପାନୀୟଜଳ ଯୋଗାଇଦେବାକୁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଏ ନେଇ ଶୀଘ୍ର ପଦକ୍ଷେପ ନିଆ ନ ଗଲେ ମହିଳାମାନେ ହାଣ୍ଡି, ଡେକ୍‌ଚି, ଗରା, ବାଲ୍‌ଟି ଧରି ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଶାନ୍ତିଲତା ରାଉତ, ଲିଜା ବେହେରା, ଅଞ୍ଜଳି ବେହେରା, ସୁକାନ୍ତି ବେହେରା, ସୁନିତା ବେହେରା, ଗୁରେଇ ରାଉତ, ସୁକାନ୍ତି ରାଉତ, ସଞ୍ଜୁ ବେହେରା, ରଞ୍ଜୁ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର