କେନ୍ଦ୍ରାପଡ଼ା: ସାହିକୁ ଯିବାକୁ ରାସ୍ତା ନାହିଁ। ପିଇବାକୁ ବିଶୁଦ୍ଧ ପାଣି ନାହିଁ। ସ୍ବାସ୍ଥ୍ୟସେବା ଅପହଞ୍ଚ। ନାହିଁ ନାହିଁର ଏହି ଇଲାକା କୋଉ ଆଦିବାସୀ ବହୁଳ ଅଂଚଳର ନୁହେଁ, ବରଂ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠୁ ମାତ୍ର ୪କିଲୋମିଟର୍‌ ଦୂରରେ ରହିଛି ଏଭଳି ଏକ ଅନୁନ୍ନତ ଅଂଚଳ। ନାଁ ତାର ପଥରଗଡ଼ା ମୁଣ୍ଡାସାହି। ଶ୍ୟାମସୁନ୍ଦର ପଞ୍ଚାୟତ ଅଧୀନରେ ଯାଉଥିବା ଏହି ଅଂଚଳରେ ଆଦିବାସୀ ସଂପ୍ରଦାୟର ଲୋକମାନେ ରହୁଥିବା ବେଳେ ସେମାନଙ୍କ ପାଇଁ କିନ୍ତୁ ସବୁ ସରକାରୀ ସୁବିଧା ସାତସପନ ପାଲଟି ଯାଇଛି। ନା’ ସାହିକୁ ଯିବାକୁ କଂକ୍ରିଟ୍‌ ରାସ୍ତା ଅଛି ନା’ ପିଇବା ପାଇଁ ବିଶୁଦ୍ଧ ପାଣି। ଧାନ ଚାଷ ଜମି ହିଡ଼ ହେଉଛି  ଏହି ଗରିବ ଲୋକଙ୍କ ସବୁଦିନିଆ ରାସ୍ତା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠୁ ମାତ୍ର ୪କିଲୋମିଟର୍‌ ଦୂରରେ ଥିବା ଏହି ଅଂଚଳ ସରକାରଙ୍କ ବିକାଶମୂଳକ ଯୋଜନାକୁ ବିଦ୍ରୁପ କରୁଛି।
ଶ୍ୟାମସୁନ୍ଦରପୁର ପଞ୍ଚାୟତର  ୫ନମ୍ବର (କ) ଜାତୀୟ ରାଜପଥ କଡ଼ରେ ଥିବା ଏହି ପଥରଗଡା ମୁଣ୍ତା ସାହି ବସ୍ତିରେ ପ୍ରାୟ ୨୦ଟି ଆଦିବାସୀ ପରିବାର ରହୁଛନ୍ତି।

Advertisment

କିନ୍ତୁ ସେମାନଙ୍କ ପାଇଁ ଶିକ୍ଷା, ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବା ସୁବିଧା ଅପହଞ୍ଚ ହୋଇପଡ଼ିଛି। ନଳକୂପ ନ ଥିବାରୁ ପାଣି ପାଇଁ ଲୋକମାନଙ୍କୁ ଗୋଟିଏ କିଲୋମିଟର୍‌ ଦୂର ଯିବାକୁ ପଡ଼େ। ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ବି ସମାନ ରାସ୍ତା। ସବୁଦିନିଆ ରାସ୍ତା ନ ଥିବରୁ ପିଲାମାନେ ବିଲ ହିଡ଼ରେ ଗୋଟିଏ କିଲୋମିଟର ଚାଲି ସ୍କୁଲ୍ ଓ ଅଂଗନବାଡ଼ି କେନ୍ଦ୍ରକୁ ପଢ଼ିବାକୁ ଯାଇଥାନ୍ତି। ମାତ୍ର ବର୍ଷା ଚାରି ମାସ ଗମନାଗମନ ବିଚ୍ଛିନ୍ନ କାରଣରୁ ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଏ। ଆଉ ଯଦି କାହାର ଦେହ ଖରାପ ହୁଏ, ଭାରା ହିଁ ଏକମାତ୍ର ଭରସା। ପଢ଼ିବା ପାଇଁ ପିଲାଙ୍କୁ ବସ୍ତି ଠାରୁ ୧କ‌ିଲୋମିଟର୍‌ ଦୂର ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ପଡ଼େ। ସବୁଦିନିଆ ରାସ୍ତା ନ ଥିବାରୁ ବର୍ଷା ଚାରି ମାସ ପିଲା ପାଠ ପଢାରୁ ବଂଚିତ ହୋଇ ରହିଥାନ୍ତି। କେବଳ ନିର୍ବାଚନ ଆସିଲେ ଲୋକ ପ୍ରତିନିଧିମାନେ ଭୋଟ୍‌ ମାଗିବାକୁ ଆସନ୍ତି। ଅନ୍ୟ ବେଳେ କାହାରି ପାଦ ଏଠି ପଡ଼େନି ବୋଲି ରମେଶ ମୁଣ୍ତା, କହ୍ନେଇ ମୁଣ୍ତା, ଜିତେନ୍ଦ୍ର ମୁଣ୍ତା, କୁଞ୍ଜ ସିଂ, ବାବୁଲା ମୁଣ୍ତାଙ୍କ ସମେତ ବହୁ ଲୋକ ଅଭିଯୋଗ କରିବା ସହିତ ତରୁନ୍ତ ବସ୍ତିର ମୌଳିକ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।